FeaturedLatestNews

ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ଫାଇଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗାୟବ, ପୁନଃ ପ୍ରସ୍ତୁତି ଅସମ୍ଭବ

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଓ କନ୍ଧମାଳ ଦଙ୍ଗା ମାମଲାର ତଦନ୍ତ ଫାଇଲ୍ ଗାୟବ ହେବା ପ୍ରସଙ୍ଗରେ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ତଦନ୍ତ କମିଶନର ମୁଖ୍ୟ ଜଷ୍ଟିସ ଏ.ଏସ. ନାଇଡୁ ସ୍ପଷ୍ଟ କରିଛନ୍ତି ଯେ, ଗାୟବ ହୋଇଯାଇଥିବା ଏହି ୧୫୦୦ ପୃଷ୍ଠାର ବିଶାଳ ରିପୋର୍ଟକୁ ପୁଣିଥରେ ମନେପକାଇ ଲେଖିବା ବା ପୁନଃ ପ୍ରସ୍ତୁତ କରିବା ସମ୍ପୂର୍ଣ୍ଣ ଅସମ୍ଭବ।

ନିୟମ ଅନୁଯାୟୀ ରଖାଯାଏ ନାହିଁ ଦ୍ୱିତୀୟ କପି: ଜଷ୍ଟିସ ନାଇଡୁଙ୍କ କହିବା ଅନୁସାରେ, ନିୟମ ଅନୁଯାୟୀ ତଦନ୍ତ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଚୂଡ଼ାନ୍ତ ରିପୋର୍ଟର କୌଣସି ଦ୍ୱିତୀୟ କପି ରଖାଯାଏ ନାହିଁ। କମିଶନ ଅଫିସ ବନ୍ଦ ହେବା ପରେ ବାକି ସବୁ କାଗଜପତ୍ର ନଷ୍ଟ କରିଦିଆଯାଏ ଏବଂ କେବଳ ଗୋଟିଏ ମୂଳ ରିପୋର୍ଟ ଗୃହ ବିଭାଗ ମାଧ୍ୟମରେ ସରକାରଙ୍କୁ ଦିଆଯାଏ। ୨୦୧୨ ରୁ ୨୦୧୫ ପର୍ଯ୍ୟନ୍ତ ଦୀର୍ଘ ୩ ବର୍ଷ ଧରି ଆରଏସଏସ, ଖ୍ରୀଷ୍ଟିଆନ ସୋସାଇଟି ଓ ନକ୍ସଲ ସଂଗଠନର ଶତାଧିକ ଲୋକଙ୍କ ସାକ୍ଷ୍ୟକୁ ଆଧାର କରି ଏହି ରିପୋର୍ଟ ତିଆରି ହୋଇଥିଲା। ଯଦିଓ କିଛି ବିକ୍ଷିପ୍ତ ରଫ୍ ନୋଟ୍ କିମ୍ବା କମ୍ପ୍ୟୁଟର ଡାଟା ଥାଇପାରେ, ସେସବୁକୁ ମିଶାଇ ପୁଣିଥରେ ସେହି ସମାନ ୧୫୦୦ ପୃଷ୍ଠାର ମୂଳ ରିପୋର୍ଟ ପ୍ରସ୍ତୁତ କରିବା ସାଧାରଣ କଥା ନୁହେଁ।

ମିଳିପାରେ ତଥ୍ୟ, ଯଦି ସରକାର ଦେଖାନ୍ତି ତତ୍ପରତା: ତେବେ ଫାଇଲ୍‌ଟି ସିଏମଓରୁ ଗାଏବ ହୋଇଥିଲେ ମଧ୍ୟ ଏହାକୁ ଖୋଜିବା ପାଇଁ ଏକମାତ୍ର ଉପାୟ ଅଛି। ସାଧାରଣତଃ ରିପୋର୍ଟ ମିଳିବା ପରେ ସରକାର ଏହାର ସଫ୍ଟ କପି ବା କିଛି ନକଲ ସମ୍ପୃକ୍ତ ବିଭାଗ ଗୁଡ଼ିକୁ ସେମାନଙ୍କର ମତାମତ ପାଇଁ ପଠାଇଥାନ୍ତି। ତେଣୁ ଯଦି ସରକାର ତତ୍ପରତା ଦେଖାଇ ସେହି ସବୁ ବିଭାଗରୁ କପି ସଂଗ୍ରହ କରିବେ, ତେବେ ଯାଇ ଏହି ମିସିଂ ରିପୋର୍ଟର ତଥ୍ୟ ମିଳିପାରିବ।

ସରକାରଙ୍କ ବାଧ୍ୟବାଧକତା ଏବଂ କମିଶନର ଦୁଃଖ: ଜଷ୍ଟିସ ନାଇଡୁ ଅତି ଦୁଃଖର ସହ କହିଛନ୍ତି ଯେ, ଏହି କମିଶନ ପାଇଁ ଜନସାଧାରଣଙ୍କ ବିପୁଳ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଅନେକ ଲୋକ ବହୁତ ପରିଶ୍ରମ କରିଛନ୍ତି। ଏହି ରିପୋର୍ଟରେ ରାତି ଅଧରେ ସ୍ୱାମୀଜୀଙ୍କୁ ଏକେ-୪୭ ମାଧ୍ୟମରେ ଜଘନ୍ୟ ହତ୍ୟା ଏବଂ ଦଙ୍ଗାର ଭୟଙ୍କର ସତ୍ୟ ଲୁଚି ରହିଛି। ନିୟମ ଅନୁଯାୟୀ ଏହାକୁ ବିଧାନସଭାରେ ଉପସ୍ଥାପନ କରି ସାର୍ବଜନୀନ କରିବାକୁ ସରକାର ବାଧ୍ୟ।

୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କ ସହଯୋଗୀଙ୍କ ହତ୍ୟା ପରେ କନ୍ଧମାଳରେ ବ୍ୟାପକ ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ଘଟଣାର ସତ୍ୟାସତ୍ୟ ଏବଂ ଭବିଷ୍ୟତ ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ସରକାରଙ୍କ ଦ୍ୱାରା ଏକ ତଦନ୍ତ କମିଶନ ଗଠନ କରାଯାଇଥିଲା। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଉକ୍ତ ଅଞ୍ଚଳରେ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ କରୁଥିଲେ ଏବଂ ସେଠାରେ ଚାଲିଥିବା ଧର୍ମାନ୍ତରୀକରଣକୁ ଜୋରଦାର ବିରୋଧ କରୁଥିଲେ, ଯାହା ଦ୍ୱାରା ଖ୍ରୀଷ୍ଟିଆନ ସୋସାଇଟି ଓ ଅନ୍ୟମାନେ ପ୍ରଭାବିତ ହେଉଥିଲେ।

୨୦୦୭ ମସିହାରେ ସ୍ୱାମୀଜୀଙ୍କ ରଥଯାତ୍ରା ସମୟରେ ପ୍ରଥମେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ତାଙ୍କୁ ଟାର୍ଗେଟ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୦୮ ରାମନବମୀ ଦିନ ଆଶ୍ରମରେ ପଶି ସ୍ୱାମୀଜୀ ଓ ତାଙ୍କର ତିନିଜଣ ବଡ଼ିଗାର୍ଡଙ୍କୁ ହତ୍ୟା କରାଗଲା, ଯାହା ପରେ ସେଠାରେ ବ୍ୟାପକ ଦଙ୍ଗା ଓ ପୋଡ଼ାଜଳା ହୋଇଥିଲା। ତଦନ୍ତ ପ୍ରକ୍ରିୟା ଚାଲିଥିବା ସମୟରେ ନକ୍ସଲ ମୁଭମେଣ୍ଟ ବା ମାଓବାଦୀ ସଂଗଠନର ଭୂମିକାକୁ ନେଇ କମିଶନ ଅନେକ ତଥ୍ୟ ପାଇଥିଲେ।

ଜଷ୍ଟିସ ନାଇଡୁ ଆଶା ପ୍ରକଟ କରିଛନ୍ତି ଯେ ଠିକ୍ ଭାବେ ଖୋଜିଲେ ଫାଇଲ୍‌ଟି ନିଶ୍ଚିତ ମିଳିଯିବ। କାରଣ ଏହି ରିପୋର୍ଟ ଯଦି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥାଏ, ତେବେ ଏହାକୁ ପୁଣିଥରେ ଲେଖିବା ଆଉ ସମ୍ଭବ ହେବନାହିଁ।