ରାଜ୍ୟ ସରକାରଙ୍କ ଦୁଇ ବର୍ଷର ୧ଟି୨ ୟୁ-ଟର୍ଣ୍ଣ ଗଣାଇଲା ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି। ସରକାରଙ୍କୁ ଘେରିଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ପ୍ରେସ୍ ମିଟ୍ କରି ବିଜେପି ସରକାରଙ୍କ ଦୁଇ ବର୍ଷର ୧୨ ଯୁ-ଟର୍ଣ୍ଣ ଗଣାଇଲେ।
୧. ଭତ୍ତା ପ୍ରସଙ୍ଗ: ଭତ୍ତା ପାଉନାହାନ୍ତି ହିତାଧିକାରୀ। ସଂକଳ୍ପ ପତ୍ରରେ କହିଥିଲେ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ୩୫୦୦ ଟଙ୍କା ଦିଆଯିବ, ହେଲେ ଦେଉନାହାନ୍ତି। ନବୀନ ବାବୁ ଯେଉଁ ୧୦୦୦ ଟଙ୍କା ଦେଉଥିଲେ ତାକୁ ବି ୩ ମାସ ହେଲା ଦେଉନାହାନ୍ତି ହିତାଧିକାରୀମାନଙ୍କୁ। ନୂଆ ନିୟମ ଆଣିଲେ ୮୦ ବର୍ଷର ଊର୍ଦ୍ଧ୍ୱ ଲୋକଙ୍କୁ ଦିଆଯିବ, ନିର୍ବାଚନ ବେଳେ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିଲେ।
୨. ଇନପୁଟ୍ ସବ୍ସିଡି: ବିଜେପି କହିଥିଲା ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ୍ ସବସିଡି ଦେବେ, ଚଳିତ ଖରିଫରେ ତାହା କମାଇଦେଲେ। ଚାଷୀଙ୍କୁ ଧୋକା ଦେଲେ। ଚାଷୀ ପିଛା ୧୫୦ କ୍ୱିଣ୍ଟାଲ ୧୦୦୦ ସିଲିଂ ଲଗାଇଛନ୍ତି ଯାହା ସଂକଳ୍ପ ପତ୍ରରେ ନଥିଲା, ଚାଷୀଙ୍କୁ ଭଣ୍ଡେଇଲେ।
୩. ସୁଭଦ୍ରା ଯୋଜନା: ସୁଭଦ୍ରା ଯୋଜନାରେ ବର୍ଷରେ ୫୦ ହଜାର ଦେବେ ବୋଲି ଘୋଷଣା କରିଥିଲେ। କିନ୍ତୁ ପ୍ରଥମ କ୍ୟାବିନେଟ୍ରେ ୧୦ ହଜାର ଟଙ୍କା ଦେବେ ବୋଲି ନିଷ୍ପତ୍ତି ନେଲେ। ୟୁଟର୍ଣ୍ଣ ମାରିଲେ।
୪. ଜଗନ୍ନାଥ ମନ୍ଦିର: ଜଗନ୍ନାଥ ସଂସ୍କୃତି କଥା କହୁଛନ୍ତି, ଏହା ପ୍ରତାରଣା। ଶୀତତାପ ନିୟନ୍ତ୍ରିତ ସେଡ୍ କୁ ହଟାଇ ଦେଲେ। ଭକ୍ତ ଡହଳ ବିକଳ ହେଉଛନ୍ତି। ଆଇନ ମନ୍ତ୍ରୀ କହିଥିଲେ, ମନ୍ଦିରରେ ଧାଡ଼ି ଦର୍ଶନ ହେବ। କାର୍ଯ୍ୟକାରୀ ହୋଇପାରିଲାନି। ମାଗଣାରେ ମହାପ୍ରସାଦ ମିଳିବ, ହେଲେ ଘୋଷଣା କାର୍ଯ୍ୟକାରୀ ହେଲାନାହିଁ। ଶ୍ରୀମନ୍ଦିର ଚାବି ହଜିବା ରିପୋର୍ଟ ଗୃହରେ ରଖିବେ କହିଥିଲେ। ହେଲେ ଭୁଲିଗଲେ, ୟୁ ଟର୍ଣ୍ଣ ନେଇଗଲେ।
୫. ଛାତ୍ର ସଂସଦ ନିର୍ବାଚନ: ଶିକ୍ଷା ମନ୍ତ୍ରୀ କହିଥିଲେ ୨୫-୨୬ରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ। ହେଲେ ୨୫ରେ କଲେନି। ଏ ବର୍ଷ କରିବେ କି ନାହିଁ ସନ୍ଦେହ। ଛାତ୍ରଛାତ୍ରୀଙ୍କୁ ଧୋକା ଦେଲେ।
୬. ମିଡ୍ ଡେ’ ମିଲ୍ରେ କ୍ଷୀର: ରାଜ୍ୟ ସରକାର ନୂତନ ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କୁ ମିଡ୍ ଡେ’ ମିଲ୍ରେ କ୍ଷୀର ୨୦୦ ମି.ଲି. ପ୍ରଦାନ କରିବେ କହିଥିଲେ, ହେଲେ ଏଯାଏଁ ମିଳିଲାନି।
୭. ଦରମା ବୃଦ୍ଧି: ସରକାର ବିଧାୟକ, ମନ୍ତ୍ରୀ, ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ବଢେଇବା କଥା କହିଥିଲେ। ହେଲେ ପରେ ବାଧ୍ୟ ହୋଇ ନିଷ୍ପତ୍ତି ପ୍ରତ୍ୟାହାର କଲେ। ୟୁ ଟର୍ଣ୍ଣ ନେଇଗଲେ।
୮. ମେଟ୍ରୋ ପ୍ରକଳ୍ପ: ନବୀନ ପଟ୍ଟନାୟକ ମେଟ୍ରୋ ପ୍ରକଳ୍ପ ଶୁଭାରମ୍ଭ କରିଥିଲେ। ସରକାର ଆସିବା ପରେ ଏ ପ୍ରକଳ୍ପ ବନ୍ଦ କରିଦେଲେ। ଲୋକଙ୍କ ଆକ୍ରୋଶର ଶିକାର ହେବା ପରେ କହିଲେ ଏହାକୁ ସ୍ଥଗିତ ରଖାଯାଇଛି। ୟୁ ଟର୍ଣ୍ଣ ନେଲେ।
୯. ପ୍ରଦୂଷଣ ସାର୍ଟିଫିକେଟ୍: ପରିବହନ ମନ୍ତ୍ରୀ କହିଥିଲେ ବିନା ପ୍ରଦୂଷଣ ସାର୍ଟିଫିକେଟ୍ରେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ। ଲୋକ ପିୟୁସିସି ସେଣ୍ଟର ଆଗରେ ଲାଇନ ଲଗାଇଲେ। ଆକ୍ରୋଶର ଶିକାର ହୋଇ ଏହି ନୋଟିଫିକେଶନକୁ ପ୍ରତ୍ୟାହାର କଲେ।
୧୦. ବିଜୁ ପଟ୍ଟନାୟକ ଖେଳ ପୁରସ୍କାର: ପୂର୍ବରୁ ବିଜୁ ପଟ୍ଟନାୟକ ଖେଳ ପୁରସ୍କାର ନାମ ପରିବର୍ତ୍ତନ କରିବାକୁ ନୋଟିଫିକେଶନ କଲେ। ପରେ ପ୍ରତ୍ୟାହାର କରିନେଲେ।
୧୧. ଆସନ ସଂରକ୍ଷଣ: ପଞ୍ଚାୟତରେ ଆସନ ସଂରକ୍ଷଣ ଚୂଡ଼ାନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପୁଣି ପରେ ଏହାକୁ ପ୍ରତ୍ୟାହାର କରିଦେଲେ।
୧୨. ମଦ ବନ୍ଦ: ବିଜେପି ନେତା କହିଲେ ଓଡ଼ିଶାରେ ମଦ ବନ୍ଦ କରିବେ, କମାଇବେ, ସରକାରକୁ ଆସିବା ପରେ ୟୁ-ଟର୍ଣ୍ଣ ନେଇଗଲେ। ମଦ ବନ୍ଦ ପରିବର୍ତ୍ତେ ପ୍ରସାର କଲେ। ଗୁଟଖା ନିକୋଟିନ ବନ୍ଦ କରିବା ପାଇଁ କହିଥିଲେ, ନୋଟିଫିକେଶନ କରିଥିଲେ। ଗୁଟଖା ଲବିରେ ଚାପି ହୋଇ ଏହାକୁ ପ୍ରତ୍ୟାହାର କରିନେଲେ।
