ଗରମ-ଗୁଳୁଗୁଳିରେ ଉପକୂଳ ଘାଣ୍ଟି ହେବ ଓଡିଶା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର (ସଂକେତ ଟିଭି): ଖରା, ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ୩ ଦିନ ଗୁଳୁଗୁଳିରେ ଘାଣ୍ଟିହେବ ଉପକୂଳ ଓଡ଼ିଶା । ଏନେଇ ଉପକୂଳ ଓଡ଼ିଶାର ୧୪ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ସହ ଆସନ୍ତା ୨୪ ଘଣ୍ଟାରେ ସମ୍ବଲପୁର ପାଇଁ ହିଟ୍ ୱେଭ୍ ଜାରି କରିଛି ପାଣିପାଗ ବିଭାଗ । ତେବେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ଅସହ୍ୟ ଗରମ ଓ ଗୁଳୁଗୁଳିରୁ ନିସ୍ତାର ପାଇବାର ସମ୍ଭାବନା କମ୍ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ।
ସେପଟେ ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଉ ୪ରୁ ୫ ଘଣ୍ଟା ମଧ୍ୟରେ ଛୁଇଁବ ସାରା ଓଡ଼ିଶା । ଏହାସହ ରାଜ୍ୟରେ ଟ୍ରପ ଲାଇନ ସହ କାଳବୈଶାଖୀ ଯୋଗୁ ବର୍ଷା ହେଉଥିବା ବେଳେ ଆହୁରି ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ଦେଇଛି ବିଭାଗ ।
୨୪ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ:
ଆସନ୍ତା ୨୪ ଘଂଟାରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବା ବେଳେ ମାଲକାନଗିରି, କୋରାପୁଟ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼, ଏହି ୧୨ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୫୦ରୁ ୬୦ କିମି ବେଗରେ ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅବଶିଷ୍ଟ ୧୮ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୪୦ରୁ ୫୦ କିମି ବେଗରେ ଝଟକା ପବନ ବହିବାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।
ଆସନ୍ତାକାଲି ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ:
ଆସନ୍ତାକାଲି ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବା ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ସୁନ୍ଦରଗଡ଼ । ଏହି ୧୪ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୫୦ରୁ ୬୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ଅବଶିଷ୍ଟ ୧୬ଟି ଜିଲ୍ଲାରେ ବଜ୍ରପାତ ସହ ୪୦ ରୁ ୫୦ କିମି ବେଗରେ ଝଟକା ପବନ ବହିବାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।
ସମୁଦ୍ର ଅଶାନ୍ତ, ମତ୍ସ୍ୟଜୀବୀଙ୍କୁ ବାରଣ:
୨୨ ଜୁନ୍ ପରେ ରାଜ୍ୟରେ କୌଣସି ଚେତାବନୀ ନାହିଁ । ଏପଟେ ଆଜି ଓଡ଼ିଶା ଉପକୂଳରେ ୪୦ରୁ ୫୦ କିମି ସର୍ବାଧିକ ୬୦ କିମି ବେଗରେ ପବନ ସହ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆସନ୍ତା ୨୪ ଘଣ୍ଟା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ବାରଣ କରାଯାଇଛି । ଆଜି ବିଶେଷକରି ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ଚେତାବନୀ ରହିଥିବା ବେଳେ ଆଗାମୀ ୩ ଘଣ୍ଟା ପାଇଁ ଭୁବନେଶ୍ୱର ଓ କଟକରେ ୪୦ରୁ ୫୦ କିମି ବେଗରେ ପବନ ସହ ବର୍ଷା ଓ ବଜ୍ରପାତ ପାଇଁ ଚେତାବନୀ ଦେଇଛି ବିଭାଗ ।
ଜୁନ୍ ଶେଷ ସପ୍ତାହରେ ଲଘୁଚାପ ସମ୍ଭାବନା:
ସେପଟେ ଜୁନ୍ ଶେଷ ସପ୍ତାହରେ ଲଘୁଚାପ ସମ୍ଭାବନା ନେଇ ବିଶେଷଜ୍ଞ ମତ ଦେଇଥିବା ବେଳେ ଏନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ସ୍ପଷ୍ଟୋକ୍ତି ଦେଇନାହିଁ ବୋଲି କହିଛନ୍ତି, ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ତେବେ ୨୪-୨୫ ଜୁନ୍ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଜୁନ୍ ୨୨-୨୩ ପରେ ନିମ୍ନ-ସ୍ତରୀୟ ଜେଟ୍ (Low-Level Jet) କ୍ରମଶଃ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି, ଯାହା ଆର୍ଦ୍ରତା ପ୍ରବାହକୁ ବଢ଼ାଇବ ।
କୃଷି ପାଣିପାଗ ବିଶାରଦଙ୍କ ମତ:
କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଆସନ୍ତା ୨୧ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ସହ ଅସହ୍ୟ ଗରମ ହେବ । ରାତିରେ ମଧ୍ୟ ଗରମରୁ ନିସ୍ତାର ମିଳିନପାରେ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଭୀଷଣ ଗରମ ଜାରି ରହିବ । ଏହି ସମୟରେ ସାରା ରାଜ୍ୟରେ ବ୍ୟାପକ ବର୍ଷା ହେବ । କେତେକ ଜାଗାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
