ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ଓ ଅଫିସ ସମେତ ୯ ସ୍ଥାନରେ ଚଢ଼ାଉ
ଭୁବନେଶ୍ୱର(ସଂକେତ ଟିଭି): କନ୍ଧମାଳ ଜିଲ୍ଲା ବାଲିଗୁଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠନାଥ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି (ଶନିବାର) ତାଙ୍କ ଘର ଓ ଅଫିସ ସମେତ ୯ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।
ବାଲିଗୁଡା ସମେତ ଭୁବନେଶ୍ୱର, ବାରିପଦା, ଯାଜପୁର ଜିଲ୍ଲାର ଧର୍ମଶାଳାରେ ଯାଞ୍ଚ କରାଯାଉଛି। ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହକାରୀ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ଭିଜିଲାନ୍ସ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଭୁବନେଶ୍ୱର ନୀଳାଦ୍ରି ବିହାରସ୍ଥିତ ୪ ମହଲା କୋଠା, ଶୈଳେଶ୍ରୀ ବିହାରସ୍ଥିତ ୩ ମହଲା କୋଠା, ପଟିଆ କାନନ ବିହାରସ୍ଥିତ ୨ ମହଲା କୋଠା, ଚନ୍ଦ୍ରଶେଖରପୁରରେ ୨ ମହଲା କୋଠା ଠାବ କରାଯାଇଛି। ସେହିପରି ଯାଜପୁର ଧର୍ମଶାଳାରେ ପୈତୃକ ସମ୍ପତ୍ତିରେ ଥିବା ୨ ମହଲା କୋଠା, ବାରିପଦା ଦେଉଳ ସାହିରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ଧର୍ମଶାଳା କଲେଜ ନିକଟରେ ଥିବା ଆଉ ଜଣେ ସମ୍ପର୍କୀୟଙ୍କ ଘର, ବାଲିଗୁଡା ITDA ସ୍ଥିତ ଅଫିସ ଚାମ୍ବର ଓ ITDA ଅଫିସ ନିକଟରେ ଥିବା କ୍ୱାର୍ଟର ରହିଛି। ପଟିଆସ୍ଥିତ ୨ ମହଲା କୋଠାରେ ପରିବାର ସଦସ୍ୟ ରହୁଛନ୍ତି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ, ଭୁବନେଶ୍ୱରଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ଏକ ବହୁସ୍ତରୀୟ ଟିମ୍ ତାଙ୍କ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଏକାସଙ୍ଗରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଜମା, ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ ଦଲିଲର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।
ତେବେ ତଦନ୍ତ ଚାଲିଥିବାରୁ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେନେଇ ଭିଜିଲାନ୍ସ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ। ଚଢ଼ାଉ ଜାରି ରହିଥିବା ବେଳେ ବହୁ ସମ୍ପତ୍ତି ଠାବ ହେବାର ସମ୍ଭାବନା ରହିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ପରବର୍ତ୍ତୀ ସୂଚନା ଦିଆଯିବ ବୋଲି କୁହାଯାଇଛି।
