FeaturedLatestNews

ଜିରୋ କାଜୁଆଲିଟି ପାଇଁ ବିଶ୍ଵପ୍ରଶଂସିତ ଓଡ଼ିଶା, ବ୍ରିକ୍ସ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ(ସଂକେତ ଟିଭି): ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଛନ୍ତି। ଏହି ସମ୍ମିଳନୀକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ବ୍ରିକ୍ସ ‘ଡିଜାଷ୍ଟର୍ ରିଡକ୍ସନ୍ ୱାର୍କିଂ ଗ୍ରୁପ’ର ଦ୍ବିତୀୟ ବୈଷୟିକ ସମ୍ମିଳନୀରେ ୧୧ଟି ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି। ଆଜିର ବୈଠକରେ ବିଶ୍ବ ବିପର୍ଯ୍ୟୟ ପରିଚାଳନା ଓ ପ୍ରତିହତ ନେଇ ମନ୍ଥନ ହୋଇଛି।

ବୈଠକରେ ବାତ୍ୟା ପରିଚାଳନା, ପୂର୍ବ ସତର୍କତା, ସ୍ଥାନାନ୍ତରଣ କାର୍ଯ୍ୟ, ଗୋଷ୍ଠୀ ଭିତ୍ତିକ ସ୍ତରରେ କାର୍ଯ୍ୟକ୍ରମ ଏବଂ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ରାଜ୍ୟର ବିଶ୍ବସ୍ତରୀୟ ସଫଳତା ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ବ୍ରିକ୍ସ ଦେଶ ଆଗରେ ଓଡ଼ିଶାର ବାତ୍ୟା ମୁକାବିଲାର ସଫଳତା ସୂତ୍ର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

‘ଜଗନ୍ନାଥଙ୍କ ଭୂମିରେ ଆପଣଙ୍କୁ ସ୍ବାଗତ’ କହି ମୁଖ୍ୟମନ୍ତ୍ରୀ ବ୍ରିକ୍ସ ସମ୍ମିଳନୀରେ ଯୋଗଦେଇଥିବା ଅତିଥିମାନଙ୍କୁ ସ୍ବାଗତ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ବିପର୍ଯ୍ୟୟ ପରିଚାଳନା ଓ ହ୍ରାସ ଏକ ଜାତୀୟ ପ୍ରୟାସ। ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲିଟି ପାଇଁ ଓଡ଼ିଶା ସାରା ବିଶ୍ବରେ ପ୍ରଶଂସିତ। ବୈଠକରୁ ପ୍ରାପ୍ତ ଉପଯୋଗୀ ନିଷ୍କର୍ଷ ଆଗାମୀ ଦିନରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ପାଇଁ ଲାଭଦାୟକ ହେବ।” ସେ ବିପର୍ଯ୍ୟୟ ପରିଚାଳନାରେ ବୈଷୟିକ ଅନୁଷ୍ଠାନ, ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ଗୁରୁତ୍ବାରୋପ କରିଛନ୍ତି।

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଜ ବକ୍ତବ୍ୟରେ ୧୯୯୯ ମହାବାତ୍ୟାର ଭୟଙ୍କର ସ୍ମୃତିକୁ ମନେପକାଇ ସେତେବେଳେ ଓଡ଼ିଶାର ଅସହାୟତା ବର୍ଣ୍ଣନା କରିଥିଲେ। ପରେ ରାଜ୍ୟ କିପରି ବିପର୍ଯ୍ୟୟ ପରିଚାଳନାରେ ସମ୍ପୂର୍ଣ୍ଣ ନୂଆ ଆଭିମୁଖ୍ୟ ଆପଣେଇଲା, ତାହା ଉପରେ ଆଲୋକପାତ କରିଥିଲେ। ପୂର୍ବ ସତର୍କ ସୂଚନା, ସ୍ଥାନାନ୍ତରଣ, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଓ ଆଞ୍ଚଳିକ ଗୋଷ୍ଠୀଙ୍କ ଯୋଗଦାନ ଭଳି ପଦକ୍ଷେପ ରାଜ୍ୟକୁ ବିପର୍ଯ୍ୟୟ ପରିଚାଳନାରେ ଅଗ୍ରଣୀ କରିଛି ବୋଲି ମନ୍ତ୍ରୀ କହିଛନ୍ତି।

ବୈଠକରେ ୧୧ଟି ସଦସ୍ୟ ରାଷ୍ଟ୍ର – ବ୍ରାଜିଲ୍, ଚୀନ୍, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସରେ ପାରସ୍ପରିକ ସହଯୋଗର ଆହ୍ବାନ ଦେଇଛନ୍ତି।

ବ୍ରିକ୍ସ ସମ୍ମିଳନୀ ୨୦୨୬ର ଥିମ୍ “ବିଲ୍ଡିଂ ଫର ରେଜିଲିଏନ୍ସ, ଇନୋଭେସନ, କୋଅପରେସନ ଆଣ୍ଡ ସଷ୍ଟେନାବିଲିଟି” ରଖାଯାଇଛି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ, ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଯୋଗଦେଇଛନ୍ତି। ଭାରତର ବ୍ରିକ୍ସ ୨୦୨୬ ଅଧ୍ୟକ୍ଷତା ଅଧୀନରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ପକ୍ଷରୁ ଜୁନ୍ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀଠାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ (ଡିଆରଆରଜି)ର ବୈଠକ ଆୟୋଜିତ ହେଉଛି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁରୀ ବ୍ରିକ୍ସ ବୈଠକକୁ ପ୍ରଶଂସା କରି ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, “ପୁରୀରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜନ କରୁଥିବା ଦେଖି ଗର୍ବିତ। ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶା ପ୍ରକୃତିର କ୍ରୋଧକୁ ସାହସ ଓ ଦୃଢ଼ତାର ସହ ସାମ୍ନା କରିଛି, ଗୋଟିଏ ନୀତି ଦ୍ବାରା ପରିଚାଳିତ – ପ୍ରତ୍ୟେକ ଜୀବନ ମୂଲ୍ୟବାନ। ସ୍ଥିର ଭିତ୍ତିଭୂମି ନିର୍ମାଣ ଓଡ଼ିଶାକୁ ଦୁର୍ବଳତାରୁ ବିପର୍ଯ୍ୟୟ ପରିଚାଳନାର ବିଶ୍ବବ୍ୟାପୀ ଆଲୋକପଥରେ ପରିଣତ କରିଛି।”

ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ବିଶ୍ବର ରୋଲ୍ ମଡେଲ ସାଜିଛି। ଘୂର୍ଣ୍ଣିଝଡ଼ ଓ ଭୀଷଣ ବାତ୍ୟା ପରିଚାଳନା ପାଇଁ ପ୍ରାରମ୍ଭିକ ଚେତାବନୀ, ସ୍ଥାନାନ୍ତରଣ ଓ ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରଦାନ କ୍ଷେତ୍ରରେ ରାଜ୍ୟର ସଫଳତା ବିଶ୍ବସ୍ତରରେ ସ୍ବୀକୃତ। ଏହି ବୈଠକ ପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ମନୋନୀତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୭ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି।