ସମସ୍ତ ହିତାଧିକାରୀଙ୍କୁ ବକେୟା ଭତ୍ତା ଟଙ୍କା ଶୀଘ୍ର ମିଳିବ : ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଭତ୍ତା ସମସ୍ୟାର ସମାଧାନ ହୋଇଛି। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ହିତାଧିକାରୀଙ୍କ ପାଖକୁ ଭତ୍ତା ରାଶି ପହଞ୍ଚିଲାଣି। ଏ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରତିକ୍ରିୟା ରଖିଛନ୍ତି।
ମୁଖ୍ୟ ଶାସନ ସଚିବ ଶ୍ରୀ ଗର୍ଗ କହିଛନ୍ତି ଯେ, ଭତ୍ତା ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇସାରିଛି। ଏବେ ସୁଦ୍ଧା ୪ ଲକ୍ଷ ହିତାଧିକାରୀ ନିଜ ଭତ୍ତା ରାଶି ପାଇସାରିଛନ୍ତି। ଆଗାମୀ ଦିନରେ ଅବଶିଷ୍ଟ ସମସ୍ତ ହିତାଧିକାରୀଙ୍କୁ ବକେୟା ଭତ୍ତା ଟଙ୍କା ଶୀଘ୍ର ପହଞ୍ଚାଇ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ଶାସନ ସଚିବ ପୁଣି କହିଛନ୍ତି ଯେ, ଦେଶର ଅନ୍ୟ ସମସ୍ତ ରାଜ୍ୟରେ ମଧ୍ୟ ଏହିଭଳି ଭତ୍ତା ସମସ୍ୟା ଦେଖାଦେଇଥିଲା। ପୋର୍ଟାଲ ଜନିତ କାରିଗରୀ ତ୍ରୁଟି ଯୋଗୁଁ ଏହି ଅସୁବିଧା ସୃଷ୍ଟି ହୋଇଥିଲା। କିନ୍ତୁ ବର୍ତ୍ତମାନ ସେହି ସମସ୍ୟାର ସମାଧାନ ହୋଇଥିବାରୁ ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିଛି। ଧୀରେ ଧୀରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ଭତ୍ତା ରାଶି ପହଞ୍ଚିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ତିନି ମାସ ଧରି ଭତ୍ତା ଟଙ୍କା ନମିଳିବାରୁ ସାରା ରାଜ୍ୟରେ ହିତାଧିକାରୀମାନେ ଚରମ ଯନ୍ତ୍ରଣା ଭୋଗୁଥିଲେ। କେଉଁଠି ଆନ୍ଦୋଳନ ତ କେଉଁଠି ପ୍ରତିବାଦ ଦେଖିବାକୁ ମିଳିଥିଲା। ଏହାକୁ ନେଇ ରାଜ୍ୟରେ ଭତ୍ତା ରାଜନୀତି ମଧ୍ୟ ଜୋର ଧରିଥିଲା।
ସବୁଠାରୁ ଦୁଃଖଦାୟକ ଘଟଣା ଥିଲା ବୃଦ୍ଧ ଓ ବୃଦ୍ଧାମାନଙ୍କ ଆତ୍ମହତ୍ୟା। ଭତ୍ତା ଟଙ୍କା ପାଇଁ ଅନେକ ବରିଷ୍ଠ ନାଗରିକ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଥିଲା, ଯାହାକୁ ନେଇ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଥିଲା। ତେବେ ବର୍ତ୍ତମାନ ଏହି ସଙ୍କଟ ଦୂର ହେବାରେ ଲାଗିଛି ବୋଲି ରାଜ୍ୟ ସରକାର କହିଛନ୍ତି।
