ଆସୁଛି ଦୁଇଟି ଲଘୁଚାପ –ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା କିଛି ଦିନ ମଧ୍ୟରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଗୋଟିଏ ବଙ୍ଗୋପସାଗରରେ ଏବଂ ଅନ୍ୟଟି ଆରବ ସାଗରରେ। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ସମୁଦ୍ର ପତନଠାରୁ ୩.୧ କିଲୋମିଟର ଉପରସ୍ଥ ବାୟୁମଣ୍ଡଳରେ ରହିଛି।
ଏହି ଘୂର୍ଣ୍ଣିବଳୟର ପ୍ରଭାବରେ ଗତ ୧୮ ତାରିଖଠାରୁ ଦୁର୍ବଳ ହୋଇଥିବା ମୌସୁମୀ ବାୟୁ ପୁନଃ ସକ୍ରିୟ ହେବ। ଫଳରେ ମୌସୁମୀ ବାୟୁ ଆଗକୁ ବଢ଼ିବାରେ ସହାୟକ ହେବ।
ସେପଟେ ଆରବ ସାଗରରେ ମଧ୍ୟ ଲଘୁଚାପ ସୃଷ୍ଟିର ସମ୍ଭାବନା ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଉତ୍ତର ଭାରତ ମହାସାଗର ଅଞ୍ଚଳ ପାଇଁ ‘ସାଇକ୍ଲୋନ୍ ୱାଚ୍’ ଜାରି କରାଯାଇଛି।
ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମୁଦ୍ରରେ ଲଘୁଚାପ ବା ଅବପାତ ସୃଷ୍ଟି ହେବାର ସ୍ୱଳ୍ପରୁ ମଧ୍ୟମ ଧରଣର ସମ୍ଭାବନା ରହିଛି। ବିଶେଷକରି ଆରବ ସାଗର ଉପରେ ପାଣିପାଗ ବିଭାଗ ନଜର ରଖିଛି। ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ, ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
