CulturalFeaturedLatestNews

ଶ୍ରୀମନ୍ଦିର ଓ ମହାପ୍ରଭୂଙ୍କ ସହିତ ଜଡିତ ଶବ୍ଦାବଳୀର କପିରାଇଟ୍ ପାଇଁ ଆବେଦନ

ପୁରୀ(ସଂକେତ ଟିଭି): ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କେହି ‘ମହାପ୍ରସାଦ’ ନାମ ନେଇ ବିକ୍ରି କରିପାରିବେ ନାହିଁ, ଏହା ଉପରେ ରୋକ୍ ଲାଗିବ। ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସହ ଜଡ଼ିତ ଶବ୍ଦାବଳୀର ପେଟେଣ୍ଟ ବା କପିରାଇଟ୍ ପାଇଁ ଆଇପି ଇଣ୍ଡିଆରେ ଆବେଦନ କରିଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ।

ଶ୍ରୀମନ୍ଦିର, ଆନନ୍ଦବଜାର, ବଡଦାଣ୍ଡ, ମହାପ୍ରସାଦ, ନୀଳଚକ୍ର ଆଦି ମହାପ୍ରଭୁ ଓ ଶ୍ରୀମନ୍ଦିର ସମ୍ପର୍କିତ ଶବ୍ଦାବଳୀର ଅନ୍ୟତ୍ର ବ୍ୟବହାର ଉପରେ ରୋକ୍ ଲାଗିବ। ବିଶେଷ ଭାବେ ଶ୍ରୀମନ୍ଦିରରେ ବ୍ୟବହୃତ ଭାଷା, ପରମ୍ପରା, ସଂସ୍କୃତିକୁ ସୁରକ୍ଷା ଦେବାକୁ ଏହି ଆବେଦନ ବେଶ୍ ଗୁରୁତ୍ୱ ବହନ କରୁଛି।

ଏହି ପେଟେଣ୍ଟ ଆବେଦନକୁ ଧାର୍ମିକ ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି। ଏନେଇ ଶ୍ରୀମନ୍ଦିର ଚୂନରା ସେବକ ଶରତ ମହାନ୍ତି କହିଛନ୍ତି, “ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସମ୍ପର୍କିତ ସମସ୍ତ ଶବ୍ଦାବଳୀ କେବଳ ଶ୍ରୀକ୍ଷେତ୍ର ପୁରୀ ତଥା ମୂଳପୀଠ ପାଇଁ ପ୍ରଯୁଜ୍ୟ। ହେଲେ ଏହି ସବୁ ଶବ୍ଦାବଳୀର ବିଭିନ୍ନ ସ୍ଥାନରେ ବ୍ୟବସାୟୀକରଣ ଚାଲିଛି, ଯାହାକି ଜଗନ୍ନାଥ ସଂସ୍କୃତି ପ୍ରତି ଅବମାନନା। ଏଣୁ ମହାପ୍ରଭୁଙ୍କ ସମ୍ପର୍କିତ ସମସ୍ତ ଶବ୍ଦାବଳୀକୁ ପେଟେଣ୍ଟ ମିଳିଲେ ଏହାର ଅପବ୍ୟବହାର ହେବ ନାହିଁ। ଏହାକୁ ଯିଏ ଉଲ୍ଲଂଘନ କରିବ ସେ ଦଣ୍ଡିତ ହେବେ।”

ଜଗନ୍ନାଥପ୍ରେମୀ ଚକ୍ରଧର ମହାପାତ୍ର କହିଛନ୍ତି, “ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସମ୍ପର୍କିତ ସମସ୍ତ ଶବ୍ଦାବଳୀ ମାଦଳା ପାଞ୍ଜି ଓ ଅନ୍ୟାନ୍ୟ ପୁରାଣରେ ଉଲ୍ଲେଖ ରହିଛି। ଏହା କେବଳ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ପାଇଁ ପ୍ରଯୁଜ୍ୟ। ଅନ୍ୟ କୌଣସି ସ୍ଥାନରେ ଏହି ଶବ୍ଦ ବ୍ୟବହାର ହୋଇପାରିବ ନାହିଁ। ଏଣୁ ସବୁ ଶବ୍ଦର ପେଟେଣ୍ଟ ହେବା ଉଚିତ୍। ଶ୍ରୀମନ୍ଦିର ପରିଚାଳନା କମିଟି ଯେଉଁ ନିଷ୍ପତ୍ତି ନେଇଛି, ତାହାକୁ ଆମେ ସ୍ୱାଗତ କରୁଛୁ।”

‘ଜଗନ୍ନାଥ ଧାମ’ ବି ହେବ ପେଟେଣ୍ଟ ଅନ୍ତର୍ଭୁକ୍ତ। କେବଳ ମୂଳପୀଠରେ ହିଁ ବ୍ୟବହୃତ ହୋଇପାରିବ ‘ଜଗନ୍ନାଥ ଧାମ’ ନାମ। ଖଜା, ମହାପ୍ରସାଦ, ନିର୍ମାଲ୍ୟ ପ୍ରଭୃତିର ଅନଲାଇନ୍ ବିକ୍ରି ଉପରେ ଏହି ବ୍ୟବସ୍ଥା ଦ୍ୱାରା ଅଙ୍କୁଶ ଲଗାଯାଇପାରିବ। ପଶ୍ଚିମବଙ୍ଗ ଦୀଘାରେ ‘ଜଗନ୍ନାଥ ଧାମ’ ବୋର୍ଡ ଲଗାଯାଇ ବିବାଦ ସୃଷ୍ଟି ହୋଇଥିଲା। ଏବେ ପେଟେଣ୍ଟ ହେଲେ ଏସବୁ ଉପରେ ରୋକ୍ ଲାଗିପାରିବ।

ଇଣ୍ଡିଆନ ପେଟେଣ୍ଟ ଅଫିସର୍ କଣ୍ଟ୍ରୋଲର ଜେନେରାଲଙ୍କୁ ଗତ ଜୁନ୍ ୧ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜେ ପତ୍ର ଲେଖି ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ପେଟେଣ୍ଟ ମଞ୍ଜୁରୀ ପରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିବ ଏହାର କପିରାଇଟ୍। ଫଳରେ ମୂଳପୀଠରେ ହିଁ କେବଳ ବ୍ୟବହୃତ ହୋଇପାରିବ। ଥରେ ପେଟେଣ୍ଟ ମିଳିଲେ ଆସନ୍ତା ୨୦ ବର୍ଷ ପାଇଁ କପିରାଇଟ୍ ରହିବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, “ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସମ୍ପର୍କିତ ଅନେକ ଶବ୍ଦକୁ ଲୋକମାନେ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରୁଛନ୍ତି, ଯାହାଦ୍ୱାରା ଜଗନ୍ନାଥ ସଂସ୍କୃତି କ୍ଷୁର୍ଣ୍ଣ ହେଉଛି। ଜଗନ୍ନାଥ ସଂସ୍କୃତିକୁ ବିକୃତିରୁ ରକ୍ଷା କରିବା ପାଇଁ ସମସ୍ତ ଶବ୍ଦାବଳୀର ପେଟେଣ୍ଟ ତଥା କପିରାଇଟ୍ ଆବେଦନ କରାଯାଇଛି। ଆଶା କରୁଛୁ ଏହା ଶୀଘ୍ର ମିଳିଯିବ।”