ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ ପ୍ରକାଶ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ରେଜଲ୍ଟ ପ୍ରକାଶ ପାଇଛି । ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ସ୍ବାଇଁ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ।
ଚଳିତ ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ସରକାରୀ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳିତ ୧୬ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ମୋଟ ୯୩ଟି କେନ୍ଦ୍ର ସମେତ ରାଜ୍ୟ ବାହାରର ୩ଟି ସହର (କଲିକତା, ପାଟଣା ଏବଂ ରାଞ୍ଚି)ର ୬ଟି ପରୀକ୍ଷା କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ଗତ ମେ ୪ରୁ ୧୦ ପର୍ଯ୍ୟନ୍ତ OJEE ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏବର୍ଷ ସମୁଦାୟ ୯୨,୬୨୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୬୨,୬୯୧ ଜଣ ପରୀକ୍ଷାର୍ଥୀ ନିଜ ନିଜ ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ସ୍ଥାନ (ରେଙ୍କ) ପାଇଛନ୍ତି। ପରୀକ୍ଷାର୍ଥୀମାନେ OJEE ୱେବସାଇଟ୍ (www.ojee.nic.in) ରୁ ନିଜର ରେଙ୍କ କାର୍ଡ ଡାଉନଲୋଡ୍ କରିପାରିବେ। ରେଙ୍କଙ୍କ ପାଇଥିବା ସମସ୍ତ ପରୀକ୍ଷାର୍ଥୀ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ଆଡମିଶନ ନିମନ୍ତେ OJEE କାଉନସେଲିଂରେ ଅଂଶଗ୍ରହଣ କରିପାରିବେ।
OJEE ୨୦୨୬ର ବିଭିନ୍ନ ବିଭାଗରେ ଟପ୍ପରମାନଙ୍କ ନାମ ଘୋଷଣା କରାଯାଇଛି । ଏମବିଏରେ ତ୍ରିବିକ୍ରମ ପ୍ରଧାନ ଟପ୍ପର ହୋଇଛନ୍ତି । ସେହିପରି ଏମସିଏରେ ନରେନ ପାତ୍ର ଏବଂ ଏମ.ଫାର୍ମାରେ ଶ୍ୟାମସୁନ୍ଦର ବେହେରା ଟପ୍ପର ହୋଇଛନ୍ତି ।
ଚଳିତ ମାସର ତୃତୀୟ ସପ୍ତାହରୁ କାଉନସେଲିଂ ଆରମ୍ଭ ହେବ ବୋଲି ଜଣାପଡିଛି ।
