ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନୂଆ ପାଠ୍ୟପୁସ୍ତକରେ ୧୬୭୮ ଭୁଲ୍
ଭୁବନେଶ୍ୱର (ସଂକେତ ଟିଭି): ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ପ୍ରସ୍ତୁତ ହୋଇଥିବା ନୂଆ ପାଠ୍ୟକ୍ରମ ଖସଡ଼ା ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ପାଠ୍ୟପୁସ୍ତକରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏହି ନୂତନ ବହିଗୁଡ଼ିକ ସ୍କୁଲଗୁଡ଼ିକରେ ପିଲାମାନଙ୍କୁ ବଣ୍ଟନ ମଧ୍ୟ କରାଯାଇସାରିଛି। ହେଲେ, ଏହି ସମସ୍ତ ପାଠ୍ୟପୁସ୍ତକରେ ମାଳମାଳ ଭୁଲ୍ ଥିବା ନଜରକୁ ଆସିଛି, ଯାହା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବହିଗୁଡ଼ିକରେ କେଉଁଠି ବନ୍ନାନ ଭୁଲ୍, ତ ଆଉ କେଉଁଠି ମହାପୁରୁଷଙ୍କ ନାମ ଭୁଲ୍ ରହିଥିବା ଦେଖିବାକୁ ମିଳିଛି। ସବୁଠାରୁ ଚିନ୍ତାଜନକ ଘଟଣା ହେଲା, ‘ଓଡ଼ିଶା’ ବିଧାନସଭା ଚିତ୍ର ସ୍ଥାନରେ ‘କର୍ଣ୍ଣାଟକ’ ବିଧାନସଭା ଚିତ୍ରକୁ ସ୍ଥାନିତ କରାଯାଇଛି। ସେହିପରି ‘ଓଡ଼ିଶା’ର ନିୟମଗିରିକୁ ‘ଝାଡ଼ଖଣ୍ଡ’ର ନିୟମଗିରି ବୋଲି ଉଲ୍ଲେଖ କରାଯାଇଛି ଏବଂ ବିଶିଷ୍ଟା ସଙ୍ଗୀତଜ୍ଞା ସୁନନ୍ଦା ପଟ୍ଟନାୟକଙ୍କ ନାମକୁ ‘ସନନ୍ଦା ପଟ୍ଟନାୟକ’ ବୋଲି ଭୁଲ୍ ଲେଖାଯାଇଛି।
ଏହି ସବୁ ଭୁଲ୍ ପାଇଁ ଅଭିଭାବକ ଓ ଅଭିଭାବକ ମହାସଂଘ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ଯେ, ନୂତନ ପାଠ୍ୟପୁସ୍ତକଗୁଡ଼ିକରେ ମୋଟ୍ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଛି। ଏହା କୌଣସି ସାମାନ୍ୟ ଅବହେଳା ନୁହେଁ, ବରଂ ମୁଦ୍ରଣ ପୂର୍ବରୁ ପ୍ରୁଫ୍ ରିଡିଂ ଓ ଗୁଣବତ୍ତା ନିୟନ୍ତ୍ରଣର ଏକ ବିରାଟ ବିଫଳତା। ଏପରିକି ୨୦୧୯ରେ ମହାତ୍ମା ଗାନ୍ଧିଙ୍କ ମୃତ୍ୟୁ ସମ୍ବନ୍ଧରେ ବିବାଦୀୟ ଉକ୍ତି ଓ ପଞ୍ଚମ ଶ୍ରେଣୀ ପାଠ୍ୟପୁସ୍ତକରେ ବ୍ରହ୍ମପୁରକୁ ଜିଲ୍ଲା ବୋଲି ଭୁଲ୍ ଉଲ୍ଲେଖ ଭଳି ଘଟଣା ପୂର୍ବରୁ ଘଟିଥିଲେ ମଧ୍ୟ ବିଭାଗ ଏହି ଭୁଲର ପୁନରାବୃତ୍ତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ଅଭିଭାବକ ମହାସଂଘ ଦାବି କରିଛି ଯେ, ଏଭଳି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବଣ୍ଟନ ଓ ମୁଦ୍ରଣ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ତୁରନ୍ତ ବର୍ଖାସ୍ତ କରାଯାଉ। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଅଧିକାରୀ, ପ୍ରକାଶକ ଓ ଅନ୍ୟ ଦାୟୀ ବ୍ୟକ୍ତିମାନଙ୍କଠାରୁ ସମଗ୍ର ଅର୍ଥ ଉଦ୍ଧାର କରାଯାଉ। ଏହାସହିତ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରି ନୂଆ ଶୁଦ୍ଧ ପୁସ୍ତକ ଯୋଗାଇ ଦିଆଯାଉ, ଯେପରି ସରକାର ଓ ଅଭିଭାବକଙ୍କୁ ଅତିରିକ୍ତ ଖର୍ଚ୍ଚ ନ ପଡ଼ିବ।
ବହିଗୁଡ଼ିକରେ ଥିବା କେତେକ ଭୁଲ୍ ଶବ୍ଦ ହେଲା: ହିମାଚଳୀ ଭାଷାକୁ ହିମାଚଳ ଭାଷା, ଆମ୍ବକୁ ଆମ, ଆନ୍ଧ୍ରପ୍ରଦେଶକୁ ଆନ୍ଦ୍ରପ୍ରଦେଶ, ବିଜୟକୁ ବିଷୟ, ଯତ୍ନକୁ ଯନ୍ତ୍ର, ତାପମାତ୍ରାକୁ ଚାପମାତ୍ରା, ପୂର୍ବତନକୁ ପୁର୍ନତନ ଏବଂ ୩୦୦ ଶବ୍ଦକୁ ୩୦୦୦ ଶବ୍ଦ ବୋଲି ଲେଖାଯାଇଛି। ଏହି ସବୁ ଭୁଲ୍ ଶିକ୍ଷକମାନଙ୍କୁ ଶ୍ରେଣୀକକ୍ଷରେ ହାତେ ସୁଧାରିବାକୁ ପଡ଼ୁଛି।
ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ମଧ୍ୟ ଏହି ଘଟଣା ପ୍ରତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପାଠ୍ୟପୁସ୍ତକ ପିଲାମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହୋଇଥାଏ, କିନ୍ତୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦାୟୀହୀନ ବ୍ୟକ୍ତିମାନଙ୍କୁ କିପରି ଦିଆଗଲା, ତାହାର ସମୀକ୍ଷା ହେବା ଆବଶ୍ୟକ। ଏନେଇ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ବୋଲି ସେ ମତ ଦେଇଛନ୍ତି।
ସେପଟେ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଶେଷକରି ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ ୭୦୦ରୁ ଅଧିକ ଭୁଲ୍ ରହିଛି। ପାଠ୍ୟପୁସ୍ତକରେ ଏହି ତ୍ରୁଟି ନେଇ ସରକାର ଅବଗତ ଅଛନ୍ତି ଏବଂ ଏହାକୁ ସଂଶୋଧନ କରାଯିବ। ଇତିମଧ୍ୟରେ ଶିକ୍ଷକମାନଙ୍କୁ ଏହି ଭୁଲ୍ ଗୁଡ଼ିକୁ ସଂଶୋଧନ କରି ପିଲାମାନଙ୍କୁ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
