FeaturedGeneralLatestPolitics

ସିଦ୍ଧରମୈୟାଙ୍କ ଇସ୍ତଫା, ଡି.କେ. ଶିବକୁମାର ହୋଇପାରନ୍ତି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ(ସଂକେତ ଟିଭି): କର୍ଣ୍ଣାଟକ ରାଜନୀତିରେ ବଡ଼ ପରିବର୍ତ୍ତନ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି ଅପରାହ୍ନ ପ୍ରାୟ ୩ଟାରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ଏହା ପୂର୍ବରୁ ସେ ମନ୍ତ୍ରୀମାନଙ୍କ ସହ ଏକ ବ୍ରେକଫାଷ୍ଟ୍ ବୈଠକରେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

ସିଦ୍ଧରମୈୟାଙ୍କ ଇସ୍ତଫା ପରେ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ପାରନ୍ତି। ତାଙ୍କ ନାମ ସହ ଗୃହମନ୍ତ୍ରୀ ପରମେଶ୍ୱରଙ୍କ ନାମ ମଧ୍ୟ ଆଲୋଚନା ହେଉଛି। ସୂତ୍ର ଅନୁଯାୟୀ, ମଙ୍ଗଳବାର ଦିନ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କ ବୈଠକରେ ସିଦ୍ଧରମୈୟା କ୍ଷମତା ହସ୍ତାନ୍ତର କରିବାକୁ ରାଜି ହୋଇଥିଲେ। ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ପାଇବା ପରେ ସେ ଏହି ନିଷ୍ପତ୍ତି ନେଇଥିଲେ।

ସିଦ୍ଧରମୈୟା ତାଙ୍କ କାବେରୀ ବାସଭବନରେ ମନ୍ତ୍ରୀମାନଙ୍କ ପାଇଁ ଏକ ବ୍ରେକଫାଷ୍ଟ ଆୟୋଜନ କରିଥିଲେ। ସକାଳ ୯ଟାରୁ ଆରମ୍ଭ ହେବାକୁ ଥିବା ବୈଠକ ଗୋଟିଏ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ସିଦ୍ଧରମୈୟା ନିଜେ ବିଳମ୍ବରେ ପହଞ୍ଚିଥିଲେ। ଏହି ବୈଠକରେ ଗୃହମନ୍ତ୍ରୀ ଜି. ପରମେଶ୍ୱର, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ।

ଅନ୍ୟପଟେ, ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍ ବୁଧବାର ରାତିରେ ତାଙ୍କ ରାଜ୍ୟ ମଧ୍ୟପ୍ରଦେଶ ଯାତ୍ରା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁମାନ କରାଯାଉଛି ଯେ, ସିଦ୍ଧରମୈୟାଙ୍କ ଇସ୍ତଫା ପ୍ରକ୍ରିୟା ସାମାନ୍ୟ ବିଳମ୍ବିତ ହୋଇପାରେ। ତେବେ ସେ ଇସ୍ତଫା ଦେଇସାରିଥିବାରୁ ଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ ବୋଲି ଆଶା କରାଯାଉଛି।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସିଦ୍ଧରମୈୟାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ସେ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ ସକ୍ରିୟ ରାଜନୀତିରୁ ଦୂରେଇବେ ନାହିଁ କିମ୍ବା ଜାତୀୟ ରାଜନୀତିରେ ତାଙ୍କର କୌଣସି ରୁଚି ନାହିଁ। ସେ ରାଜ୍ୟ ରାଜନୀତିରେ କାମ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ରିପୋର୍ଟରଙ୍କୁ ପ୍ରତିକ୍ରିୟା ଦେଇ ସିଦ୍ଧରମୈୟା କହିଛନ୍ତି ଯେ ତାଙ୍କୁ ରାଜ୍ୟସଭା ଅଫର୍ କରାଯାଇଥିଲା। କିନ୍ତୁ ସେ ରାଜ୍ୟ ରାଜନୀତିରେ ରହିବାକୁ ଚାହାଁନ୍ତି। ଏଥିପାଇଁ ସେ ରାଜ୍ୟସଭା ଅଫର୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, “ମୋତେ ରାଜ୍ୟସଭା ଯିବାକୁ ପଚରାଯାଇଥିଲା। କିନ୍ତୁ ମୁଁ ବିନମ୍ରତାର ସହ ମନା କରିଦେଇଥିଲି। ମୋର ରାଜ୍ୟ ରାଜନୀତିରେ ଆଗ୍ରହ ରହିଛି। ଲୋକେ ମୋତେ ୫ ବର୍ଷ ପାଇଁ ନିର୍ବାଚିତ କରିଛନ୍ତି। ତେଣୁ ମୋ ହାତରେ ଆଉ ଦୁଇ ବର୍ଷ ସମୟ ଅଛି। ମୁଁ ଏଠାରେ ରହିବି।”

ଦିଲ୍ଲୀରେ କଂଗ୍ରେସ ବୈଠକ ହେବା ପରେ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଓ ସେ ରାଜ୍ୟସଭା ସାଂସଦ ହୋଇ ଦିଲ୍ଲୀ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ବରିଷ୍ଠ ନେତାଙ୍କ ବୟାନ ପରେ ଏହି ଅନୁମାନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

କର୍ଣ୍ଣାଟକରେ କଂଗ୍ରେସ ସରକାରର କ୍ଷମତା ଭାଗବଣ୍ଟା ଫର୍ମୁଲା ଅନୁଯାୟୀ ମୁଖ୍ୟମନ୍ତ୍ରୀ ପଦ ବଦଳିବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଚାଲିଛି। ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ନେଇ ହେଉଥିବା ଆଲୋଚନା ଏବଂ ଦିଲ୍ଲୀରେ ଚାଲିଥିବା ହାଇ-ଲେଭଲ୍ ବୈଠକ ମଧ୍ୟରେ ହାଇକମାଣ୍ଡ ତାଙ୍କୁ ଏହି ପ୍ରସ୍ତାବ ଦେଇଥିଲେ। ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ପ୍ରକ୍ରିୟାକୁ ସହଜ କରିବା ପାଇଁ ସିଦ୍ଧରମୈୟାଙ୍କୁ କେନ୍ଦ୍ର ରାଜନୀତିକୁ ଆଣିବା ସହ ରାଜ୍ୟସଭା ଆସନ ଯାଚିବାକୁ ଦଳୀୟ ହାଇକମାଣ୍ଡ ଯୋଜନା କରିଥିଲେ। ମାତ୍ର ସିଦ୍ଧରମୈୟା ଏହାକୁ ସିଧାସଳଖ ମନା କରିଦେଇଛନ୍ତି।