ନବନିଯୁକ୍ତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଅପରାଧିକ ମାମଲାରେ ଅଟକ ରହିଥିବା ନବନିଯୁକ୍ତ ସରକାରୀ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଶନିବାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନୂଆ କରି ନିଯୁକ୍ତି ପାଇଥିବା OT&AS (Odisha Taxation & Accounts Service) ଅଧିକାରୀ ଭୀମସେନ ଟୁଡୁଙ୍କୁ ସରକାରୀ ସେବାରୁ ବହିଷ୍କାର କରିଦିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ନୂଆ OTAS ପାଇଥିବା ଶ୍ରୀ ଟୁଡୁ ତାଙ୍କ ଇଣ୍ଡକ୍ସନ୍ ଟ୍ରେନିଂ ସମୟରେ ୨୦୨୬ ଜୁନ୍ ୪ ତାରିଖଠାରୁ ଅନୁପସ୍ଥିତ ଥିଲେ। ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ (MDRAFM)ରେ ତାଙ୍କ ଶେଷ ପରୀକ୍ଷାରେ ମଧ୍ୟ ସେ ଯୋଗ ଦେଇନଥିଲେ।
ଏହି ସମୟରେ ସେ ଏକ ମୃତ୍ୟୁ ମାମଲାରେ ବାରଙ୍ଗ ପୋଲିସ ଦ୍ୱାରା ଗିରଫ ହୋଇଥିଲେ ଏବଂ ତାଙ୍କୁ ଜୁଡିସିଆଲ୍ କଷ୍ଟୋଡିକୁ ପଠାଯାଇଛି। ଅପରାଧିକ ମାମଲାରେ ୪୮ ଘଣ୍ଟାରୁ ଅଧିକ ସମୟ ଧରି ପୋଲିସ ଅଟକରେ ଥିବାରୁ ଆଇନ ଅନୁଯାୟୀ ପଦକ୍ଷେପ ନେଇ ତାଙ୍କୁ ସିଧାସଳଖ ଚାକିରିରୁ ବରଖାସ୍ତ କରାଯାଇଛି।
ଭବିଷ୍ୟତରେ ଶ୍ରୀ ଟୁଡୁ ଆଉ କୌଣସି ସରକାରୀ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଏହି ଦୃଢ ନିଷ୍ପତ୍ତି ପ୍ରଶାସନିକ ସ୍ୱଚ୍ଛତା ଓ ଶୃଙ୍ଖଳା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି।
