ଆସନ୍ତା ୨୬ ରୁ ଯୁକ୍ତ ଦୁଇ ଏକାଦଶ ଶ୍ରେଣୀ ନାମଲେଖା
ଭୁବନେଶ୍ୱର (ସଂକେତ ଟିଭି): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଯୁକ୍ତ ଦୁଇ ଏକାଦଶ ଶ୍ରେଣୀ ନାମଲେଖା ପାଇଁ ଆସନ୍ତା ୨୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଜୁନ୍ ୩୦ ତାରିଖ ରାତି ୧୧ଟା ୪୫ ମିନିଟ୍ ମଧ୍ୟରେ ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ରେ ଆବେଦନ କରିପାରିବେ । ଜୁଲାଇ ୮ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ସେହିପରି ଜୁଲାଇ ୯ ରୁ ୧୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଅଗଷ୍ଟ ୧୨ ତାରିଖ ସୁଦ୍ଧା ସମସ୍ତ ପର୍ଯ୍ୟାୟ ନାମଲେଖା ଶେଷ କରିବାକୁ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଜୁଲାଇ ୨୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୪ ତାରିଖରୁ ୨୮ ତାରିଖ ମଧ୍ୟରେ ନାମଲେଖାରେ ସାମିଲ ହେବେ । ଏହା ପରେ ଜୁଲାଇ ୩୦ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଚଏସ୍ ଲକିଂ ସୁବିଧା ଉପଲବ୍ଧ ହେବ । ଅଗଷ୍ଟ ୨ ତାରିଖ ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ ।
ସ୍ପଟ୍ ନାମଲେଖା ପାଇଁ ଅଗଷ୍ଟ ୬ ତାରିଖ ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ସହ ଇଣ୍ଟିମେସନ୍ ଲେଟର ପ୍ରଦାନ କରାଯିବ । ଚୟନ ହୋଇଥିବା ଛାତ୍ର ଛାତ୍ରୀମାନେ ଅଗଷ୍ଟ ୭ ତାରିଖ ମଧ୍ୟାହ୍ନ ୧୨ଟାରୁ ୧୨ ତାରିଖ ରାତି ୯ଟା ମଧ୍ୟରେ କଲେଜରେ ରିପୋଟିଂ କରିବେ । ଜୁଲାଇ ୨୩ରୁ ପାଠପଢ଼ା ଆରମ୍ଭ ହେବ । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
