ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ। ସେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି। ଅନେକ ଦିନ ଧରି ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟାଇ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସୂଚନାନୁସାରେ, ସେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏବଂ କିଛି କେନ୍ଦ୍ର ନେତୃତ୍ୱଙ୍କୁ ଭେଟିବେ।
ଦେବାଶିଷ ସାମନ୍ତରାୟ ବିଜେଡିରୁ ରାଜ୍ୟସଭା ସାଂସଦ ଥିଲେ। ଏହାପୂର୍ବରୁ ସେ ବାରବାଟୀ-କଟକ ଆସନରୁ ଏବଂ ତିର୍ତ୍ତୋଲ ଆସନରୁ ବିଜେଡି ବିଧାୟକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଦଳରୁ ଇସ୍ତଫା ନେଇ ଦେବାଶିଷ ସାମନ୍ତରାୟ କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି, “ଦଳରେ ମୋତେ ଅନେକ ଦିନ ଧରି ଅଣଦେଖା କରାଯାଉଥିଲା। ମୋତେ ଲାଗୁଥିଲା ଯେ ଦଳ ମୋଠାରୁ କୌଣସି ସେବା ଚାହୁଁନି।” ଲୋକଙ୍କ ସ୍ବାର୍ଥ ପାଇଁ ସେ ଏଭଳି କଠିନ ନିଷ୍ପତ୍ତି ନେଇଥିବା କହିଛନ୍ତି।
ଅନ୍ୟପଟେ, ଦେବାଶିଷ ବିଜେଡି ଛାଡ଼ିଲେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଦଳୀୟ ନେତା କହିଛନ୍ତି। ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ଦେବାଶିଷଙ୍କୁ କଟାକ୍ଷ କରି କହିଛନ୍ତି, “ବିଜେଡିରେ ଦେବାଶିଷଙ୍କୁ ସବୁ ପଦପଦବୀ ମିଳିଛି। ବୋଧହୁଏ ସେ ବିଜେପି ଯାଉଛନ୍ତି, ଭାବୁଛନ୍ତି ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ପଦ ଶୀଘ୍ର ପାଇଯିବେ।”
ପ୍ରମିଳା ଆହୁରି କହିଛନ୍ତି, “ଦେବାଶିଷ ସାମନ୍ତରାୟ ନିଶାଗ୍ରସ୍ତ ଅବସ୍ଥାରେ ସବୁବେଳେ ରୁହନ୍ତି। ନିଶାସକ୍ତ ହୋଇ କେଉଁଠି ଭୁଲ୍ କରିଥିବେ, ସେଥିପାଇଁ ବିଜେପି ୱାସିଂମେସିନ୍କୁ ଯାଉଛନ୍ତି। ବିଧାୟକ, ସାଂସଦ ହୁଅନ୍ତି ଲୋକଙ୍କ ସେବା କରିବାକୁ, ତାଙ୍କ ସେବା ପାଇବାକୁ ନୁହେଁ।”
ସେ ପ୍ରଶ୍ନ କରି କହିଛନ୍ତି, “ଯେତେବେଳେ ବିଜେଡି ସରକାର ପଳାଇଲା, ସେଦିନଠାରୁ ସେ ବିଜେପି ଲିଙ୍କ୍ରେ ଅଛନ୍ତି। ପଦପଦବୀ ପାଇଁ ନବୀନ ବାବୁଙ୍କ ଗୋଡ଼ ତଳେ ପଡ଼ି ନେଇଗଲେ। ୱାକଫ୍ ପ୍ରସଙ୍ଗରେ ଆଲୋଚନା କରିପାରିଲେ ନାହିଁ। ଓଡ଼ିଶା ସ୍ବାର୍ଥ ସମ୍ବଳିତ କେଉଁ ପ୍ରସଙ୍ଗ ସେ ସଂସଦରେ ଉଠାଇଛନ୍ତି?” ଦଳକୁ ରୋଜଗାର କରିବାକୁ ଆସିଥିଲେ ବୋଲି ମଧ୍ୟ ଅଭିଯୋଗ କରି ସେ କହିଛନ୍ତି, “ଆମେ ତାଙ୍କୁ ବାରମ୍ବାର ନିଶା ଛାଡ଼ିବାକୁ କହିଛୁ। ଏଭଳି ଲୋକ ଦଳ ଛାଡ଼ିଲେ କୌଣସି ପ୍ରଭାବ ପଡ଼ିବ ନାହିଁ।”
