EducationFeaturedGeneralLatest

୫୧,୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ(ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୋଜଗାର ମେଳା ମାଧ୍ୟମରେ ୫୧,୦୦୦ ଯୁବକଙ୍କୁ କେନ୍ଦ୍ରୀୟ ସରକାରୀ ଚାକିରି ପ୍ରଦାନ ପୂର୍ବକ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି । ଏହି କ୍ରମରେ ସରକାର ସମୁଦାୟ ୧୮ଟି ରୋଜଗାର ମେଳା ମାଧ୍ୟମରେ ଆଜିପର୍ଯ୍ୟନ୍ତ ପ୍ରାୟ ୧୨ ଲକ୍ଷରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିସାରିଲେଣି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି, “ଆଜି ସାରା ଦେଶର ହଜାର ହଜାର ଯୁବକ ଯୁବତୀଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ୫୧,୦୦୦ ରୁ ଅଧିକ ଯୁବକ ଯୁବତୀ ସରକାରୀ ନିଯୁକ୍ତି ପତ୍ର ପାଇଛନ୍ତି ।” ଆଜି ନିଯୁକ୍ତି ପାଇଥିବା ସମସ୍ତ ଯୁବକ ଯୁବତୀ ଦେଶର ବିକାଶ ଯାତ୍ରାରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ରେଳବାଇ, ବ୍ୟାଙ୍କ, ପ୍ରତିରକ୍ଷା, ସ୍ବାସ୍ଥ୍ୟ, ଶିକ୍ଷା ଓ ବିଭିନ୍ନ ସ୍ତରରେ ଯୁବପିଢି ନୂତନ ଦାୟିତ୍ବ ନିର୍ବାହ କରିବେ । “ଆଗାମୀ କିଛି ବର୍ଷରେ ଆମେ ଦେଶ ନିର୍ମାଣ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା । ଏହି ସଫଳତା ପାଇଁ ମୁଁ ଆପଣଙ୍କୁ ଓ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିକଶିତ ଭାରତ ଗଠନ ଦିଗରେ ଭାରତୀୟ ଯୁବପିଢି ଗତି ଯୋଗାଉଛନ୍ତି । ରୋଜଗାର ମେଳା ସରକାରଙ୍କ ‘ଯୁବଶକ୍ତି’କୁ ଏକତ୍ରିତ କରିବା ସହିତ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରୟାସକୁ ଦର୍ଶାଉଛି । ସାରା ବିଶ୍ବ ଭାରତୀୟ ଯୁବଶକ୍ତି ଓ ପ୍ରଯୁକ୍ତିବିଦ୍ୟା ଜ୍ଞାନ କୌଶଳକୁ ଦେଖୁଛି । ସମଗ୍ର ବିଶ୍ବ ଭାରତର ବିକାଶର ଅଂଶ ହେବାକୁ ଚାହୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଆଜି ଦେଶର ୪୭ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ସାରା ଭାରତରୁ ଯୁବକ ଯୁବତୀଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ବିଭିନ୍ନ ମନ୍ତ୍ରାଳୟ ଯଥା; ରେଳବାଇ, ଗୃହ ବ୍ୟାପାର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଏବଂ ଆର୍ଥିକ ସେବା ଏବଂ ଉଚ୍ଚଶିକ୍ଷା ବିଭାଗ ଆଦିରେ ଯୋଗ ଦେବେ ।