FeaturedGeneralHealthLatest

ଇବୋଲା ଭାଇରସକୁ ଦେଖି ଭାରତ ସରକାରଙ୍କ ଆଲର୍ଟ ଜାରି

ନୂଆଦିଲ୍ଲୀ(ସଂକେତ ଟିଭି): ସମଗ୍ର ବିଶ୍ବରେ ପୁଣିଥରେ ଏକ ମହାମାରୀ ଆତଙ୍କ ଦେଖାଦେଉଛି। ଆଫ୍ରିକାର କିଛି ଦେଶରେ ଇବୋଲା ଭାଇରସର ମାମଲା ବୃଦ୍ଧି ପାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ତରଫରୁ ଏହାକୁ ଗ୍ଲୋବାଲ ହେଲଥ ଏମରଜେନ୍ସୀ ଘୋଷଣା କରାଯାଇଛି। ବିଶ୍ବ ସ୍ତରରେ ବିପଦ ବଢୁଥିବା ଦେଖି ଭାରତ ସରକାର ଆଲର୍ଟ ଜାରି କରିଛନ୍ତି।

ଡେମୋକ୍ରେଟିକ ରିପବ୍ଲିକ ଅଫ କଙ୍ଗୋ ଏବଂ ୟୁଗାଣ୍ଡାରେ ଇବୋଲା ମାମଲା ଦ୍ରୁତଗତିରେ ବ୍ୟାପୁଛି। ଏହାର ଗମ୍ଭୀରତାକୁ ଦୃଷ୍ଟିରେ ରଖି WHO ଅର୍ନ୍ତରାଷ୍ଟ୍ରୀୟ ସ୍ବାସ୍ଥ୍ୟ ନିୟମ ଅଧୀନରେ ଇବୋଲାକୁ ଗ୍ଲୋବାଲ ହେଲଥ ଏମରଜେନ୍ସୀ ଘୋଷଣା କରିଛି। ଏହାକୁ ନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାରତୀୟ ନାଗରିକଙ୍କ ପାଇଁ ଜରୁରୀ ଟ୍ରାଭେଲ ଆଡଭାଇଜରୀ ଜାରି କରିଛି। ଏହାସହିତ ଆଫ୍ରିକାର ସେଣ୍ଟର୍ସ ଫର ଡିଜିଜ କଣ୍ଡ୍ରୋଲ ଆଣ୍ଡ ପ୍ରିଭେନ୍ସନ (CDC) ମଧ୍ୟ ଇବୋଲା ପାଇଁ ଚେତାବନୀ ଜାରି କରିଛି।

ଆଫ୍ରିକାରେ ଇବୋଲାର ସଂକ୍ରମଣ ଦେଖି ଭାରତର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଶବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ସରକାର ଆଡଭାଇଜରୀ ଜାରି କରି ସମସ୍ତ ନାଗରିକଙ୍କୁ କଙ୍ଗୋ, ୟୁଗାଣ୍ଡା, ଦକ୍ଷିଣ ସୁଡାନ ଭଳି ଦେଶକୁ ଯାତ୍ରା କରିବାକୁ ମନା କରିଛନ୍ତି। ଯେପର୍ଯ୍ୟନ୍ତ ପରିସ୍ଥିତି ସାମାନ୍ୟ ନହୁଏ, ସେପର୍ଯ୍ୟନ୍ତ ଏହି ସବୁ ଦେଶକୁ ଯାତ୍ରା ନ କରିବାକୁ ସରକାରଙ୍କ ତରଫରୁ ବାରଣ କରାଯାଇଛି। ଯଦି କୌଣସି ବ୍ୟକ୍ତିଙ୍କର ଅତି ଜରୁରୀ କାର୍ଯ୍ୟ ଥାଏ, ତେବେ ସେ ସମସ୍ତ ଜରୁରୀ ସ୍ବାସ୍ଥ୍ୟ ଗାଇଡଲାଇନ୍ ନିଶ୍ଚିତ ଭାବେ ପାଳନ କରନ୍ତୁ।