FeaturedLatestNews

୩୫ରୁ ଅଧିକ ପିଏସି ଓ ୧୦ ଷ୍ଟାଣ୍ଡିଂ କମିଟି ଗଠନ କଲେ ବାଚସ୍ପତି

ଭୁବନେଶ୍ୱର (ସଂକେତ ଟିଭି): ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠନ କରିଛନ୍ତି ବାଚସ୍ପତି। ଏଥିରେ ୩୫ରୁ ଅଧିକ ପିଏସି କମିଟି ଏବଂ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ବିଧାନସଭାର କାର୍ଯ୍ୟ ପରିଚାଳନା, ସରକାରୀ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା, ବଜେଟ୍ ବ୍ୟୟ ଏବଂ ଲୋକଧନର ସଠିକ୍ ଉପଯୋଗ ଉପରେ ନଜର ରଖିବା ପାଇଁ ଏହି କମିଟିଗୁଡ଼ିକ ଗଠନ କରାଯାଇଛି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ଏକାଧିକ ବିଜ୍ଞପ୍ତି ପ୍ରକାଶ ପାଇଛି।

ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପିଏସି କମିଟିର ଅଧ୍ୟକ୍ଷ ଭାବରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି କମିଟିରେ ରାମ ଚନ୍ଦ୍ର କାଡାମ, ଅରୁଣ ସାହୁ, ଗଣେଶ୍ୱର ବେହେରା, ସନାତନ ବିଜୁଳିଙ୍କ ସମେତ ୧୧ ଜଣ ବିଧାୟକ ସଦସ୍ୟ ଭାବରେ ରହିଛନ୍ତି। ସେହିପରି ପ୍ରିଭିଲେଜ କମିଟିର ଅଧ୍ୟକ୍ଷ ଭାବେ ଜୟନାରାୟଣ ମିଶ୍ର ରହିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏହାର ସଦସ୍ୟ ଭାବରେ ଅଛନ୍ତି।

ସେହିଭଳି ବାଚସ୍ପତି ୧୦ଟି ଷ୍ଟାଣ୍ଡିଙ୍ଗ କମିଟି ଘୋଷଣା କରିଛନ୍ତି। ଷ୍ଟାଣ୍ଡିଂ କମିଟି ୧ର ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ର, କମିଟି ୨ର ଅଧ୍ୟକ୍ଷ ସନ୍ତୋଷ ଖଟୁଆ, କମିଟି ୩ର ଅଧ୍ୟକ୍ଷ ବାବୁ ସିଂ, କମିଟି ୫ର ବିଭୁତି ପ୍ରଧାନ, କମିଟି ୬ର ରାମ ଚନ୍ଦ୍ର କାଡାମ ଏବଂ କମିଟି ୯ର ସନାତନ ବିଜୁଳି ଅଧ୍ୟକ୍ଷ ଭାବରେ ରହିଛନ୍ତି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପୁନର୍ବାର ୨୦୨୬-୨୭ ବର୍ଷ ପାଇଁ ଷ୍ଟାଣ୍ଡିଂ କମିଟି ୧୦ର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏହାବ୍ୟତୀତ ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ଭାବେ ଆକାଶ ଦାସ ନାୟକ ମନୋନୀତ ହୋଇଥିବା ବେଳେ ଏହାର ସଦସ୍ୟ ଭାବରେ ୧୧ ଜଣ ନିଲମ୍ବିତ ବିଧାୟକ ସ୍ଥାନ ପାଇଛନ୍ତି।