ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଜି ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏକ ଶୋଭାଯାତ୍ରାରେ ଆସି ସେ ଓଡିଶା ବିଧାନସଭାର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ତାଙ୍କର ନାମାଙ୍କନ ଫର୍ମ ଜମା ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀ ଓ ବିଜେପି ବିଧାୟକମାନେ ଉପସ୍ଥିତ ଥିଲେ।
ନାମାଙ୍କନ ଦାଖଲ ପୂର୍ବରୁ ଦେବାଶିଷ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ସେଠାରୁ ରାମ ମନ୍ଦିରରେ ପୂଜା କରିଥିଲେ। ସେ ମୋଟ ୩ ସେଟ୍ ନାମାଙ୍କନ ଫର୍ମ ଦାଖଲ କରିଛନ୍ତି, ଯେଉଁଥିରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ପ୍ରସ୍ତାବକ ଭାବେ ରହିଛନ୍ତି। ଏହାପରେ ପ୍ରତିକ୍ରିୟା ରଖି ଦେବାଶିଷ କହିଛନ୍ତି ଯେ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ, ତାହା ନିଷ୍ଠାର ସହିତ ନିର୍ବାହ କରିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବିଜେଡି ପ୍ରତି ବିସ୍ଫୋରକ ମନ୍ତବ୍ୟ ଦେଇ ଦେବାଶିଷ କହିଛନ୍ତି ଯେ ଆଗାମୀ ଦିନରେ ବିଜେଡିର ଭାଡ଼ି ଖାଲି ହେବ ଏବଂ ଅନେକ ନେତା ବିଜେପିରେ ସାମିଲ ହେବେ। ଡବଲ ଇଞ୍ଜିନ ସରକାର ଥିବାରୁ ଲୋକଙ୍କ ସେବା କରିବାର ଅଧିକ ସୁଯୋଗ ରହିଛି ବୋଲି ସେ ମତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ସଂଖ୍ୟା ଦୃଷ୍ଟିରୁ ସେ ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହେବେ। ଆସନ୍ତା ୧୮ ଜୁନରେ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଦେବାଶିଷ ଗତ ୨୫ ମେ’ରେ ବିଜେଡିରୁ ଇସ୍ତଫା ଦେଇ ୨୬ ମେ’ରେ ବିଜେପିରେ ଯୋଗ ଦେଇଥିଲେ।
