କଳାବାଘ ଛାଲ ଜବତ, ୩ ଅଭିଯୁକ୍ତ ଗିରଫ
ବାରିପଦା (ସଂକେତ ଟିଭି): ଜାତୀୟ ଅଭୟାରଣ୍ୟ ଶିମିଳିପାଳରୁ ପୁଣି ଏକ କଳାବାଘକୁ ଶିକାର କରାଯାଇଛି। ତେବେ ତାହାର ଛାଲ ବା ଚମଡ଼ା ବିକ୍ରି ପୂର୍ବରୁ ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବଳ (ଏସଟିଏଫ) ୩ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ତାଙ୍କ ପାଖରୁ ବାଘଛାଲ, ୩ ଟି ବାଇକ ଓ ମୋବାଇଲ ଫୋନ ଜବତ କରିଛନ୍ତି।
ଏନେଇ ଗୁରୁବାର ଅପରାହ୍ନରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ କ୍ଷେତ୍ର ନିର୍ଦ୍ଦେଶକ (ଦକ୍ଷିଣ) ସୁମିତ କୁମାର କର ନିଜ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ରଖିଛନ୍ତି। ନିଜର ଗୋଇନ୍ଦା ଦଳର ଖବର ଅନୁସାରେ ବୁଧବାର ଖୁଣ୍ଟା ଥାନା ଅଧୀନ ବାସିପିଠା ନିକଟରେ ଏସଟିଏଫ ଟିମ ଚଢ଼ାଉ କରି ଉପରୋକ୍ତ ସଫଳତା ପାଇଥିବା କହିଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ: ଖୁଣ୍ଟା ଥାନା କୁସୁମଘାଟି ଗ୍ରାମର ଗଙ୍ଗାଧର ମୁର୍ମୁ (୬୨), କୁଳିଅଣା ଥାନା କାଠରୁମା ଗ୍ରାମର ରାମଦାସ ହେମ୍ବ୍ରମ (୪୦), ଏବଂ ବାଙ୍ଗରିପୋଷି ଥାନା ଯୋକା ଗ୍ରାମର ଭିମା ବାସ୍କେ (୪୦)। ସେମାନଙ୍କଠାରୁ ୩ ଟି ବାଇକ ଓ ୨ ଟି ମୋବାଇଲ ଫୋନ ଜବତ କରାଯାଇଛି।
ଏମାନଙ୍କ ମଧ୍ୟରୁ ଜଣେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗାତରେ ପଡ଼ି ଆହତ ହେତୁ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ଅଧିକ ଜଣ ସମ୍ପୃକ୍ତ ଥିବା ଜଣାପଡ଼ୁଛି।
ବାଘଟି ପାଖାପାଖି ୨ ବର୍ଷର ଶାବକ କଳାବାଘ ବୋଲି ଅନୁମାନ କରାଯାଉଛି। ପରୀକ୍ଷାଗାରକୁ ନମୁନା ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଓ ସବିଶେଷ ସୂଚନା ମିଳିପାରିବ ବୋଲି ଶ୍ରୀ କର ସୂଚନା ଦେଇଛନ୍ତି।
ଏହାକୁ ମିଶାଇ ଶିମିଳିପାଳରେ ଏହା ତୃତୀୟ କଳାବାଘ ଶିକାର ଘଟଣା। ବିଶ୍ୱର ଶିମିଳିପାଳରେ ହିଁ କେବଳ କଳାବାଘ ରହନ୍ତି। ପୂର୍ବ ଗଣନା ଅନୁସାରେ ଶିମିଳିପାଳରେ ୧୪ ଟି କଳାବାଘ ଥିଲେ। ଶିକାରୀଙ୍କ ଲୋଲୁପ ଦୃଷ୍ଟି ପାଇଁ ଏବେ ତାଙ୍କ ଜୀବନ ଅସୁରକ୍ଷିତ।
ଅପରପକ୍ଷରେ ଶିକାର ବନ୍ଦ ପାଇଁ ଶିମିଳିପାଳରେ ୭ ଟି ସନ୍ଧାନୀ କୁକୁର ସ୍କୁଆର୍ଡ, ଏସଟିଏଫ, ଗୋଇନ୍ଦା ଟିମ୍ ଓ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) କୌଶଳ ଦ୍ୱାରା ଅଧିକରୁ ଅଧିକ କୌଶଳ ବିଭାଗ ପକ୍ଷରୁ ଆପଣାଯାଉଛି ବୋଲି ଶ୍ରୀ କର ସୂଚନା ଦେଇଛନ୍ତି।
