FeaturedLatestNews

ମୋଦିଙ୍କ ନାମରେ ଶ୍ରୀମନ୍ଦିରରେ ଦୀପଦାନ କଲେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ

ପୁରୀ(ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଯୋଡ଼ି ହୋଇଛି ଏକ ନୂଆ ଇତିହାସ। ସବୁଠାରୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ପଦରେ ରହିବାର ଗୌରବ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବରୁ ଏହି ରେକର୍ଡ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନାମରେ ରହିଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ କାମନା କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପଦାନ କରିଛନ୍ତି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ବିଜେପି କର୍ମକର୍ତ୍ତାମାନେ।

ଆଜି ସକାଳେ କେନ୍ଦ୍ର ଆଇନମନ୍ତ୍ରୀଙ୍କ ସହ ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ପ୍ରାୟ ୪୦ ମିନିଟ୍ ଶ୍ରୀମନ୍ଦିର ଭିତରେ ଅତିବାହିତ କରି ଫେରିବା ପରେ ଗଣମାଧ୍ୟମ ଆଗରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମେଘୱାଲ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଦେଶରେ ସବୁଠାରୁ ଲମ୍ବା ସମୟ ଧରି ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଶୀର୍ବାଦ ଦେଇଥିବାରୁ ସେ ଶାସନ କରିଆସୁଛନ୍ତି। ଆଜିର ଦିନ ଭାରତର ଗଣତନ୍ତ୍ର ପାଇଁ ଏକ ବିଶେଷ ଦିନ, କାରଣ ପ୍ରଧାନମନ୍ତ୍ରୀ ଏକ ନୂଆ ରେକର୍ଡ କରିଛନ୍ତି, ଯାହାକୁ ନେଇ ସାରା ଦେଶ ଗର୍ବିତ।”

“ଜନତାଙ୍କ ଆଶୀର୍ବାଦରୁ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଲମ୍ବା ସମୟ ଧରି ପ୍ରଧାନମନ୍ତ୍ରୀ ଆସନରେ ରହି ଶାସନ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ଏଭଳି ଶୁଶାସନ ବଜାୟ ରହୁ, ଏନେଇ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଓ ପୂଜାର୍ଚ୍ଚନା କଲୁ,” ବୋଲି କହିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ।

ମହାପ୍ରଭୁଙ୍କ ଆଶୀର୍ବାଦରୁ ଦେଶ ଉନ୍ନତି କରୁ ବୋଲି ମଧ୍ୟ କହିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ। ଦେଶର ପ୍ରଧାନ ସେବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ବର୍ଷ ପୂରଣ କରିବା ସହ ୨୦୪୭ ସୁଦ୍ଧା ଭାରତ କିଭଳି ବିକଶିତ ରାଷ୍ଟ୍ରରେ ପରିଣତ ହେବ, ସେନେଇ ଆଜି ଭାରତବର୍ଷର ସବୁ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି ବୋଲି ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି।

ତେଣୁ ଓଡ଼ିଶା ଓ ଭାରତର ମଙ୍ଗଳ ପାଇଁ ଆଜି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯିବା ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ କେନ୍ଦ୍ର ଆଇନମନ୍ତ୍ରୀ, ପୁରୀ ସାଂସଦ, ପିପିଲି ବିଧାୟକଙ୍କ ସମେତ ଜିଲ୍ଲା ବିଜେପି କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ।

ଶ୍ରୀମନ୍ଦିରରୁ କେନ୍ଦ୍ର ଆଇନମନ୍ତ୍ରୀ ଓ ପୁରୀ ସାଂସଦ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ତରଫରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରାଯାଇଥିଲା।