FeaturedLatestNews

ମୁଖ୍ୟମନ୍ତ୍ରୀ କହିଲେ ବହି ତୃଟୀ ପଛରେ ବଡ ଷଡ଼ଯନ୍ତ୍ର, ବିରୋଧୀ ପଚାରିଲେ ଷଡ଼ଯନ୍ତ୍ରକାରୀ କିଏ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ତ୍ରୁଟି ଚିହ୍ନଟ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଏହାକୁ ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଉଦ୍ଦିଷ୍ଟ ଏକ ବଡ଼ ଷଡ଼ଯନ୍ତ୍ର ବୋଲି ସନ୍ଦେହ ପ୍ରକାଶ କରିବା ସହ ଏହାର ଟିକିନିଖି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏକ ଇଂରାଜୀ ଖବରକାଗଜ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି। ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ କମିଟି ନିର୍ଦ୍ଧାରିତ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ରିପୋର୍ଟ ଦାଖଲ କରିସାରିଛି। ପୂର୍ବରୁ ମଧ୍ୟ ପାଠ୍ୟପୁସ୍ତକରେ ତ୍ରୁଟି ଦେଖାଯାଇଥିଲେ ମଧ୍ୟ ଏଥର ତ୍ରୁଟିର ପରିମାଣ ଅସ୍ୱାଭାବିକ ଭାବେ ଅଧିକ ଥିବାରୁ ଏହା ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ବୋଲି ସେ ମତ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ଦାୟୀ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଷଡ଼ଯନ୍ତ୍ର ପ୍ରମାଣିତ ହୁଏ, ତେବେ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକର ପୁନଃ ମୁଦ୍ରଣ ଖର୍ଚ୍ଚ ଦୋଷୀମାନଙ୍କଠାରୁ ଆଦାୟ କରାଯିବ। ଏହାସହ ଭବିଷ୍ୟତରେ ଏଭଳି ତ୍ରୁଟିର ପୁନରାବୃତ୍ତି ରୋକିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ବୋଲି ସେ କହିଛନ୍ତି।

ସେପଟେ, ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକ ତୁରନ୍ତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପୁସ୍ତକ ବଦଳରେ ପିଲାମାନଙ୍କୁ ତୁରନ୍ତ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବ ବୋଲି କୁହାଯାଇଛି।

ଏହି ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଦାସ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ସ୍ୱାଗତ କରିବା ସହ ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ଷଡ଼ଯନ୍ତ୍ର ହୋଇଛି ତେବେ ଷଡ଼ଯନ୍ତ୍ରକାରୀ କିଏ? ଭୁଲ୍ ଛପାଇଲା କିଏ? ଏବେ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମୁଖ୍ୟମନ୍ତ୍ରୀ ଅସହାୟ ହୋଇପଡ଼ିଛନ୍ତି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭୁଲ୍ ସ୍ୱୀକାର କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇ ଭକ୍ତ ଦାସ କେଉଁ ଅଫିସର ଭୁଲ୍ କରିଛନ୍ତି ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି। ଭୁଲ୍ ବହି ପ୍ରିଣ୍ଟ କରିଥିବା ବ୍ୟକ୍ତି ଓ SCERT ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି।

ସେହିପରି ବିଜେଡି ବିଧାୟକ ସାରଦା ଜେନା ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ମର୍ମାହତ କରିଥିବା ଦାବି କରିଛନ୍ତି। ସେ କହିଛନ୍ତି ଯେ, ଚାଲି ନ ଜାଣି ବାଟର ଦୋଷ ଦେବା ଠିକ୍ ନୁହେଁ। ଷଡ଼ଯନ୍ତ୍ର ଥିଲେ ତାହାକୁ ବାହାରକୁ ଆଣନ୍ତୁ, କେବଳ କହିଲେ ହେବନି। ନିଜ ଦାୟିତ୍ୱରୁ ଖସିବା ପାଇଁ ଅନ୍ୟ ଉପରେ ଦୋଷ ଲଦିବା ଠିକ୍ ନୁହେଁ ବୋଲି ସେ ମତ ଦେଇଛନ୍ତି। ୨୪ ମାସର ସରକାର ୨୪ ବର୍ଷର ପୂର୍ବ ସରକାରଙ୍କୁ ଦୋଷ ଦେଉଥିବା ନେଇ ବ୍ୟଙ୍ଗ କରିବା ସହ ତ୍ରୁଟି କିଏ କଲା, ଛପା ଦାୟିତ୍ୱ କିଏ ନେଲା, ମନ୍ତ୍ରୀ ଓ ଅଫିସରମାନେ କ’ଣ ଦାୟିତ୍ୱ ନେଲେ ଏବଂ କାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ତାହା ପ୍ରଥମେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହି ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।

Leave a Reply

Your email address will not be published. Required fields are marked *