ଜୁନ୍ ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି ଅବଧି ବଢ଼ିବ କି ନାହିଁ, ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ତେବେ ଏହାରି ଭିତରେ ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଖୋଲିବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ବଡ଼ ଖବର। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହା ଉପରେ ଆଜି ସମ୍ପୂର୍ଣ୍ଣ ବିରାମ ଲଗାଇଛନ୍ତି।
ଆସନ୍ତା ଜୁନ୍ ୧୮ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ମନ୍ତ୍ରୀଙ୍କ କହିବା ଅନୁସାରେ, ଆସନ୍ତା ୧୮ ତାରିଖରେ ଗ୍ରୀଷ୍ମ ଛୁଟିର ସମୟସୀମା ଶେଷ ହେଉଛି। ତେଣୁ ନିର୍ଦ୍ଧାରିତ ସମୟରେ ହିଁ ସ୍କୁଲ ଗୁଡ଼ିକ ଖୋଲିବ। ତେବେ ଆଗକୁ ଯଦି ଅସହ୍ୟ ଗରମ ହୁଏ, ପରିସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ବିଚାର କରାଯିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଛୁଟି ବଢ଼ାଇବା ନେଇ ସେମିତି କୌଣସି ଅଲଗା ନିଷ୍ପତ୍ତି ହୋଇନାହିଁ।
ପୂର୍ବରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖିବା ସହ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି କରାଯାଇଥିଲା। ଏପ୍ରିଲ ୨୭ରୁ ସ୍କୁଲ ଗୁଡ଼ିକ ଛୁଟି କରିଦିଆଯାଇଥିଲା। ଗ୍ରୀଷ୍ମ ପ୍ରବାହ କମିବା ପରେ ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ କହିଥିଲେ। ସ୍କୁଲ ଖୋଲିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ସ୍କୁଲଗୁଡ଼ିକରେ ପାନୀୟ ଜଳ, ପର୍ଯ୍ୟାପ୍ତ ବାୟୁ ଚଳାଚଳ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ।
