FeaturedGeneralLatest

କୋଲକାତାରେ ପୋଡିଗଲା ୪ ହଜାର ଇଭିଏମ, ନିର୍ବାଚନ ସ୍ବଚ୍ଛତା ଉପରେ ପ୍ରଶ୍ନଚିହ୍ନ

କୋଲକାତା(ସଂକେତ ଟିଭି): ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ଏକ ସରକାରୀ ବିଲ୍ଡିଂରେ ଲାଗିଥିବା ନିଆଁ ପ୍ରଶାସନ ଓ ନିର୍ବାଚନ ବ୍ୟବସ୍ଥା ଉଭୟ ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏହି ଅଗ୍ନିକାଣ୍ଡରେ ପାଖାପାଖି ୪ ହଜାର ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ) ପୋଡ଼ି ପାଉଁଶ ହୋଇଯାଇଛି। ରାଜ୍ୟ ଦମକଳ ଓ ଜରୁରିକାଳୀନ ସେବା ମନ୍ତ୍ରୀ କୌଶିକ ଚୌଧୁରୀ ଶୁକ୍ରବାର ଘଟଣାର ପୁଷ୍ଟି କରିଛନ୍ତି।

ଏହି ଅଗ୍ନିକାଣ୍ଡ ଦକ୍ଷିଣ କୋଲକାତାର ଅଲିପୁର ଅଞ୍ଚଳରେ ଥିବା ଏକ ସରକାରୀ ଭବନରେ ହୋଇଛି। ଅଗ୍ନିକାଣ୍ଡ ପରେ ନିର୍ବାଚନୀ ସୁରକ୍ଷା, ସରକାରୀ ରେକର୍ଡ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନିଆଁରେ ଜଳି ନଷ୍ଟ ହୋଇଯାଇଥିବା ଇଭିଏମଗୁଡ଼ିକ ନିକଟରେ ସମାପ୍ତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବ୍ୟବହାର ହୋଇଥିଲା। ଏହି ମେସିନଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଥିଲା, କାରଣ ଏଗୁଡ଼ିକୁ ରାଜ୍ୟର ୧୦ ଟି ଅଲଗା ଅଲଗା ବିଧାନସଭା ନିର୍ବାଚନମଣ୍ଡଳିରେ ଭୋଟ ଗ୍ରହଣ ପାଇଁ ବ୍ୟବହାର କରାଯାଇଥିଲା। ନିର୍ବାଚନ ସମାପ୍ତ ହେବା ପରେ ସେଗୁଡ଼ିକୁ ସରକାରୀ ଭବନରେ ସୁରକ୍ଷିତ ରଖାଯାଇଥିଲା।

ଘଟଣାର ଗୁରୁତ୍ୱକୁ ନଜରରେ ରଖି ରାଜ୍ୟ ଦମକଳ ବିଭାଗ ମନ୍ତ୍ରୀ କୌଶିକ ଚୌଧୁରୀ କହିଛନ୍ତି ଯେ ସେ ଏହାକୁ ସାଧାରଣ ଅଗ୍ନିକାଣ୍ଡ ବୋଲି ଭାବି ପାରୁନାହାନ୍ତି। ସେ କହିଛନ୍ତି ଯେ ନିଆଁ ଯେପରି ବ୍ୟାପିଲା ଓ ଯେଉଁଭଳି କ୍ଷୟକ୍ଷତି ହେଲା, ତାହା ଦେଖିଲେ କୌଣସି ସମ୍ଭାବିତ ଷଡ଼ଯନ୍ତ୍ର ବୋଲି ଅସ୍ୱୀକାର କରାଯାଇ ପାରିବ ନାହିଁ। ଏଣୁ ପୋଲିସ ଓ ଅନ୍ୟ ତଦନ୍ତାକାରୀ ଏଜେନ୍ସୀ ମାମଲାକୁ ଗୁରୁତ୍ୱ ସହ ଯାଞ୍ଚ କରୁଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଯେଉଁ ୯ ମହଲା କୋଠାରେ ନିଆଁ ଲାଗିଛି, ସେଠାରେ କେବଳ ନିର୍ବାଚନ ସମ୍ପର୍କିତ ସାମଗ୍ରୀ ନଥିଲା, ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ବିଭାଗ ମଧ୍ୟ କାର୍ଯ୍ୟ କରୁଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଭବନରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ଥିଲା। ଏଣୁ ପ୍ରଶାସନିକ ଦୃଷ୍ଟିରେ ଏହି ଭବନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଘଟଣାର ମମତା ବାନାର୍ଜୀଙ୍କ ନିର୍ବାଚନ ପରାଜୟ ସହିତ ସିଧାସଳଖ ସମ୍ପର୍କ ନାହିଁ। ତେବେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଗଡ଼ ଥିଲା। ଏଣୁ ଏପରି ସମ୍ବେଦନଶୀଳ ତଥା ରାଜନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ହଜାର ହଜାର ଇଭିଏମ ଜଳିଯିବା ରାଜନୈତିକ ଚର୍ଚ୍ଚାକୁ ଆଞ୍ଚ ଦେଇଛି।

ମନ୍ତ୍ରୀ କୌଶିକ ଚୌଧୁରୀ ପ୍ରାରମ୍ଭିକ ଯାଞ୍ଚ ଆଧାରରେ ନିଆଁ ଯେପରି ବ୍ୟାପିଲା, ତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ନିଆଁ ପ୍ରଥମେ ବିଲ୍ଡିଂର ତୃତୀୟ ମହଲାରେ ଲାଗିଥିଲା। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ନିଆଁ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ମହଲାରେ ବିଶେଷ କ୍ଷୟକ୍ଷତି ନକରି ସିଧା ସପ୍ତମ ଓ ଅଷ୍ଟମ ମହଲାକୁ ପହଞ୍ଚିଥିଲା, ଯେଉଁଠାରେ ଥିବା ସବୁ କିଛି ଜଳି ନଷ୍ଟ ହୋଇଯାଇଛି। ଘଟଣାର ତୁରନ୍ତ ପରେ ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି। ହିନ୍ଦୁସ୍ତାନ ଟାଇମସ୍ ମୁତାବକ, ମନ୍ତ୍ରୀ କୌଶିକ ଚୌଧୁରୀ କହିଛନ୍ତି ଯେ ଏହି ମାମଲାରେ ଅଧିକାରୀକ ଏଫଆଇଆର ରୁଜୁ କରାଯାଇଛି ଓ ପୋଲିସ ତଦନ୍ତ ଆରମ୍ଭ ହୋଇଯାଇଛି।