ଟ୍ରକ୍ ଧକ୍କାରେ ବାପା-ଝିଅଙ୍କ ମୃତ୍ୟୁ
ବାଲେଶ୍ବର (ସଂକେତ ଟିଭି): ୧୬ ନମ୍ବର ଜାତୀୟ ରାଜପଥ ସୋର ଉତ୍ତରେଶ୍ୱର ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ୍ ପଛରୁ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ବାପା ଓ ତାଙ୍କ ଝିଅଙ୍କ ଜୀବନ ଚାଲିଯାଇଛି।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ମନୋଜ ଦାସ ତାଙ୍କ ୭ ବର୍ଷୀୟ ଝିଅ ସହ ବାଇକ୍ ଯୋଗେ ବାଲେଶ୍ୱର ପଟୁ ଫେରୁଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କ ବାଇକ୍କୁ ପଛରୁ ଧକ୍କା ଦେଇ ଚାଲିଯାଇଥିଲା।
ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ବାପା ଓ ଝିଅଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ବାଲେଶ୍ୱର-ଭୁବନେଶ୍ୱର ରାଜପଥ କିଛି ସମୟ ପାଇଁ ବନ୍ଦ ରହିଥିଲା।
ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରି ସୋର ଡାକ୍ତରଖାନାକୁ ପଠାଇଥିଲା। ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିଛି।
