ଜୁନ ମାସରେ ୪୬% କମ ମୌସୁମୀ ବର୍ଷା, ଚାଷୀଙ୍କ ଚିନ୍ତା ବଢ଼ାଇଲା ଏଲନିନୋ
ଭୁବନେଶ୍ୱର (ସଂକେତ ଟିଭି): ଚଳିତ ମୌସୁମୀ ଋତୁରେ ସ୍ୱାଭାବିକଠାରୁ ବହୁତ କମ ବର୍ଷା ହେବା ସାରା ରାଜ୍ୟରେ ଚିନ୍ତା ସୃଷ୍ଟି କରିଛି। ବିଶେଷକରି ଚାଷୀମାନେ ଏହି ପରିସ୍ଥିତିକୁ ନେଇ ସବୁଠାରୁ ଅଧିକ ଉଦ୍ବିଗ୍ନ ରହିଛନ୍ତି। ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ବର୍ଷା ୨୦୯ ମିଲିମିଟର ହେବାର ଥିଲା, କିନ୍ତୁ ମାତ୍ର ୧୧୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ସ୍ୱାଭାବିକ ବର୍ଷାଠାରୁ ୪୬ ପ୍ରତିଶତ କମ୍ ରହିଛି, ଯାହା ଫସଲ ପାଇଁ ବଡ଼ ଧମକ ସାଜିଛି।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ଏଲନିନୋ ପ୍ରଭାବ ଯୋଗୁଁ ଜୁନ ମାସରେ ବର୍ଷା କମ୍ ହୋଇଛି। ତେବେ ଜୁଲାଇ ମାସରେ ଯଦି ଭଲ ବର୍ଷା ହୁଏ, ତେବେ ଏହି ନ୍ୟୂନତା ଭରଣା ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। କିନ୍ତୁ ଏଥିପାଇଁ ଆଗାମୀ ଦିନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ହୋଇ ରହିଛି।
ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୃଷି ବିଜ୍ଞାନୀ ତୁଷାର ରଞ୍ଜନ ମହାନ୍ତି କହିଛନ୍ତି ଯେ, ଜୁନ ମାସରେ ସାରା ରାଜ୍ୟରେ ପ୍ରାୟ ୫୦ ପ୍ରତିଶତ କମ ବର୍ଷା ହୋଇଛି। ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ୨୮ ଟି ଜିଲ୍ଲାରେ ନ୍ୟୂନ ବର୍ଷା ରେକର୍ଡ ହୋଇଛି। ଏହି ପରିସ୍ଥିତି ଜୁନ ପରବର୍ତ୍ତୀ ସମୟରେ ଆରମ୍ଭ ହେବାକୁ ଥିବା ଚାଷ କାର୍ଯ୍ୟକୁ ବିଳମ୍ବିତ କରୁଛି, ଯାହାକୁ ନେଇ ଚାଷୀମାନେ ଗଭୀର ଚିନ୍ତାରେ ରହିଛନ୍ତି।
ଏହି ପରିପ୍ରେକ୍ଷୀରେ ପାଣିପାଗ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସତର୍କ କରାଯାଇଛି। ବର୍ଷାର ସ୍ଥିତି ଦେଖି ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି। ମାଟିର ପ୍ରକାର ଓ ଆର୍ଦ୍ରତା ଅନୁଯାୟୀ କେଉଁ ଫସଲ କରିହେବ, ସେନେଇ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ଓ ଅଗଷ୍ଟରେ ଲଘୁଚାପ ପ୍ରଭାବରେ ଭଲ ବର୍ଷା ହେବାର ସମ୍ଭାବନା ଥିବାରୁ, ଚାଷୀମାନଙ୍କୁ ଜଳ ସଂରକ୍ଷଣ ସହିତ ସତର୍କତା ଓ ସଚେତନତା ଅବଲମ୍ବନ କରି ଚାଷ କରିବାକୁ ନିର୍ଦ୍ଦେଶନାମା ଦିଆଯାଇଛି।
