ଗ୍ୟାସ ଲିକ୍ ଦୁର୍ଘଟଣାରେ ୭ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି
ଭୁବନେଶ୍ୱର (ସଂକେତ ଟିଭି): ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଅମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୭ରେ ପହଞ୍ଚିଛି। ପ୍ରଥମେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ସିଏମ୍ଆର୍ଏଫ୍ (CMRF) ରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ। ମାତ୍ର ଆଜି ସେ ଏହି ସହାୟତା ରାଶିକୁ ବୃଦ୍ଧି କରି ୧୦ ଲକ୍ଷ ଟଙ୍କା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ସେଣ୍ଟ ପିଟର ଆଣ୍ଡ ପଲ୍ ସି-ଫୁଡ୍ସ ଏକ୍ସପୋର୍ଟସ୍ କମ୍ପାନୀରେ ଘଟିଥିବା ଏହି ଦୁର୍ଘଟଣାରେ ଆଉ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ କୋଡ଼ିପଶା ଗ୍ରାମର ସଜନୀ ଜୁଆଙ୍ଗଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ ୭ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଜୁଆଙ୍ଗ ସମ୍ପ୍ରଦାୟର ହୋଇଥିବା ବେଳେ ଅଧିକାଂଶ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ରଙ୍ଗମାଟିଆ ଗ୍ରାମ ଏବଂ ବଂଶପାଳ ଅଞ୍ଚଳର ବାସିନ୍ଦା।
ଆଜି ସନ୍ଧ୍ୟା ୭ଟାରେ ୫ ଜଣ ମୃତ ଶ୍ରମିକଙ୍କ ପାର୍ଥିବ ଶରୀର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। ଜଣେ ଅଧିକାରୀ ମୃତଦେହ ସହ ଆସିବେ। ଏହାପରେ ମୃତଦେହଗୁଡ଼ିକୁ ସିଧା କେନ୍ଦୁଝର ନିଆଯିବ। ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ମନ୍ତ୍ରିପରିଷଦର ଅନ୍ୟ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାସହ ଓଡ଼ିଶାର ୪ ଜଣିଆ ପ୍ରତିନିଧି ଚେନ୍ନାଇରେ ରହି ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି।
