FeaturedLatestNews

ଡିଜି ପାହ୍ୟାକୁ ଗଲେ ସୁଧାଂଶୁ ଷଡ଼ଙ୍ଗୀ ଓ ପିଏସ୍ ରଣପିସେ

ଭୁବନେଶ୍ୱର (ସଂକେତ ଟିଭି): କ୍ୟାବିନେଟର ନିଯୁକ୍ତି କମିଟି (ACC) ଭାରତ ସରକାରଙ୍କର ପୋଲିସ ମହାନିର୍ଦ୍ଦେଶକ (DGP), DG ସମକକ୍ଷ, ଅତିରିକ୍ତ ସଚିବ (AS) ଏବଂ AS ସମକକ୍ଷ ସ୍ତରରେ ବରିଷ୍ଠ ପଦବୀରେ ନିଯୁକ୍ତି ପାଇଁ ୩୬ ଜଣ ବରିଷ୍ଠ ଅଧିକାରୀଙ୍କୁ ତାଲିକାଭୁକ୍ତ (ଏମ୍ପାନେଲ) କରିବାକୁ ଅନୁମୋଦନ କରିଛି। ଏଥିରେ ୩୩ ଜଣ IPS ଅଧିକାରୀ ଏବଂ IRSEE, ICAS ଓ IES ସେବାର ତିନି ଜଣ ଅଧିକାରୀ ରହିଛନ୍ତି।

କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ଏହି ତାଲିକା ପ୍ରକାଶ କରିଛି। ଦେଶର ୩୩ ଜଣ ବରିଷ୍ଠ ଭାରତୀୟ ପୋଲିସ ସେବା (IPS) ଅଧିକାରୀଙ୍କୁ DG ଓ DG ସମକକ୍ଷ ପଦବୀ ପାଇଁ ACC ଏମ୍ପାନେଲ କରିଛି। ଏଥିରେ ଓଡ଼ିଶା କ୍ୟାଡରର ଦୁଇ ଜଣ ବରିଷ୍ଠ ଅଧିକାରୀ ସ୍ଥାନ ପାଇଛନ୍ତି।

ଏମ୍ପାନେଲ ହୋଇଥିବା ଓଡ଼ିଶା କ୍ୟାଡର ଅଧିକାରୀ ଦୁଇ ଜଣ ହେଲେ: ୧୯୯୦ ବ୍ୟାଚର ଡଃ ସୁଧାଂଶୁ ଷଡ଼ଙ୍ଗୀ ଏବଂ ୧୯୯୫ ବ୍ୟାଚର ପିଏସ୍ ରଣପିସେ। ଏମ୍ପାନେଲମେଣ୍ଟ ପରେ ଉଭୟ ବରିଷ୍ଠ ଅଧିକାରୀ କେନ୍ଦ୍ର ସରକାରଙ୍କ ଅଧୀନରେ DG ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

କେନ୍ଦ୍ରୀୟ ଡେପୁଟେସନ ପାଇଁ ଏହି ଏମ୍ପାନେଲମେଣ୍ଟକୁ ଜଣେ IPS ଅଧିକାରୀଙ୍କ କ୍ୟାରିୟରର ଏକ ବଡ଼ ମାଇଲଖୁଣ୍ଟ ବୋଲି ଧରାଯାଏ। ଏହା ମାଧ୍ୟମରେ CRPF, BSF, CISF, ITBP ସମେତ ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାରେ ଉଚ୍ଚପଦବୀରେ କାର୍ଯ୍ୟ କରିବାର ସୁଯୋଗ ମିଳିଥାଏ। ଓଡ଼ିଶା କ୍ୟାଡରର ଏହି ଦୁଇ ଅଧିକାରୀଙ୍କ ଚୟନ ରାଜ୍ୟ ପୋଲିସ ବ୍ୟବସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଡଃ ସୁଧାଂଶୁ ଷଡ଼ଙ୍ଗୀ ରାଜ୍ୟର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ଦୌଡ଼ରେ ରହିଛନ୍ତି।

ଡଃ ସୁଧାଂଶୁ ଷଡ଼ଙ୍ଗୀ ମାଲକାନଗିରି SP ଭାବେ ପ୍ରଶାସନିକ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ସୁନ୍ଦରଗଡ଼, କେନ୍ଦୁଝର, ବ୍ରହ୍ମପୁର ଓ ବାଲେଶ୍ଵରର SP ଭାବେ କାର୍ଯ୍ୟ କରିଛନ୍ତି। ପ୍ରାୟ ୩୫ ବର୍ଷର କ୍ୟାରିଅରରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ବର୍ତ୍ତମାନ ଡଃ ଷଡ଼ଙ୍ଗୀ ଓଡ଼ିଶା ସରକାରଙ୍କ ଅଗ୍ନିଶମ ଏବଂ ହୋମଗାର୍ଡ DG ଭାବରେ ୨୦୨୩ ମେ ୨୨ ତାରିଖରୁ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ଟ୍ଵିନ ସିଟି ପୋଲିସ କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ସେହିପରି ୧୯୯୫ ବ୍ୟାଚର ପିଏସ୍ ରଣପିସେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ CISFର ଅତିରିକ୍ତ DG ଭାବେ କାର୍ଯ୍ୟରତ। ପୂର୍ବରୁ ସେ ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି।