ନୂଆଦିଲ୍ଲୀରେ ୨ ଦିନିଆ ବ୍ରିକ୍ସ ବିଦେଶ ମନ୍ତ୍ରୀ ସମ୍ମିଳନୀ ଆରମ୍ଭ
ନୂଆଦିଲ୍ଲୀ(ସଂକେତ ଟିଭି):ଭାରତରେ ଗୁରୁବାରଠାରୁ ବ୍ରିକ୍ସ ଦେଶ ସମୂହର ବିଦେଶ ମନ୍ତ୍ରୀଙ୍କ ଦୁଇ ଦିବସୀୟ ବୈଠକ ଆରମ୍ଭ ହୋଇଛି। ଦିଲ୍ଲୀଠାରେ ଆୟୋଜିତ ଏହି ବୈଠକରେ ପଶ୍ଚିମ ଏସିଆରେ ବଢୁଥିବା ଯୁଦ୍ଧ ପରିସ୍ଥିତି ତଥା ବିଶ୍ୱରେ ଦେଖା ଦେଇଥିବା ଶକ୍ତି ସଙ୍କଟ ଉପରେ ଆଲୋଚନା କରାଯାଇଥିଲା।
ଇରାନର ବିଦେଶମନ୍ତ୍ରୀ ଅବ୍ବାସ ଅରାଘଚୀ ଏହି ବୈଠକରେ ସାମିଲ ହୋଇଛନ୍ତି। ଫେବୃଆରୀ ୨୮ରେ ଇରାନ ସହ ଆମେରିକା-ଇସ୍ରାଏଲ ଯୁଦ୍ଧ ଆରମ୍ଭ ହେବା ପରେ ଇରାନ ସହ ଏହା ଭାରତର ପ୍ରଥମ ଉଚ୍ଚସ୍ତରୀୟ ବୈଠକ।
ବ୍ରିକ୍ସ ବିଶ୍ୱର ପ୍ରମୁଖ ଅର୍ଥନୈତିକ ପ୍ରଗତୀଶୀଳ ଦେଶମାନଙ୍କୁ ନେଇ ଗଠିତ ଏକ ସଂଗଠନ। ବ୍ରିକ୍ସ ସମ୍ମିଳନୀର ପ୍ରଥମ ଦିନରେ ସଦସ୍ୟ ଦେଶର ବିଦେଶ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
ଚୀନ ବିଦେଶ ମନ୍ତ୍ରୀ ବାଙ୍ଗ ୟୀ ଏହି ବୈଠକରେ ସାମିଲ ହେବେ ନାହିଁ। କାରଣ ବ୍ରିକ୍ସ ସମ୍ମିଳନୀ ସମୟରେ ଆମେରିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତିନି ଦିନିଆ ଚୀନ ଗସ୍ତରେ ଆସିଛନ୍ତି। ତେଣୁ ଏହି ସମୟରେ ବାଙ୍ଗଙ୍କର ଚୀନରେ ଉପସ୍ଥିତ ରହିବା ଜରୁରୀ ଅଟେ। ତେବେ ଚୀନ ପକ୍ଷରୁ ଘୋଷଣା କରାଯାଇଛି ଯେ, ଚୀନ ରାଷ୍ଟ୍ରଦୂତ ଶୀ ଫିହୋଙ୍ଗ ବିଦେଶ ମନ୍ତ୍ରୀ ବାଙ୍ଗଙ୍କ ପକ୍ଷରୁ ଏହି ବୈଠକରେ ପ୍ରତିନିଧିତ୍ୱ କରିବେ।
ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବାରୁ ସେପ୍ଟେମ୍ବରରେ ହେବାକୁ ଥିବା ଶିଖର ସମ୍ମିଳନୀ ପୂର୍ବରୁ ପ୍ରଥମେ ବିଦେଶ ମନ୍ତ୍ରୀଙ୍କ ସମ୍ମିଳନୀର ଆୟୋଜନ କରିଛି।
ବ୍ରିକ୍ସ ଦେଶ ସମୂହଙ୍କ ମଧ୍ୟରେ ପ୍ରଥମେ ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ସାମିଲ ହୋଇଥିଲେ। ପରେ ୨୦୨୪କୁ ଏହାର ବିସ୍ତାର ହୋଇଥିଲା। ଏଥିରେ ମିଶର, ଇଥିଓପିଆ, ଇରାନ, ସଂଯୁକ୍ତ ଆରବ ଏମିରେଟକୁ ସାମିଲ କରାଯାଇଥିଲା। ୨୦୨୫ରେ ଇଣ୍ଡୋନେସିଆ ସାମିଲ ହୋଇଥିଲା।
ଏହା ବିଶ୍ୱର ଏକ ପ୍ରଭାବଶାଳୀ ସଂଗଠନ ଭାବେ ପ୍ରଭାବ ବିସ୍ତାର କରୁଛି। କାରଣ ଏହା ୧୧ଟି ପ୍ରମୁଖ ବିକାଶଶୀଳ ଅର୍ଥ ବ୍ୟବସ୍ଥାକୁ ଗୋଟିଏ ମଞ୍ଚରେ ଏକାଠି କରିପାରିଛି, ଯିଏ କି ବିଶ୍ୱ ଜନସଂଖ୍ୟାର ୪୯.୫ ପ୍ରତିଶତ ଲୋକଙ୍କ ପ୍ରତିନିଧିତ୍ୱ କରେ। ସେତିକି ନୁହେଁ, ବିଶ୍ୱ ଜିଡିପିର ପାଖାପାଖି ୪୦ ପ୍ରତିଶତ ଏବଂ ବିଶ୍ୱ ବାଣିଜ୍ୟର ପାଖାପାଖି ୨୬ ପ୍ରତିଶତର ପ୍ରତିନିଧିତ୍ୱ କରିଥାଏ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି, “ବିଶ୍ୱ ଅଭୂତପୂର୍ବ ଭୂରାଜନୈତିକ ଏବଂ ଆର୍ଥିକ ଅନିଶ୍ଚିତତାର ସମ୍ମୁଖୀନ ହେଉଛି। ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ ଏବଂ କୋଭିଡ୍ ମହାମାରୀ ଏହି ଅନିଶ୍ଚିତତାର ପ୍ରମୁଖ କାରଣ ହୋଇଛି। ବିଶ୍ୱ ବ୍ୟବସ୍ଥାର ପୁନଃସନ୍ତୁଳନ ଏବଂ ଗଣତାନ୍ତ୍ରିକୀକରଣକୁ ପ୍ରତିଫଳିତ କରୁଥିବା ଏକ ବ୍ୟାପକ ବ୍ୟବସ୍ଥା ମଧ୍ୟ ରହିଛି।
ସମସ୍ତ ଦେଶ ଏହି ସନ୍ତୁଳନ ରକ୍ଷା କରିବାରେ ସକ୍ଷମ ନୁହଁନ୍ତି। ସାମଗ୍ରିକ ଭାବରେ, ଏହି ବ୍ୟବସ୍ଥାଗୁଡ଼ିକ ଅଭିବୃଦ୍ଧି ସମ୍ଭାବନାକୁ ଦୁର୍ବଳ କରୁଛନ୍ତି। ନିରନ୍ତର ଉତ୍ତେଜନା, ସାମୁଦ୍ରିକ ପରିବହନ ପାଇଁ ବିପଦ ଏବଂ ଶକ୍ତି ଭିତ୍ତିଭୂମିରେ ବାଧା ଏହି ଅନିଶ୍ଚିତତାକୁ ଆହୁରି ବୃଦ୍ଧି କରିଛି।
ହରମୁଜ୍ ପ୍ରଣାଳୀ ଏବଂ ଲୋହିତ ସାଗର ସମେତ ଆନ୍ତର୍ଜାତୀୟ ଜଳପଥ ଦେଇ ସୁରକ୍ଷିତ ଏବଂ ଅବାଧ ସାମୁଦ୍ରିକ ପ୍ରବାହ ବିଶ୍ୱ ଆର୍ଥିକ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଲେ ହେଁ ସେଥିରେ ବ୍ୟାଘାତ ସୃଷ୍ଟି ହୋଇଛି। ଆତଙ୍କବାଦ ଏକ ସ୍ଥାୟୀ ବିପଦ ହୋଇ ରହିଛି। ସୀମାପାର ଆତଙ୍କବାଦ ଆନ୍ତର୍ଜାତୀୟ ସମ୍ପର୍କର ମୌଳିକ ନୀତିକୁ ଉଲ୍ଲଂଘନ କରୁଛି। ଶୂନ୍ୟ ସହନଶୀଳତା ଏକ ଅଟଳ ଏବଂ ସାର୍ବଜନୀନ ନୀତି ହେବା ଉଚିତ।”
