FeaturedLatestNewsPolitics

ଦୁଇ ବର୍ଷରେ ସମସ୍ତ କ୍ଷେତ୍ରରେ ବିଫଳ ଡବଲ ଇଞ୍ଜିନ ସରକାର : କଂଗ୍ରେସ

ଭୁବନେଶ୍ୱର (ସଂକେତ ଟିଭି): ଡବଲ ଇଞ୍ଜିନ ସରକାରର ସଫଳତାର କାହାଣୀ ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଓଡ଼ିଶାରେ ଦୁଇ ବର୍ଷରେ ତୃଣମୂଳ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଜନହିତକର ଯୋଜନାର ସଫଳ ରୂପାୟନର ହିସାବ ଦେଉଛି ଭାରତୀୟ ଜନତା ପାର୍ଟି ସରକାର।

ହେଲେ ସରକାରଙ୍କ ବିକାଶର ଧାରାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବିରୋଧୀ। ବିରୋଧୀଙ୍କ ଅଭିଯୋଗ, ଯୋଜନା ବଦଳାଇ ରଙ୍ଗ ମାରି ବିକାଶର ବିଜ୍ଞାପନ ଦେଲେ ବିକାଶ ହୁଏନାହିଁ। ପ୍ରମୁଖ ବିରୋଧୀ ବିଜେଡି, ବିଜେପି ସରକାରର ଶାସନ ବ୍ୟବସ୍ଥାର ବିଫଳତାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିବା ବେଳେ, ଆଜି (ଗୁରୁବାର) କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଦୁଇ ବର୍ଷର ବିଫଳତାକୁ ନେଇ ପଦ୍ମଦଳ ଏବଂ ମୋହନ ସରକାରଙ୍କୁ କଟୁ ସମାଲୋଚନା କରାଯାଇଛି।

ରାଜ୍ୟରେ ୦୨ ବର୍ଷରେ ସମସ୍ତ କ୍ଷେତ୍ରରେ ବିଫଳ ଡବଲ ଇଞ୍ଜିନ ସରକାର। ଗୁରୁବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ଏଭଳି ଅଭିଯୋଗ ଆଣିଛି କଂଗ୍ରେସ। ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନୀ ଇସ୍ତାହାରରେ ବହୁ ପ୍ରସଙ୍ଗ ରଖିଥିଲା ପଦ୍ମଦଳ, ହେଲେ ୦୨ ବର୍ଷ ପୂରିଯାଇଥିଲେ ବି ଏହା ପୂରଣ ହୋଇପାରିଲା ନାହିଁ। ଯାହା ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି।

ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ ଗୋଟିଏ ବି ପୂରଣ କରିପାରିନାହାନ୍ତି ରାଜ୍ୟ ସରକାର। ନାରୀ ନିର୍ଯାତନା ଏବଂ ଆଇନ ଶୃଙ୍ଖଳା ରାଜ୍ୟରେ ବିପର୍ଯ୍ୟସ୍ତ। ଜନତାଙ୍କୁ ଭତ୍ତା ଟଙ୍କା ଦେବାରେ ସରକାର ବିଫଳ। ବିକାଶ ନାଁରେ ବିନାଶ କରିଛନ୍ତି ସରକାର।

ଆଦିବାସୀ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରପତି ହୋଇଥିଲେ ବି ଆଦିବାସୀଙ୍କ ଉପରେ ଅତ୍ୟାଚାର ହୋଇଚାଲିଛି। ୦୨ ବର୍ଷରେ କେବଳ ଗେରୁଆ ରଙ୍ଗ ବୋଳିଚାଲିଛନ୍ତି ସରକାର।

ହଜାରର ହଜାର କୋଟି ଟଙ୍କା ଋଣ କରୁଛନ୍ତି ସରକାର। ମୁଣ୍ଡପିଛା ଋଣ ୩୦ ହଜାର ଟଙ୍କା ହୋଇଗଲାଣି। ପୁଞ୍ଜି ନିବେଶ ୧୫ ପ୍ରତିଶତ କମି ଗଲାଣି। ଏହାସହ ରାଜସ୍ବ ଆୟ ମଧ୍ୟ ୩.୫ ପ୍ରତିଶତ କମିଛି। ତଥ୍ୟ ଅନୁଯାୟୀ ଦୈନିକ ୧୮ରୁ ୨୦ ଜଣ ମହିଳାଙ୍କ ଉପରେ ସବୁଦିନ ଅତ୍ୟାଚାର ହେଉଛି।

୬୫ ହଜାର ବେକାରୀ ଯୁବକଙ୍କୁ ଚାକିରୀ ଦେବେ କହିଥିଲେ, କିନ୍ତୁ ୦୨ ବର୍ଷ ହେଲା କେତେ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର, ବୋଲି ପ୍ରଶ୍ନ କରିଛନ୍ତି, ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ନାୟକ।