ଜେନେରାଲ ଏନଏସ ରାଜା ସୁବ୍ରମଣି ହେଲେ ଦେଶର ୩ୟ ପ୍ରତିରକ୍ଷା ମୁଖ୍ୟ
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତର ପ୍ରତିରକ୍ଷା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ଏନଏସ ରାଜା ସୁବ୍ରମଣି। ରବିବାର ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ପାକିସ୍ତାନ ଓ ଚାଇନା ବିଶେଷଜ୍ଞ ଭାବେ ପରିଚିତ ଜେନେରାଲ ଏନଏସ ରାଜା ସୁବ୍ରମଣି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିଛି।
ତେବେ ମହତ୍ତ୍ୱାକାଂକ୍ଷୀ ନାଟକୀୟ ସାମରିକ ଯୋଜନାକୁ କାର୍ଯ୍ୟକାରୀ କରାଇବା ତଥା ତିନି ବିଭାଗ ସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ତାଙ୍କର ପ୍ରାଥମିକ ଦାୟିତ୍ୱ ରହିବ ବୋଲି ସେ କହିଛନ୍ତି।
ଜେନେରାଲ ଅନିଲ ଚୌଧୁରୀ ଦେଶର ବରିଷ୍ଠ ସାମରିକ କମାଣ୍ଡର ଭାବେ ନିଜ କାର୍ଯ୍ୟକାଳ ଶେଷ କରିବା ପରେ ଶନିବାର ଏହି ପଦବୀରୁ ଅବସର ନେଇଥିଲେ। ଜେନେରାଲ ଅନିଲ ଚୌହାନଙ୍କ ପରେ ରାଜା ସୁବ୍ରମଣିଙ୍କୁ ପ୍ରତିରକ୍ଷା ମୁଖ୍ୟ ଦାୟିତ୍ୱ ଦିଆଯାଇଛି।
ଜେନେରାଲ ସୁବ୍ରମଣି ଜାତୀୟ ସୁରକ୍ଷା ପରିଷଦ ସେକ୍ରେଟେରିଏଟ (NSCS)ରେ ସାମରିକ ପରାମର୍ଶଦାତା ଭାବେ କାମ କରୁଥିଲେ। ସେ ଗତବର୍ଷ ଜୁଲାଇ ୩୧ରେ ଭାଇସ ଚିଫ ଅଫ ଆର୍ମି ଷ୍ଟାଫ ପଦରୁ ଅବସର ନେଇଥିଲେ।
ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ସିଡିଏସ ଜେନେରାଲ ସୁବ୍ରମଣି କହିଛନ୍ତି, ‘ସଶସ୍ତ୍ର ବାହିନୀର କାୟାକଳ୍ପ ଏବଂ ତିନି ସେନା ବାହିନୀ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଁ ସାଂଗଠନିକ ସଂସ୍କାର ଆଣିବା ମୋର ପ୍ରାଥମିକ ଲକ୍ଷ୍ୟ ରହିବ।’
ସଂକ୍ଷିପ୍ତ ମିଡିଆ ବୟାନ ଦେଇ ସେ କହିଥିଲେ, ‘ଆମେ ଆମର ସଶସ୍ତ୍ର ବାହିନୀରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ବିକାଶ କରିବା ସହ ଏହାକୁ ସାମିଲ କରିବା, ସମନ୍ୱୟ ପ୍ରକ୍ରିୟାକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେବୁ।’
ସେ ଆହୁରି କହିଥିଲେ, ‘ଆମ ସଶସ୍ତ୍ର ବାହିନୀ ଜାତୀୟ ସ୍ୱାର୍ଥର ରକ୍ଷା ପାଇଁ ସବୁବେଳେ ନିର୍ଣ୍ଣାୟକ ଭୂମିକା ନିଭାଇ ଆସିଛନ୍ତି। ଆମେ ଆମ ଦେଶର ସାର୍ବଭୌମତ୍ୱ ତଥା କ୍ଷେତ୍ରୀୟ ଅଖଣ୍ଡତା ରକ୍ଷା କରିବା ପାଇଁ ପ୍ରତିବଦ୍ଧ।’
‘ମୁଁ ଭାରତର ନାଗରିକମାନଙ୍କୁ ଆଶ୍ୱାସନା ଦେଉଛି, ସଶସ୍ତ୍ର ବାହିନୀ ସମର୍ପଣ, ସାହସ, ସମ୍ମାନ ତଥା ବୃତ୍ତିଗତ ମନୋଭାବ ନେଇ ଦେଶର ସେବା ଜାରି ରଖିବ।’
