FeaturedGeneralLatest

ରୁବିଓଙ୍କୁ ଇରାନର କଟାକ୍ଷ: କହିଲା ‘ସଭ୍ୟତାର କ୍ରାଶ୍ କୋର୍ସ ଭାରତରେ ମାଗଣାରେ ମିଳିଯିବ’

ନୂଆଦିଲ୍ଲୀ(ସଂକେତ ଟିଭି): ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଶନିବାର ଦିନ ଭାରତରେ ପହଞ୍ଚିଛନ୍ତି। ତାଙ୍କର ଏହି ନୂଆଦିଲ୍ଲୀ ଗସ୍ତକୁ ନେଇ ଅନ୍ତର୍ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ଚାଲିଥିବା ବେଳେ, ଏହି ସମୟରେ ଇରାନ ପକ୍ଷରୁ ଏକ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଇରାନ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ମାଧ୍ୟମରେ ରୁବିଓଙ୍କୁ ଟାର୍ଗେଟ୍ କରି ଏକ କଟାକ୍ଷପୂର୍ଣ୍ଣ ‘ସଭ୍ୟତା’ (Sabhyata) ସମ୍ବନ୍ଧୀୟ ମନ୍ତବ୍ୟ ଦେଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଭାବରେ ମାର୍କୋ ରୁବିଓ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ମନାନ୍ତର ଦେଖାଦେଇଥିଲା। ବର୍ତ୍ତମାନ ଉଭୟ ଦେଶ ଏହି ସମ୍ପର୍କକୁ ସୁଧାରିବା ପାଇଁ ପ୍ରୟାସ କରୁଛନ୍ତି। ଆଉ ଏଥପାଇଁ ରୁବିଓଙ୍କ ଦିଲ୍ଲୀ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ମାର୍କୋ ରୁବିଓ ଭାରତରେ ପହଞ୍ଚିବା ପରେ X ରେ ଏକ ପୋଷ୍ଟ କରି ସୂଚନା ଦେଇଥିଲେ। ଏହି ପୋଷ୍ଟକୁ ନେଇ ମୁମ୍ବାଇସ୍ଥିତ ଇରାନର କନସୁଲେଟ୍ (Iran’s Mumbai Consulate) ହିନ୍ଦୀ ଭାଷାରେ ଏକ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଲେଖିଛି। ‘ଥୋଡା ସିଖ୍ ଲୋ ୟାର୍… ‘ସଭ୍ୟତା କା କ୍ରାଶ୍ କୋର୍ସ’ ଫ୍ରି ମେଁ ମିଲ୍ ଜାଏଗା!’ (ଟିକେ ଶିଖିଯାଅ ଭାଇ… ‘ସଭ୍ୟତାର କ୍ରାଶ୍ କୋର୍ସ’ ମାଗଣାରେ ମିଳିଯିବ ! ) ‘ସଭ୍ୟତା’ ହେଉଛି ଏକ ସଂସ୍କୃତ ଶବ୍ଦ, ଯାହାର ଅର୍ଥ ସଂସ୍କୃତି, ଶିଷ୍ଟାଚାର ବା ଇଂରାଜୀରେ ସିଭିଲାଇଜେସନ୍ (Civilisation) ବୋଲି କୁହାଯାଏ। ଆମେରିକାର ବୈଦେଶିକ ମନ୍ତ୍ରୀଙ୍କୁ କଟାକ୍ଷ କରି ଇରାନ ହିନ୍ଦୀରେ କରିଥିବା ଟ୍ଵିଟ୍ ସମସ୍ତଙ୍କୁ ଚକିତ କରିଛି।

ଇରାନ ଦୂତାବାସର ଏହି ରହସ୍ୟଜନକ ଟିପ୍ପଣୀ ପଛର ପ୍ରକୃତ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା, ଏହାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବ ମନ୍ତବ୍ୟ ସହ ଯୋଡ଼ାଯାଉଛି। ଚଳିତ ବର୍ଷ ଏପ୍ରିଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଥିଲେ। ଯଦି ଇରାନ ଶାନ୍ତି ଚୁକ୍ତିରେ ରାଜି ନହୁଏ ଏବଂ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ରୁ ଅବରୋଧ ନହଟାଏ, ତେବେ ଆଜି ରାତିରେ ଏକ ସମ୍ପୂର୍ଣ୍ଣ ସଭ୍ୟତା ଶେଷ ହୋଇଯିବ ବୋଲି ଟ୍ରମ୍ପ ଧମକ ଦେଇଥିଲେ।

ବିଶେଷଜ୍ଞଙ୍କ ମତରେ, ଟ୍ରମ୍ପଙ୍କ ସେହି ‘ସଭ୍ୟତା ଧ୍ୱଂସ’ କରିବା ମନ୍ତବ୍ୟର ଜବାବ ଦେବାକୁ ଯାଇ ଇରାନ ଭାରତର ସଂସ୍କୃତି ଓ ସଭ୍ୟତାକୁ ପ୍ରଶଂସା କରିବା ସହ ଆମେରିକାକୁ ସେଠାରୁ ଶିଷ୍ଟାଚାର ଶିଖିବାକୁ କହିଛି। ବର୍ତ୍ତମାନ ସମୟରେ ମାର୍କୋ ରୁବିଓଙ୍କ ଭାରତ ଗସ୍ତ ଉପରେ ସମଗ୍ର ବିଶ୍ୱର ନଜର ରହିଛି ଏବଂ ଏହି ଗସ୍ତରେ କେଉଁ ସବୁ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ ହେବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।