ସୁବର୍ଣ୍ଣରେଖା ନଦୀରେ ଆସିପାରେ ମଧ୍ୟମ ଧରଣର ବନ୍ୟା
ଭୁବନେଶ୍ୱର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିସ୍ଥିତି ଆହୁରି ଗୁରୁତର ହେବାକୁ ଥିବା ନେଇ ଆଶଙ୍କା କରାଯାଉଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସୂଚନା ଦେଇଛନ୍ତି ଯେ, ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ। ତେବେ ଅନ୍ୟ ଜିଲ୍ଲାଗୁଡ଼ିକରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ବେଳେ ବୃଷ୍ଟିପାତ ମଧ୍ୟ ହ୍ରାସ ପାଇବାରୁ ଆଶ୍ୱସ୍ତି ମିଳିଛି। କିନ୍ତୁ ଝାଡ଼ଖଣ୍ଡ କ୍ୟାଚମେଣ୍ଟ ଅଞ୍ଚଳରୁ ଅଧିକ ଜଳ ନିଷ୍କାସିତ ହେଉଥିବାରୁ ସୁବର୍ଣ୍ଣରେଖାର ଜଳସ୍ତର ବୃଦ୍ଧି ପାଉଛି।
ଚାନ୍ଦିଲି ଡ୍ୟାମ୍ରୁ ଏବେ ୧୪୧୦.୪୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଫଳରେ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ଜଳସ୍ତର ବଢ଼ିବ। ରାଜଘାଟରେ ପାଣି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ପରିସ୍ଥିତି ଆହୁରି ଗୁରୁତର ହେବ। ବ୍ରାହ୍ମଣୀ, ବୈତରଣୀ ଓ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ବାଲେଶ୍ବରରେ ଆଜି ସନ୍ଧ୍ୟା ସୁଦ୍ଧା ପାଣି ବଢ଼ିବା ଆରମ୍ଭ ହେବ ଏବଂ ମଧ୍ୟରାତିରେ ତାହା ଶିଖରରେ ପହଞ୍ଚିପାରେ। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଥିବା ବେଳେ ମୟୁରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ରାଜ୍ୟର ୬ ଜିଲ୍ଲାର ୬୮ ବ୍ଲକରେ ବନ୍ୟା ପ୍ରଭାବ ରହିଛି। ୪୬୯ ପଞ୍ଚାୟତ, ୧୫୭୯ ଗାଁ ଏବଂ ୧୦ ସହରାଞ୍ଚଳର ୬୪ ୱାର୍ଡ ପ୍ରଭାବିତ ହୋଇଛନ୍ତି। ମୋଟ ୧୧ ଲକ୍ଷ ୬୫ ହଜାର ୮୩୭ ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୪ ଲକ୍ଷ ୨୬ ହଜାର ୬୭୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ୫୮ ହଜାର ୪୬୫ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ବେଳେ ୧୮୮୨ ଘର କ୍ଷତିଗ୍ରସ୍ତ ହୋଇଛି।
ବାଲେଶ୍ବର ଜିଲ୍ଲା ପ୍ରଶାସନକୁ ଅଧିକ ଉଦ୍ଧାରକାରୀ ଦଳ କିମ୍ବା ରାହାତ ସାମଗ୍ରୀ ଆବଶ୍ୟକ ହେଲେ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀମାନଙ୍କୁ ସହାୟତା ପାଇଁ ସରକାର ବିହନ ଯୋଗାଇବେ। ଏଥିପାଇଁ ସରକାରୀ ବିହନ ବିକ୍ରି କେନ୍ଦ୍ର (ଆଉଟଲେଟ) ଖୋଲାଯିବ। ରାଜ୍ୟରେ ୧୬ ହଜାର କ୍ୱିଣ୍ଟାଲ୍ ବିହନ ମହଜୁଦ ଥିବା ବେଳେ ୪୦ ହଜାର କ୍ୱିଣ୍ଟାଲ୍ ଆବଶ୍ୟକ। ଅଭାବ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ଅତିରିକ୍ତ ବିହନ ଅଣାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।
ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଗାଲୁଡିହିରୁ ଏବେ ୬ ହଜାର ୫୦୦ କ୍ୟୁମେକ୍ ପାଣି ଆସୁଛି। ଆସନ୍ତା ବୁଧବାର ରାତି ୧୨ଟା ସୁଦ୍ଧା ବନ୍ୟାର ଶିଖର ସମୟ ଆସିବ ବୋଲି ଆଶଙ୍କା କରାଯାଉଛି, ଯାହାଫଳରେ ବାଲିଆପାଳ, ବସ୍ତା, ଭୋଗରାଇ ଓ ଜଳେଶ୍ୱର ଅଞ୍ଚଳ ପ୍ରଭାବିତ ହେବ।
ଅନ୍ୟପଟେ, ଜଳକା, ବ୍ରାହ୍ମଣୀ, ବୈତରଣୀ, ସାଳନ୍ଦୀ ଓ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ହ୍ରାସ ପାଉଛି କିମ୍ବା ସ୍ଥିର ରହିଛି। ବୈତରଣୀରେ ୧୮.୫୭ ଫୁଟ୍ ପାଣି ରହିଥିବା ବେଳେ ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗରେ ପାଣି ବିପଦ ସଙ୍କେତ ତଳେ ରହିଛି। କିନ୍ତୁ ସୁବର୍ଣ୍ଣରେଖାର ବଢ଼ୁଥିବା ଜଳସ୍ତର ଯୋଗୁଁ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ଜଳବନ୍ଦୀ ପରିସ୍ଥିତି ଲାଗି ରହିପାରେ ବୋଲି ସେ ଚେତାବନୀ ଦେଇଛନ୍ତି।
