ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ
କଟକ (ସଂକେତ ଟିଭି): ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଛି। ଘରୋଇ ବସ୍ ମାଲିକ ସଂଘ ଏହି ଧର୍ମଘଟ ସ୍ଥଗିତ ରଖିଛି।
ବସ୍ ଭଡ଼ା ବୃଦ୍ଧି ନେଇ ଆଜି କଟକରେ ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ ହୋଇଛି। ଏନେଇ ରାଜ୍ୟ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଆଶାବାଦୀ ଅଛି। ତେଣୁ ଆସନ୍ତା ୩୦ ତାରିଖ ଯାଏଁ ବସ୍ ଧର୍ମଘଟକୁ ଟାଳି ଦିଆଯାଉଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି ଲାଗି ବିଗତ ଅନେକ ବର୍ଷ ହେଲା ଘରୋଇ ବସ୍ ମାଲିକ ସଂଘ ଦାବି କରି ଆସୁଛି। ତେବେ କେବଳ ତୈଳ ଦର ବଢ଼ିଲେ ବସ୍ ଭଡ଼ା ବଢ଼ୁଛି, ମାତ୍ର ଭଡ଼ା ନିର୍ଦ୍ଧାରଣ ଲାଗି ଯେଉଁ ୧୪ଟି ପାରାମିଟର ରହିଛି, ସେ ବାବଦରେ କେବେ ନିଷ୍ପତ୍ତି ହେଉନାହିଁ। ଯାହାକୁ ନେଇ ବସ୍ ମାଲିକ ସଙ୍ଘ ଧର୍ମଘଟର ଚେତାବନୀ ଦେଇଥିଲା।
ତେବେ ଶୁକ୍ରବାର କଟକରେ ପରିବହନ ଆୟୁକ୍ତଙ୍କ ସହ ବୈଠକ ପରେ ଏକ ସମାଧାନର ସୂତ୍ର ବାହାରିଛି। ସଂଘ ଆଶା କରୁଛି ଯେ, ସରକାର ଶୀଘ୍ର ସମସ୍ତ ୧୪ଟି ପାରାମିଟରକୁ ବିଚାରକୁ ନେଇ ଭଡ଼ା ବୃଦ୍ଧିର ନିଷ୍ପତ୍ତି ନେବେ।
