FeaturedLatestNews

ଓମଫେଡ୍ କ୍ଷୀରରେ ପ୍ରତି ଲିଟର ୪ ଟଙ୍କା ବୃଦ୍ଧି

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ଓମଫେଡ୍ କ୍ଷୀର ଦର ବୃଦ୍ଧି କରିଛି। ଟୋନ୍ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇ ୫୦ ଟଙ୍କାରୁ ୫୪ ଟଙ୍କା ହୋଇଛି। ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇ ୫୪ ଟଙ୍କାରୁ ୫୮ ଟଙ୍କା ହୋଇଛି। ଆଜିଠାରୁ ରାଜ୍ୟରେ ଓମ୍ଫେଡ୍ର ନୂଆ ଦର ଲାଗୁ ହୋଇଛି।

ଗୋଲ୍ଡ ପ୍ରିମିୟର ପ୍ଲସ୍ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇ ୬୦ ଟଙ୍କାରୁ ୬୪ ଟଙ୍କା ହୋଇଛି। ଗୋଲ୍ଡ ପ୍ରିମିୟର ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇ ୫୬ ଟଙ୍କାରୁ ୬୦ ଟଙ୍କା ହୋଇଛି। ଅର୍ଥାତ୍ ଗୋଟିଏ ୫୦୦ ମି.ଲି. ପ୍ୟାକେଟ୍ ଉପରେ ୨ ଟଙ୍କା ବୃଦ୍ଧି ହୋଇଛି।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, “ବହୁତ ଦିନ ଧରି ଦର ବୃଦ୍ଧି ହୋଇନଥିଲା। ଚାଷୀଙ୍କ ହିତ ପାଇଁ ଅଧିକ ଦାମରେ ଆମେ କ୍ରୟ କରିବୁ। ବର୍ତ୍ତମାନ ପ୍ରକ୍ରିୟାକରଣ ଓ ପରିବହନ ଖର୍ଚ୍ଚ ବଢ଼ିଥିବାରୁ ଦର ବୃଦ୍ଧି କରାଯାଇଛି। ଅନ୍ୟ ବ୍ରାଣ୍ଡେଡ୍ ସଂସ୍ଥା ଠାରୁ ଓମ୍ଫେଡ୍ ଦର ଯଥେଷ୍ଟ କମ୍। ଆଭେରେଜ୍ ଦେଖିଲେ ଅଧା ଲିଟର ପିଛା ପ୍ରାୟ ୨ ଟଙ୍କା ବଢ଼ିଛି, କିନ୍ତୁ ଗୁଣବତ୍ତାରେ କମ୍ପ୍ରମାଇଜ୍ କରାଯାଇନାହିଁ। ଚାଷୀ ଏହାଦ୍ୱାରା ଲାଭବାନ ହେବେ।”

ଓମଫେଡ୍ କ୍ଷୀର ଦର ବୃଦ୍ଧି ପରେ ଏବେ ଅନ୍ୟ ଉତ୍ପାଦ ଯଥା ପନିର, ଦହି, ଘିଅର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ବ୍ୟବସାୟୀ ଓ ଦୋକାନୀମାନେ ଏନେଇ ଆଶଙ୍କା କରିଛନ୍ତି। ଅନେକ ମନ୍ଦିରରେ ଓମଫେଡ୍ ଘିଅକୁ ଅନୁମତି ଦିଆଯାଇଛି। ତେଣୁ ଖାଦ୍ୟଠାରୁ ଆରମ୍ଭ କରି ମନ୍ଦିର ଯାଏଁ ମହଙ୍ଗା ମାଡ଼ ହେବ।

ଗ୍ୟାସ୍ ସଙ୍କଟ ଯୋଗୁଁ ଚା’ ଦୋକାନରେ ମଧ୍ୟ ଚଡ଼କ ଦେଖାଦେଇଛି। କପେ ଚା’ର ମୂଲ୍ୟ ୫ରୁ ୧୦ ଟଙ୍କା ହୋଇଛି। ଏପରି ସ୍ଥିତିରେ କ୍ଷୀର ମୂଲ୍ୟ ବଢ଼ିଲେ ଚା’ ମୂଲ୍ୟ ବଢ଼ିବା ନିଶ୍ଚିତ ବୋଲି ଆଶଙ୍କା କରାଯାଉଛି।

ପୂର୍ବରୁ ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଲିଟର ପିଛା ୧ ଟଙ୍କା ଅଧିକ ଦେବାକୁ ଓମ୍ଫେଡ୍ ନିଷ୍ପତ୍ତି ନେଇଥିଲା। ଚାଷୀଙ୍କ ଚାହିଦା ବୃଦ୍ଧି, ଖାଦ୍ୟ, ଚାରା, ଔଷଧ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ଲିଟର ପିଛା ଦୁଗ୍ଧ ଚାଷୀ ୩୮ ଟଙ୍କା ୫ ପଇସା ପାଉଥିଲେ, ଏଣିକି ୩୯ ଟଙ୍କା ୫ ପଇସା ପାଇବେ।

ସେହିପରି ମଇଁଷି ଦୁଗ୍ଧ ମୂଲ୍ୟରେ ଲିଟର ପ୍ରତି ୧ ଟଙ୍କା ୬୦ ପଇସା ବୃଦ୍ଧି କରାଯାଇଛି। ଦେଶୀ ‘ବିଞ୍ଝାରପୁରୀ’ ଗାଈର କ୍ଷୀର ସଂଗ୍ରହ ମୂଲ୍ୟରେ ମଧ୍ୟ ଲିଟର ପିଛା ସିଧାସଳଖ ୧୦ ଟଙ୍କା ବୃଦ୍ଧି କରାଯାଇଛି।