ଡିଜେଲ ଦର ବୃଦ୍ଧି ପରେ ରାଜ୍ୟରେ ପୁଣି ବଢିଲା ଘରୋଇ ବସ ଭଡ଼ା
କଟକ(ସଂକେତ ଟିଭି): ଡିଜେଲ ଦର ବୃଦ୍ଧି ପରେ ରାଜ୍ୟରେ ଘରୋଇ ବସ ଭଡ଼ା ପୁଣି ବଢ଼ିଛି। ଗତ ମେ ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫ ଟଙ୍କା ୮୭ ପଇସା ଥିଲା, କିନ୍ତୁ ମେ ୩୧ ତାରିଖରେ ଏହା ବୃଦ୍ଧି ପାଇ ୧୦୦ ଟଙ୍କା ୬୮ ପଇସାରେ ପହଞ୍ଚିଥିଲା। ଏହି ବୃଦ୍ଧି ଯୋଗୁଁ ବସ ଭଡ଼ାରେ ପରିବର୍ତ୍ତନ ଆସିଛି।
ପୂର୍ବରୁ ମେ ୧୫ ତାରିଖରେ ବସ ଭଡ଼ା ବୃଦ୍ଧି ପାଇଥିଲା। ଆଜି ପୁନର୍ବାର ଭଡ଼ା ବଢ଼ିଛି। ନୂଆ ହାର ଅନୁଯାୟୀ, ସାଧାରଣ ବସର ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୦ ପଇସା ଥିବା ସ୍ଥାନରେ ୨ ପଇସା ବୃଦ୍ଧି ପାଇ ୯୨ ପଇସା ହୋଇଛି। ଏକ୍ସପ୍ରେସ ବସର ଭଡ଼ା ୯୪ ପଇସାରୁ ବୃଦ୍ଧି ପାଇ ୯୬ ପଇସା ହୋଇଛି। ଡିଲକ୍ସ ବସର ଭଡ଼ା ୧.୩୧ ପଇସାରୁ ୪ ପଇସା ବଢ଼ି ୧.୩୫ ପଇସା ହୋଇଛି। ଏସି ଡିଲକ୍ସ ଭଡ଼ା ୧.୫୯ ପଇସାରୁ ବଢ଼ି ୧.୬୩ ପଇସା ହୋଇଛି। ସୁପର ଡିଲକ୍ସ ଭଡ଼ା ୨.୪୭ ପଇସାରୁ ୬ ପଇସା ବଢ଼ି ୨.୫୩ ପଇସା ହୋଇଛି।
ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ଡିଜେଲ ଦର ବୃଦ୍ଧି ଯୋଗୁଁ ଅଟୋମେଟିକ ମେକାନିଜିମ ପ୍ରକ୍ରିୟାରେ ବସ ଭଡ଼ା ବୃଦ୍ଧି କରାଯାଇଛି।
ଗତ ମେ ୩୦ ତାରିଖରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ଭଡ଼ା ବୃଦ୍ଧି ପାଇଁ ସରକାରଙ୍କୁ ୧୦ ଦିନିଆ ଡେଡଲାଇନ ଦେଇଥିଲେ। ଏହି ଡେଡଲାଇନ ମଧ୍ୟରେ ଭଡ଼ା ନବଢ଼ିଲେ ବସ ଚଳାଚଳ ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଥିଲେ। ରାଜ୍ୟରେ ପ୍ରତିଦିନ ପ୍ରାୟ ୧୪ ହଜାର ଘରୋଇ ବସ ନିୟୋଜିତ ରହିଛି, ଯେଉଁଥିରେ ୮ ହଜାର ମାଲିକ ଏବଂ ୪ ଲକ୍ଷ କର୍ମଚାରୀ କାର୍ଯ୍ୟରତ ଅଛନ୍ତି।
