ବିଜେଡି ଓ କଂଗ୍ରେସର ୧୧ ବିଧାୟକଙ୍କ ସଦସ୍ୟତା ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି
ଭୁବନେଶ୍ୱର (ସଂକେତ ଟିଭି): ବିଜେଡି ଏବଂ କଂଗ୍ରେସ ବିଧାୟକମାନଙ୍କର ସଦସ୍ୟତା ରଦ୍ଦ ଆବେଦନ ଖାରଜ ପରେ ବାଚସ୍ପତି ସୁରମା ପାଢ଼ୀ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ବାଚସ୍ପତି କହିଛନ୍ତି ଯେ, ଉଭୟ ଦଳ ପକ୍ଷରୁ ଦାଖଲ ହୋଇଥିବା ପିଟିସନଗୁଡ଼ିକ ସମ୍ପୂର୍ଣ୍ଣ ନଥିଲା ଏବଂ ସେଥିରେ ଆବଶ୍ୟକୀୟ ତଥ୍ୟ ଓ ପ୍ରମାଣର ଅଭାବ ରହିଥିଲା। ଫଳରେ, ମୋଟ ୧୧ ଜଣ ବିଧାୟକଙ୍କ ମଧ୍ୟରୁ ବିଜେଡିର ୮ ଜଣ ଏବଂ କଂଗ୍ରେସର ୩ ଜଣ ବିଧାୟକଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରାଯାଇଛି।
ବାଚସ୍ପତି ଶ୍ରୀମତୀ ପାଢ଼ୀ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପ୍ରତ୍ୟେକ ଆବେଦନର ସହିତ ସଂଲଗ୍ନ କରାଯାଇଥିବା ଏନକ୍ଲୋଜର ପେପରରେ ଦସ୍ତଖତ ନଥିଲା। ସେହିପରି, ଯେଉଁ ବ୍ୟକ୍ତି ପିଟିସନର ସତ୍ୟପାଠ ଦେବା କଥା, ତାଙ୍କ ପକ୍ଷରୁ ସତ୍ୟପାଠ ମଧ୍ୟ ଦାଖଲ ହୋଇନଥିଲା। ନିୟମ ୬ର ଉପ-ନିୟମ ୬ ଏବଂ ୭ ଅନୁଯାୟୀ, ଯଥେଷ୍ଟ ପ୍ରମାଣ ଏବଂ ତଥ୍ୟ ନଥିବାରୁ ଏହି ଆବେଦନଗୁଡ଼ିକୁ ଖାରଜ କରାଯାଇଛି ବୋଲି ବାଚସ୍ପତି କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍ ଭୋଟିଂ ଅଭିଯୋଗରେ ବିଜେଡି ତାହାର ୮ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ କରିଥିଲା। ଏହି ବିଧାୟକମାନେ ହେଲେ – ସୁବାଷିନୀ ଜେନା, ଅରବିନ୍ଦ ମହାପାତ୍ର, ଚନ୍ଦ୍ରମଣି କହଁର, ସନା ମହାକୁଡ଼, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ଵାଳ।
ସେହିଭଳି, କଂଗ୍ରେସ ଦଳ ମଧ୍ୟ ନିଜର ୩ ଜଣ ବିଧାୟକ – ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଏବଂ ଦଶରଥୀ ଗମାଙ୍ଗଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲା। ତେବେ, ତଥ୍ୟ ଓ ପ୍ରମାଣର ଅଭାବ ଯୋଗୁଁ କଂଗ୍ରେସର ଏହି ଆବେଦନକୁ ମଧ୍ୟ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଖାରଜ କରିଦେଇଛନ୍ତି।
