FeaturedGeneralLatest

ସୁପ୍ରିମକୋର୍ଟଙ୍କ ଏଆଇ କମିଟିର ଡ୍ରାଫ୍ଟ ଜାରି, ଜୁନ ୨୦ ସୁଦ୍ଧା ମତାମତ ଆମନ୍ତ୍ରିତ

ନୂଆଦିଲ୍ଲୀ(ସଂକେତ ଟିଭି): ସୁପ୍ରିମକୋର୍ଟଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କମିଟି ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ୟୁସେଜ ଇନ କୋର୍ଟସ ୨୦୨୬’ର ଏକ ଚିଠା (Draft) ଜାରି କରିଛନ୍ତି। ଏଥିରେ ରହିଯାଇଥିବା ତ୍ରୁଟିଗୁଡ଼ିକୁ ଦୂର କରି ଏହାକୁ ଲାଗୁ କରିବା ପାଇଁ ଦେଶର ସମସ୍ତ ଓକିଲ, ସାଧାରଣ ଜନତା, ନ୍ୟାୟିକ ଅଧିକାରୀ ଏବଂ ଆଇନ ବିଶେଷଜ୍ଞମାନଙ୍କୁ ଜୁନ ୨୦ ତାରିଖ ସୁଦ୍ଧା ନିଜର ମତାମତ ଓ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଚିଠା ପ୍ରସ୍ତାବ ଅନୁଯାୟୀ, ସାରା ଦେଶର ଅଦାଲତଗୁଡ଼ିକରେ ନ୍ୟାୟିକ ପ୍ରକ୍ରିୟାକୁ ଦ୍ରୁତ ଓ ପ୍ରଭାବଶାଳୀ କରିବା ପାଇଁ AIର ବ୍ୟବହାର କରାଯାଇପାରିବ। ଏହା ଦ୍ୱାରା କେସ୍ ମ୍ୟାନେଜମେଣ୍ଟ, କଜ୍ ଲିଷ୍ଟ (Cause List) ପ୍ରସ୍ତୁତ କରିବା, ଶୁଣାଣିର ତାରିଖ ଧାର୍ଯ୍ୟ କରିବା ଏବଂ ମାମଲାଗୁଡ଼ିକର ପ୍ରାଥମିକତା ସ୍ଥିର କରିବାରେ ସହାୟତା ମିଳିବ। ଏହାସହ କୋର୍ଟ କାର୍ଯ୍ୟଧାରାର ଟ୍ରାନ୍ସକ୍ରିପ୍ସନ (Transcription), ରାୟ ଏବଂ ଆବେଦନଗୁଡ଼ିକର ଅନୁବାଦ, ଆଇନଗତ ଗବେଷଣା (Legal Research), ସାଇଟେସନ ଭେରିଫିକେସନ (Citation Verification) ଏବଂ ପ୍ରଶାସନିକ କାର୍ଯ୍ୟ ମଧ୍ୟ AIର ସହାୟତାରେ କରାଯାଇପାରିବ।

ଏହି ଡ୍ରାଫ୍ଟ ରିଲିଜ୍ କରିବା ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, AI କୌଣସି ବି ମାମଲାର ପରିଣାମ ବିଷୟରେ ଭବିଷ୍ୟବାଣୀ କରିପାରିବ ନାହିଁ କିମ୍ବା ଜଜ୍ (ବିଚାରପତି)ଙ୍କ ଭୂମିକା ଗ୍ରହଣ କରିପାରିବ ନାହିଁ। ଏଭଳି ପରିସ୍ଥିତିରେ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର କେବଳ ବିଚାରପତିମାନଙ୍କ ପାଖରେ ହିଁ ରହିବ।

ଡ୍ରାଫ୍ଟ ଅନୁଯାୟୀ, ଅଦାଲତଗୁଡ଼ିକରେ AI କେବଳ ଏକ ସହାୟକ ଭାବରେ କାର୍ଯ୍ୟ କରିବ। AI ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୌଣସି ବି କଣ୍ଟେଣ୍ଟ, ଦିଆଯାଇଥିବା ପରାମର୍ଶ, କରାଯାଇଥିବା ଅନୁବାଦ ଏବଂ ଟ୍ରାନ୍ସକ୍ରିପ୍ସନକୁ ସଠିକ୍ ଭାବେ ଯାଞ୍ଚ (Verification) କରାଯିବା ପରେ ହିଁ ବ୍ୟବହାର କରାଯିବ, ନଚେତ୍ ବଡ଼ ଧରଣର ଭୁଲ ହେବାର ସମ୍ଭାବନା ରହିଛି।

ଏହି ଡ୍ରାଫ୍ଟରେ କେତେକ ନିର୍ଦ୍ଦିଷ୍ଟ ମାମଲାରେ AI ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାର ପ୍ରାବଧାନ ମଧ୍ୟ ରହିଛି। ଯେପରିକି ଜାମିନ ମିଳିବାର ସମ୍ଭାବନା, ଅଭିଯୁକ୍ତର ଭବିଷ୍ୟତର ବ୍ୟବହାର, ପୁନର୍ବାର ଅପରାଧ କରିବାର ଆଶଙ୍କା, ସାକ୍ଷୀର ବିଶ୍ୱସନୀୟତା କିମ୍ବା କୌଣସି ମୋକଦ୍ଦମାର ସମ୍ଭାବ୍ୟ ପରିଣାମର ଆକଳନ AI ଦ୍ୱାରା କରାଯାଇପାରିବ ନାହିଁ।

ଶେଷରେ, ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି ଯେ କୌଣସି ବି AI ସିଷ୍ଟମକୁ କୋର୍ଟରେ ଲାଗୁ କରିବା ପୂର୍ବରୁ ଏହାର ‘କଣ୍ଟ୍ରୋଲ୍ଡ ଏନଭାଇରନମେଣ୍ଟ ଟେଷ୍ଟିଂ’ (Controlled Environment Testing) କରାଯିବ। ଅର୍ଥାତ୍ ଏକ ନିୟନ୍ତ୍ରିତ ଏବଂ ସୁରକ୍ଷିତ ପରିବେଶରେ ଏହାର ବ୍ୟବହାରକୁ ପରଖାଯିବ। ଟେଷ୍ଟିଂ ସମୟରେ AIରୁ ମିଳୁଥିବା ଆଉଟପୁଟକୁ କୌଣସି ପ୍ରକୃତ ନ୍ୟାୟିକ ପ୍ରକ୍ରିୟା କିମ୍ବା ପ୍ରଶାସନିକ ନିଷ୍ପତ୍ତିରେ ବ୍ୟବହାର କରାଯିବ ନାହିଁ।