FeaturedLatestNews

ଭୁବନେଶ୍ୱରରେ ୨ ଟ୍ରେନ୍ ମୁହାଁମୁହିଁ: ଅଳ୍ପକେ ବର୍ତ୍ତିଲା ବଡ଼ ଦୁର୍ଘଟଣା

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ରେଳ ଷ୍ଟେସନ ନିକଟ ଝାରପଡ଼ା ବ୍ରିଜ୍ ଅଞ୍ଚଳରେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ହଠାତ୍ ମୁହାଁମୁହିଁ ହୋଇଯିବାରୁ ଏକ ବଡ଼ ରେଳ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ସୌଭାଗ୍ୟବଶତଃ, ଦୁଇ ଟ୍ରେନରେ କୌଣସି ଯାତ୍ରୀ ନଥିଲେ। ଘଟଣାରେ କାହାର ପ୍ରାଣହାନୀ ହୋଇନଥିବା ବେଳେ କେହି ମଧ୍ୟ ଆଘାତ ହୋଇନାହାନ୍ତି, ତଥାପି ରେଳ ବିଭାଗର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ଏପଟେ ରେଳବାଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଟ୍ରେନ୍ ସେବାରେ ବ୍ୟାଘାତ ହୋଇନାହିଁ ଏବଂ ମେନ୍ ଲାଇନ୍ ଓ ଯାତ୍ରୀ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି ବୋଲି ରେଳବାଇ ସୂଚନା ଦେଇଛି।

ଭୁବନେଶ୍ଵର ଝାରପଡ଼ା ନିକଟରେ ଦୁଇ ଟ୍ରେନ୍ ମୁହାଁମୁହିଁ ଘଟଣାକୁ ଖଣ୍ଡନ କରିଛନ୍ତି ପୂର୍ବତଟ ରେଲୱେର ମୁଖ୍ୟ ଜନସଂପର୍କ ଅଧିକାରୀ (CPRO) ଦୀପକ ରାଉତ। ସେ କହିଛନ୍ତି ଯେ, ଶଣ୍ଟିଂ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି। ଦୁଇଟି ଟ୍ରେନ୍ ଭିତରେ ଯେଉଁ ଦୂରତା ରହିବା କଥା, ତାହା ରହିନଥିଲା, କିନ୍ତୁ ଏହା ଏକ ବଡ଼ ଦୁର୍ଘଟଣା ନୁହେଁ କାରଣ ଉଭୟ ଟ୍ରେନରେ ଖାଲି ବଗି ଥିଲା।

ଶ୍ରୀ ରାଉତ ଆହୁରି କହିଛନ୍ତି ଯେ, ଗୋଟିଏ ଟ୍ରେନ୍ ମଞ୍ଚେଶ୍ବରରୁ ଭୁବନେଶ୍ୱର କୋଚିଂ ଡିପୋକୁ ଯାଉଥିଲା, ଆଉ ଗୋଟିଏ କୋଣାର୍କ ଏକ୍ସପ୍ରେସ୍ର ଖାଲି ବଗି କୋଚିଂ ଡିପୋରୁ ଭୁବନେଶ୍ବର ନ୍ୟୁ ରେଲୱେ ଷ୍ଟେସନ ଯାଉଥିଲା। ଗୋଟିଏ ଟ୍ରାକରେ ଶଣ୍ଟିଂ ହେଇଥିଲା, ଯାହାଫଳରେ ଦୁଇଟି ଟ୍ରେନ୍ ନିକଟତର ହୋଇଯାଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଲୋକୋ ପାଇଲଟ୍ (ସଲଟର)ର ମିସ୍ ଜଜମେଣ୍ଟ ଯୋଗୁଁ ଟ୍ରେନ୍ ଦୁଇଟି ମୁହାଁମୁହିଁ ହୋଇଛି। ଏହି ଘଟଣାରେ କାହାର ଅବହେଳା ରହିଛି, ତାହାର ତଦନ୍ତ ଚାଲିଛି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି CPRO ଶ୍ରୀ ରାଉତ ସ୍ପଷ୍ଟ କରିଛନ୍ତି।

ସକାଳ ୯ଟା ସମୟରେ, ଭୁବନେଶ୍ୱର ଷ୍ଟେସନରୁ କୋଚିଂ ଡିପୋ ଆଡକୁ ଯିବା ପାଇଁ ଗୋଟିଏ ଟ୍ରେନ୍ ଅପେକ୍ଷାରେ ଥିଲା। ସେହି ସମୟରେ ଆଉ ଏକ ଟ୍ରେନ୍ କୋଚିଂ ଡିପୋରୁ ନ୍ୟୁ ଭୁବନେଶ୍ୱର ଷ୍ଟେସନ ଆଡକୁ ଯାଉଥିଲା। ନ୍ୟୁ ଭୁବନେଶ୍ୱର ଷ୍ଟେସନ ଆଡକୁ ଯିବାକୁ ଥିବା ଟ୍ରେନଟି ପଛକୁ ବ୍ୟାକ୍ କରୁଥିବା ସମୟରେ, ପୂର୍ବରୁ ଅପେକ୍ଷା କରିଥିବା ଟ୍ରେନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଫଳରେ ଟ୍ରେନ୍ ଇଞ୍ଜିନର କିଛି ଅଂଶ ଭାଙ୍ଗି ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ଅଲଗା ଟ୍ରାକରେ ଥିବା ଯାତ୍ରୀବାହୀ ଟ୍ରେନ୍ର ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।

ଏହି ଘଟଣା ପୁଣିଥରେ ରେଳ ସୁରକ୍ଷା, ଶଣ୍ଟିଂ ପ୍ରକ୍ରିୟା ଏବଂ ମାନବୀୟ ତ୍ରୁଟି ରୋକିବା ପାଇଁ କଠୋର ନିରୀକ୍ଷଣର ଆବଶ୍ୟକତାକୁ ସାମ୍ନାକୁ ଆଣିଛି।