FeaturedLatestNews

ପିଏମ୍ ସ୍ୱନିଧି ଋଣରେ ଷ୍ଟାମ୍ପ ଶୁଳ୍କ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ ଟିଭି): ରାସ୍ତାକଡ଼ ବ୍ୟବସାୟୀ ତଥା ଷ୍ଟ୍ରିଟ ଭେଣ୍ଡରମାନଙ୍କ ପାଇଁ ଓଡ଼ିଶା ସରକାର ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପିଏମ୍ ସ୍ୱନିଧି (ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି) ଯୋଜନା ଅଧୀନରେ ମଞ୍ଜୁର ହେଉଥିବା ତିନିଟି ଋଣ ପର୍ଯ୍ୟାୟର ବନ୍ଧକ ଚୁକ୍ତିନାମା ଉପରେ ଲାଗୁଥିବା ଷ୍ଟାମ୍ପ ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଏହି ନିଷ୍ପତ୍ତି ଫଳରେ ରାସ୍ତାକଡ଼ ବ୍ୟବସାୟୀମାନେ ବିନା କୌଣସି ଅତିରିକ୍ତ ଆର୍ଥିକ ବୋଝରେ ଋଣ ପାଇପାରିବେ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀଙ୍କ ପକ୍ଷରୁ ଏକ ବିଧିବଦ୍ଧ ଆଦେଶ ଜାରି କରାଯାଇଛି। ଏହି ଆଦେଶ ଅନୁଯାୟୀ, ପିଏମ୍ ସ୍ୱନିଧି ଯୋଜନାର ପ୍ରଥମ (୧୫ ହଜାର), ଦ୍ୱିତୀୟ (୨୫ ହଜାର) ଓ ତୃତୀୟ (୫୦ ହଜାର) ଋଣ କିସ୍ତି ସମ୍ବନ୍ଧୀୟ ହାଇପୋଥିକେସନ୍ ଏଗ୍ରିମେଣ୍ଟଗୁଡ଼ିକ ଉପରେ ଷ୍ଟାମ୍ପ ଶୁଳ୍କ ଆଦାୟ କରାଯିବ ନାହିଁ। ଭାରତୀୟ ଷ୍ଟାମ୍ପ ଆଇନ, ୧୮୯୯ର ଧାରା ୯(୧)(କ) ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ନିକଟରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କ୍ୟାବିନେଟ ଅନୁମୋଦନ ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ରାସ୍ତାକଡ଼ ବ୍ୟବସାୟୀମାନଙ୍କର ଋଣ ନେବା ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇବା ସହ ଔପଚାରିକ ବ୍ୟାଙ୍କିଂ ବ୍ୟବସ୍ଥା ମାଧ୍ୟମରେ ସହଜରେ ଋଣ ପାଇବାର ସୁଯୋଗ ବୃଦ୍ଧି ପାଇବ।

ଏହାଦ୍ୱାରା ଛୋଟ ବ୍ୟବସାୟୀମାନଙ୍କ ଜୀବିକା ଅଧିକ ସୁଦୃଢ଼ ହେବା ସହ ସେମାନଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେବ ବୋଲି ଆଶା କରାଯାଉଛି। କୋଭିଡ୍-୧୯ ମହାମାରୀ ପରେ ପ୍ରଭାବିତ ରାସ୍ତାକଡ଼ ବ୍ୟବସାୟୀମାନଙ୍କୁ ପୁନର୍ବାସ ଓ ଆର୍ଥିକ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ କରିଥିଲେ। ଓଡ଼ିଶା ସରକାରଙ୍କ ଏହି ନୂତନ ନିଷ୍ପତ୍ତି, ଯୋଜନାର ଲାଭ ଅଧିକ ସଂଖ୍ୟକ ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇବାରେ ସହାୟକ ହେବ।

ପିଏମ୍ ସ୍ୱନିଧି ଯୋଜନା ହେଉଛି ଭାରତ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଉଠାଦୋକାନୀଙ୍କୁ ଜୀବିକା ନିର୍ବାହ ପାଇଁ ବିନା ବନ୍ଧକରେ ଋଣ ପ୍ରଦାନ, ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟାଙ୍କ ଓ ବିଭିନ୍ନ ଋଣ ପ୍ରଦାନକାରୀ ସଂସ୍ଥା ମାଧ୍ୟମରେ ସହଜରେ ଋଣ ପାଇବାରେ ସହାୟତା କରିବା।

ଏହି ଯୋଜନାର ଜନକଲ୍ୟାଣକାରୀ ଆଭିମୁଖ୍ୟ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସ୍ତରର ଉଠାଦୋକାନୀଙ୍କୁ ସହାୟତା କରିବା ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟ ‘ପିଏମ୍ ସ୍ୱନିଧି’ ଅଧୀନରେ ସମ୍ପାଦିତ ହେଉଥିବା ବନ୍ଧକ ଚୁକ୍ତିନାମା ଉପରେ ଲାଗୁ ହେଉଥିବା ଷ୍ଟାମ୍ପ ଡ୍ୟୁଟିକୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ଓଡ଼ିଶାର ଲକ୍ଷାଧିକ ଉଠାଦୋକାନୀ ଉପକୃତ ହେବେ ବୋଲି ଆଶା କରାଯାଉଛି।