FeaturedLatestNews

ଏଫସିଆଇ ଉଠାଉ ନାହିଁ ଚାଉଳ, ଚିନ୍ତାରେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ଏଫସିଆଇର ଚାଉଳ ଉଠାଣ ସମସ୍ୟା ନେଇ ଏବେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଏଫସିଆଇ ନିର୍ଦ୍ଧାରିତ ପରିମାଣର ଚାଉଳ ଉଠାଉ ନଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବୃଦ୍ଧି ପାଇଛି। କାରଣ ଯଦି ମିଲ୍ ଗୁଡ଼ିକ ଖାଲି ନହୁଏ, ତେବେ ଆଗାମୀ ଖରିଫ୍ ଧାନ କିଣା କାର୍ଯ୍ୟ କିପରି ସମ୍ପନ୍ନ ହେବ, ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପୂର୍ବତନ ବର୍ଷଗୁଡ଼ିକରେ କମ୍ ଚାଷ ହେଉଥିବା ବେଳେ ଏବର୍ଷ ଧାନ ଚାଷ ଯଥେଷ୍ଟ ବୃଦ୍ଧି ପାଇଛି। ସରକାର ଧାନ ପ୍ରତି କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ଦେଉଥିବାରୁ ଚାଷୀମାନଙ୍କ ମଧ୍ୟରେ ବିକ୍ରି ପ୍ରତି ଆଗ୍ରହ ମଧ୍ୟ ବହୁଗୁଣିତ ହୋଇଛି। ଏହି ପରିପ୍ରେକ୍ଷୀରେ, ଏଫସିଆଇ ଠାରୁ ଚାଉଳ ଉଠାଣ ନେଇ କେନ୍ଦ୍ର ସରକାରଙ୍କ ସହ ପ୍ରତିଦିନ ଆଲୋଚନା ଜାରି ରହିଛି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ବଳସାମନ୍ତ ସ୍ପଷ୍ଟ କରିଛନ୍ତି। ଏହି ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସେପଟେ, ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ “ଏଫସିଆଇ ଚାଉଳ ଉଠାଉନି” ମନ୍ତବ୍ୟକୁ ନେଇ ରାଜନୈତିକ ତାପମାତ୍ରା ଚରମ ସୀମାରେ ପହଞ୍ଚିଛି। କେନ୍ଦ୍ରରେ ନିଜ ଦଳ ବିଜେପିର ସରକାର ଥାଉ ଥାଉ ଯୋଗାଣ ମନ୍ତ୍ରୀଙ୍କ ଏହି “ଅସହାୟତା”କୁ ବିରୋଧୀ ଦଳମାନେ ଲକ୍ଷ୍ୟ କରିଛନ୍ତି। ଯୋଗାଣ ନିଗମର ୪୭ତମ ବାର୍ଷିକ ଉତ୍ସବରେ ଏଫସିଆଇର ପ୍ରତିନିଧିଙ୍କ ସାମ୍ନାରେ ଏକ ଭରା ସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତୀବ୍ର କ୍ଷୋଭ ପ୍ରକାଶ କରି କହିଥିଲେ, “ଏଫସିଆଇ ବେଳେବେଳେ ଆମକୁ ଧପେଇ ଦେଉଛି। ମୁଁ ବାରମ୍ବାର ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟୁଛି, ତଥାପି ଚାଉଳ ଉଠାଣ ହେଉନାହିଁ।”

“କାହିଁକି ଅନ୍ୟ ରାଜ୍ୟମାନଙ୍କ ପ୍ରତି ଏଫସିଆଇର ଦରଦ ବଢ଼ୁଛି, ହେଲେ ଓଡ଼ିଶା ପ୍ରତି ଏଭଳି ଉଦାସୀନ ମନୋଭାବ?” ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ। କେନ୍ଦ୍ର ଓ ରାଜ୍ୟ ଉଭୟସ୍ଥଳରେ ବିଜେପି ସରକାର ଥାଇ ମଧ୍ୟ ଯୋଗାଣ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ବିରୋଧୀମାନେ ଗଣ୍ଠି କରି ନେଇଛନ୍ତି। ଏହା ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଯୋଗାଣ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଉଥରେ ଏକ ଉଚ୍ଚସ୍ତରୀୟ ଟିମ୍ ନେଇ କେନ୍ଦ୍ର ସହ ଆଲୋଚନା କରିବାକୁ ପଡ଼ିବ, କାରଣ ଚାଉଳ ନଉଠିଲେ ଆସନ୍ତା ଖରିଫ୍ ଧାନ କିଣା କାର୍ଯ୍ୟ ଗୁରୁତର ଅସୁବିଧାର ସମ୍ମୁଖୀନ ହେବ।

ଏହି ଘଟଣାକୁ ନେଇ ବିରୋଧୀମାନେ ତୀବ୍ର ଆକ୍ରମଣ କରିଛନ୍ତି। ବିଜେଡି ଦଳ କହିଛି ଯେ, “ଆମେ ପୂର୍ବରୁ ଯାହା ଅଭିଯୋଗ କରୁଥିଲୁ, ତାହାକୁ ଏବେ ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ୭ ଥର ଭେଟିବା ପରେ ମଧ୍ୟ କେନ୍ଦ୍ର ସରକାର ରାଜ୍ୟର କଥା ଶୁଣୁନାହାନ୍ତି।” ବିଜେଡି ଏହି ଗମ୍ଭୀର ବିଷୟକୁ ଓଡ଼ିଶା ବିଧାନସଭାରେ ଉଠାଇବାକୁ ମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛି।

ସେହିପରି କଂଗ୍ରେସ ଦଳ କହିଛି, “ବର୍ତ୍ତମାନ ‘ଡବଲ ଇଞ୍ଜିନ’ ସରକାର ଥାଇ ମଧ୍ୟ ଲୋକଙ୍କ କାମ ହେଉନାହିଁ, ଏହା ଯୋଗାଣ ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ। ଆଗକୁ ଖରିଫ୍ ଧାନ ସଂଗ୍ରହ କରିବାକୁ ଅଛି, ଯଦି ଏଫସିଆଇ ବର୍ତ୍ତମାନ ଚାଉଳ ଉଠାଇବ ନାହିଁ, ତେବେ ସେତେବେଳେ ଧାନ କିପରି ସଂଗ୍ରହ କରାଯିବ?” ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିଜେ ସାମ୍ନାକୁ ଆସି ବିରୋଧୀଙ୍କୁ ପାଲଟା ଜବାବ ଦେଇଛନ୍ତି। ସେ କହିଛନ୍ତି, “ଯେଉଁ ଚାଉଳ ଉଠାଇବାକୁ ଟାର୍ଗେଟ୍ ରହିଛି, ଏଫସିଆଇ ଧୀରେ ଧୀରେ ତାହା ଉଠାଇ ନେବ। ଏତେ ବର୍ଷ ଶାସନ କରି ମଧ୍ୟ ବିଜେଡି ସରକାର ଚାଷୀଙ୍କୁ ୧୦୦ ଟଙ୍କା ଦେଇ ପାରିନଥିଲେ। ଗରିବ ଚାଷୀଙ୍କ ପାଇଁ ମୋହନ ସରକାର କାମ କରୁଛନ୍ତି, ଯାହା ବିରୋଧୀଙ୍କୁ ସହ୍ୟ ହେଉନାହିଁ।”

ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ମାସ ଶେଷ ସୁଦ୍ଧା ଏଫସିଆଇ ୧୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବା ଲକ୍ଷ୍ୟ ରଖିଥିବା ବେଳେ, ଏପର୍ଯ୍ୟନ୍ତ ମାତ୍ର ୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଯାଇପାରିଛି। ଏହା ଆଗାମୀ ଖରିଫ୍ ଧାନ ଉଠାଣ ସମୟରେ ଏକ ଗୁରୁତର ପ୍ରତିବନ୍ଧକ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।