ମୌସୁମୀ ଆସିଲା, କିନ୍ତୁ ବର୍ଷା ନାହିଁ, ଜୁନ୍ ୨୦ରୁ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
ଭୁବନେଶ୍ୱର (ସଂକେତ ଟିଭି): ମୌସୁମୀ ଆସିଲା, କିନ୍ତୁ ବର୍ଷା ନାହିଁ। ଏପରି କୁହାଯାଉଛି ଯେ ମୌସୁମୀ ମାନଚିତ୍ରରେ ଆଗକୁ ବଢ଼ୁଛି, କିନ୍ତୁ କାମକୁ ନୁହଁ। ଏହାର ମୁଖ୍ୟ କାରଣ ହେଉଛି ଆରବ ସାଗରରୁ ଆସୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ସାଧାରଣତଃ ଏହି ପ୍ରବାହରେ ପ୍ରଚୁର ଜଳୀୟ ବାଷ୍ପ ଥାଏ, ଯାହା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି କରି ବର୍ଷା କରାଇଥାଏ। କିନ୍ତୁ ବର୍ତ୍ତମାନ ଏହି ସକ୍ରିୟ ପ୍ରବାହ ଦେଖାଯାଉ ନାହିଁ।
ବର୍ତ୍ତମାନ ସ୍ଥଳଭାଗରେ ଯେଉଁ ଦକ୍ଷିଣ-ପଶ୍ଚିମ ବାୟୁ ବହୁଛି, ତାହା ଦକ୍ଷିଣ ଭାରତର କେନ୍ଦ୍ରୀୟ ଅଞ୍ଚଳରୁ ଆସୁଛି। ଏହା ସ୍ଥଳଭାଗ ଦେଇ ଆସୁଥିବାରୁ ଏଥିରେ ଯଥେଷ୍ଟ ଜଳୀୟ ବାଷ୍ପ ନାହିଁ। ଫଳରେ ବାୟୁମଣ୍ଡଳରେ ପର୍ଯ୍ୟାପ୍ତ ଜଳୀୟ ବାଷ୍ପ ନଥିବାରୁ ସ୍ୱାଭାବିକ ଗୁଳୁଗୁଳି ହେଉନାହିଁ। କେବଳ ସୂର୍ଯ୍ୟକିରଣ ଯୋଗୁଁ ସ୍ଥଳଭାଗ ପ୍ରତିକ୍ରିୟାଶୀଳ ହେଉଛି ଏବଂ ସମୁଦ୍ର ପବନ ମାଧ୍ୟମରେ ଆସୁଥିବା ସୀମିତ ଜଳୀୟ ବାଷ୍ପ ପ୍ରଭାବରେ କାଁଭାଁ ଘଡ଼ଘଡ଼ି ସହ ବର୍ଷା ହେଉଛି। ଏହି ବର୍ଷା ନିୟମିତ ନୁହେଁ ଏବଂ ବିଶେଷ କରି ସନ୍ଧ୍ୟା ସମୟରେ ଉପକୂଳ ଓ ତାହାର ଆଖପାଖ ଜିଲ୍ଲାଗୁଡ଼ିକରେ ଦେଖାଯାଉଛି।
ଏହି ଅନିୟମିତ ବର୍ଷା ଦ୍ୱାରା ଚାଷୀମାନେ କେବଳ ଧାନ ତଳା ପକାଇ ପାରିବେ, କିନ୍ତୁ ଏହା ଚାଷ ପାଇଁ ସ୍ଥାୟୀ ସମାଧାନ ନୁହେଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ଚାଷ କାର୍ଯ୍ୟ ସାମାନ୍ୟ ପ୍ରଭାବିତ ହୋଇପାରେ, ଯଦିଓ ଅନ୍ୟ ବର୍ଷମାନଙ୍କରେ ମଧ୍ୟ ସେଠାରେ ବିଳମ୍ବରେ ଚାଷ କାର୍ଯ୍ୟ ହୋଇଥାଏ। ଏଲନିନୋ ଏକ ବିଶ୍ୱସ୍ତରୀୟ ପ୍ରକ୍ରିୟା ହୋଇଥିବାରୁ ଏହାର ସିଧାସଳଖ ସ୍ଥାନୀୟ ପ୍ରଭାବ ଏତେ ଅଧିକ ରହିବ ନାହିଁ।
ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ବା ଅଧିକ ତାପମାତ୍ରା ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ରହିବ। ୧୯ ତାରିଖରୁ ତାତି ଧୀରେ ଧୀରେ କମିବ ଏବଂ ଏହାପରେ ତାପମାତ୍ରା ଅଧିକ ବଢ଼ିବାର ସମ୍ଭାବନା ନାହିଁ। ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ୧୮ ତାରିଖ ଯାଏଁ ତାତି ଓ ଗୁଳୁଗୁଳି ରହିବ।
ଜୁନ୍ ୧୭, ୧୮ ଓ ୧୯ ତାରିଖ ବେଳକୁ ଆରବ ସାଗରର ପ୍ରବାହ ଧୀରେ ଧୀରେ ସକ୍ରିୟ ହେବାକୁ ଲାଗିବ। ୧୯-୨୦ ତାରିଖ ଆଡ଼କୁ ପାଣିପାଗର ଏହି ଶୈଳୀରେ ବଡ଼ ପରିବର୍ତ୍ତନ ଆସିବ। ବର୍ତ୍ତମାନ ବଙ୍ଗୋପସାଗରରେ ବାଦଲ ସୃଷ୍ଟି ହେଉଛି ଏବଂ ସେଠାରେ ବାୟୁର ମିଳନ ଘଟୁଛି, ଯାହା ଫଳରେ ସ୍ଥଳଭାଗରୁ ପବନ ସମୁଦ୍ର ଆଡ଼କୁ ଗତି କରୁଛି। ୧୯-୨୦ ତାରିଖ ବେଳକୁ ସ୍ଥଳଭାଗରେ ଜଳୀୟ ବାଷ୍ପ ବଢ଼ିବା ଯୋଗୁଁ ଏଠାରେ ମଧ୍ୟ କନଭର୍ଜେନ୍ସି ଡେଭଲପ୍ କରିବ।
ଏହାଦ୍ୱାରା ବଙ୍ଗୋପସାଗର ଏବଂ ଆରବ ସାଗର- ଉଭୟ ପଟରୁ ପବନ ସ୍ଥଳଭାଗ ଆଡ଼କୁ ବହିବ ଏବଂ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ମୌସୁମୀ ସ୍ରୋତ ସମ୍ପୂର୍ଣ୍ଣ ସକ୍ରିୟ ହେବା ପରେ ଆକାଶ ମେଘାଚ୍ଛନ୍ନ ରହିବ, ଯାହାଫଳରେ ଘଡ଼ଘଡ଼ି ଓ ବିଜୁଳିର ସମ୍ଭାବନା କମିଯିବ ଏବଂ କେବଳ ଲଗାତାର ବର୍ଷା ହେବ।
ଜୁନ୍ ୨୦ ତାରିଖରୁ ବର୍ଷାର ପରିମାଣ ଧୀରେ ଧୀରେ ବୃଦ୍ଧି ପାଇବ। ଜୁନ୍ ୨୦ରୁ ୨୨-୨୩ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶା ଅପେକ୍ଷା ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି ଏବଂ ନୟାଗଡ଼ ଆଦି ପକେଟରେ ପ୍ରବଳ ବର୍ଷା ହୋଇପାରେ।
ପଶ୍ଚିମ ଓଡ଼ିଶାରେ ମଧ୍ୟ ବର୍ଷା ହେବ, କିନ୍ତୁ ଏହା ଧୀରେ ଧୀରେ ବଢ଼ିବ। ୧୯ ତାରିଖ ପରେ ଉପକୂଳ ସହିତ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ। ଜୁନ୍ ୨୦ରୁ ସାରା ଓଡ଼ିଶାରେ ବର୍ଷାର ପରିବେଶ ସୃଷ୍ଟି ହେବ ଏବଂ ପରବର୍ତ୍ତୀ ସମୟରେ ଜୁଲାଇ ମାସ ସୁଦ୍ଧା ସମଗ୍ର ଓଡ଼ିଶାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି।
