ପାଠ୍ୟପୁସ୍ତକ ତ୍ରୁଟି ଘଟଣାର ତଦନ୍ତ ଆରମ୍ଭ, ୭ ଦିନ ଭିତରେ ଦେବେ ରିପୋର୍ଟ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ବିଭିନ୍ନ ସ୍କୁଲରେ ବଣ୍ଟନ କରାଯାଇଥିବା ନୂତନ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗକୁ ନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଘଟଣାରେ ଆଜିଠାରୁ ଆନୁଷ୍ଠାନିକ ତଦନ୍ତ ଆରମ୍ଭ ହୋଇଯାଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂହ ଏହି ତଦନ୍ତ କମିଟିର ନେତୃତ୍ୱ ନେଇଛନ୍ତି ଏବଂ ତଥ୍ୟ ସଂଗ୍ରହ ଆରମ୍ଭ କରିଦେଇଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକରେ ମୋଟ ୧୬୭୮ଟି ତ୍ରୁଟି ରହିଛି । ଏହି ତ୍ରୁଟିଗୁଡ଼ିକ ମଧ୍ୟରେ ତଥ୍ୟଗତ ଭୁଲ, ଭାଷାଗତ ଅଶୁଦ୍ଧି ଏବଂ ମୁଦ୍ରଣଗତ ଭୁଲ ରହିଛି । ଅଭିଭାବକ, ଶିକ୍ଷାବିତ୍ ଓ ବିରୋଧୀ ଦଳ ଏହାକୁ ନେଇ ତୀବ୍ର ଆପତ୍ତି ଉଠାଇଥିଲେ । ଫଳରେ ଏହି ପ୍ରସଙ୍ଗ ରାଜ୍ୟରେ ବ୍ୟପକ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ଘଟଣାକୁ ଗୁରୁତର ବୋଲି ବିବେଚନା କରି ମୁଖ୍ୟମନ୍ତ୍ରୀ ଗତକାଲି (ଗୁରୁବାର) ଏକ ଜରୁରୀ ସମୀକ୍ଷା ବୈଠକ ଡାକିଥିଲେ । ଏହି ବୈଠକରେ ଗଣଶିକ୍ଷା ସଚିବ, ଓଡ଼ିଶା ସ୍କୁଲ ଶିକ୍ଷା ପ୍ରାଧିକରଣ (ଓସେପା) ନିର୍ଦ୍ଦେଶକ ଏବଂ ଏସଆଇଟି ନିର୍ଦ୍ଦେଶକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ଗୁଡ଼ିକୁ ତୁରନ୍ତ ସୁଧାରିବା ସହିତ ଏଥିରେ ସମ୍ପୃକ୍ତ ଅଧିକାରୀ ଏବଂ ସଂସ୍ଥାମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ପରେ ଆଜିଠାରୁ ତଦନ୍ତ ଆରମ୍ଭ ହୋଇଛି ।
ତଦନ୍ତ କମିଟିକୁ ମାତ୍ର ୭ ଦିନ ମଧ୍ୟରେ ତଦନ୍ତ ସମ୍ପୂର୍ଣ୍ଣ କରି ଏକ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରିପୋର୍ଟରେ ତ୍ରୁଟି କେଉଁ ସ୍ତରରେ ହୋଇଛି, ଏହା ପାଇଁ କେଉଁ ଅଧିକାରୀ ବା ସଂସ୍ଥା ଦାୟୀ, ସେନେଇ ଉଲ୍ଲେଖ କରିବାକୁ କୁହାଯାଇଛି । ତଦନ୍ତ କମିଟିର ଅନ୍ୟ ସଦସ୍ୟମାନେ ହେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପ-ସଚିବ ସ୍ମିତା ପାଣି ।
ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଭୁଲ କରିଥିବା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଶିକ୍ଷାବିତ୍ ମାନେ ମଧ୍ୟ ଏହି ଘଟଣାକୁ ଗୁରୁତର ବୋଲି ମତ ଦେଇ ପାଠ୍ୟପୁସ୍ତକର ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଶିକ୍ଷା ସହ ଜଡ଼ିତ ବିଷୟରେ କୌଣସି ପ୍ରକାର ଅବହେଳା ବରଦାସ୍ତ କରାଯିବ ନାହିଁ । ଏହି ତଦନ୍ତ ପରେ ପାଠ୍ୟପୁସ୍ତକ ଗୁଡ଼ିକୁ ଶୀଘ୍ର ସୁଧାରି ଶିକ୍ଷାର୍ଥୀମାନଙ୍କୁ ନିର୍ଭୁଲ ପୁସ୍ତକ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କୁହାଯାଇଛି ।
