ଆସନ୍ତା ବର୍ଷରୁ ନୂଆ ବହିରେ ରହିବନି ଭୁଲ୍ : ଏସସିଇଆରଟି ନିର୍ଦ୍ଦେଶିକା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟି ନେଇ SCERT ନିର୍ଦ୍ଦେଶିକା ଶ୍ରୀମତୀ ଅରୁନ୍ଧତୀ ସାହୁ ଗୁରୁବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଏଥର ଭୁଲ୍ ହୋଇଯାଇଥିବା କଥା ସ୍ୱୀକାର କରି ସେ କହିଛନ୍ତି ଯେ, ଆସନ୍ତା ଶିକ୍ଷା ବର୍ଷ (୨୦୨୭-୨୮)ରୁ ନୂଆ ବହି ଛପା ହେଲେ ଆଉ ଏଭଳି ତ୍ରୁଟି ରହିବ ନାହିଁ। ଏ ସମ୍ପର୍କରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କୁ ଚିଠି ମାଧ୍ୟମରେ ସୂଚିତ କରାଯାଇସାରିଛି।
ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ କିପରି ସଂଶୋଧନ କରାଯିବ, ସେନେଇ ନିର୍ଦ୍ଦେଶିକା ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଛୋଟ ପିଲାମାନଙ୍କ ବହିରେ ଶିକ୍ଷକମାନେ ନିଜେ ତ୍ରୁଟି ସଂଶୋଧନ କରିବେ। ସେହିପରି ବଡ଼ ପିଲାମାନେ ଶିକ୍ଷକଙ୍କ ସହାୟତାରେ ନିଜ ବହିରେ ଭୁଲଗୁଡ଼ିକୁ ସଂଶୋଧନ କରିବେ ବୋଲି କୁହାଯାଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ଏବର୍ଷ ପିଲାମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି SCERT ପକ୍ଷରୁ ଆଶ୍ୱସ୍ତି ଦିଆଯାଇଛି।
ଏହି ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗକୁ ଗୁରୁତର ଭାବରେ ବିଚାର କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନଠାରେ ଏକ ଜରୁରୀ ବୈଠକ ଡାକିଥିଲେ। ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ତ୍ରୁଟି ପାଇଁ କେଉଁ ଅଧିକାରୀ କିମ୍ବା ସଂସ୍ଥା ଦାୟୀ, ତାହା ନିର୍ଣ୍ଣୟ କରିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିକୁ ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, କମିଟିର ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ଗମ୍ଭୀର ବିଷୟରେ କୌଣସି ପ୍ରକାର ଅବହେଳା ସହ୍ୟ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ରାଜ୍ୟ ସରକାର ପାଠ୍ୟପୁସ୍ତକର ଗୁଣବତ୍ତା ପ୍ରତି ଅତ୍ୟନ୍ତ ସଚେତନ ଏବଂ ଭବିଷ୍ୟତରେ ଏଭଳି ତ୍ରୁଟି ନ ଘଟିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
