ଶିମିଳିପାଳରୁ ୩ ଶିକାରୀ ଗିରଫ, ଏଆଇ କ୍ୟାମେରାରେ କଏଦ ହେଲା ତଥ୍ୟ
ବାରିପଦା (ସଂକେତ ଟିଭି): ପୁଣି ଶିମିଳିପାଳ ଅଭୟାରଣ୍ୟରୁ ତିନି ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଜଙ୍ଗଲରେ ଲାଗିଥିବା ଏଆଇ କ୍ୟାମେରା ଯୋଗୁଁ ଧରା ପଡ଼ିଥିଲେ ଏହି ତିନି ଜଣ । ସେମାନେ ମୃତ ହାତୀର ହାଡ଼ କଙ୍କାଳକୁ କାଟି ନେଇ ଯାଇଥିଲେ ।
ଶିମିଳିପାଳ ଅଭୟାରଣ୍ୟର ଡେପୁଟି ଡାଇରେକ୍ଟର (ଉତ୍ତର) ରମେଶ କୁମାରଙ୍କ ନିର୍ଦ୍ଦେଶରେ ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳ କର୍ମଚାରୀମାନେ ଗତକାଲି ଭୋର ୫ଟା ବେଳେ ହାତିଗୋଡ଼ା ଗ୍ରାମ ପଞ୍ଚାୟତ ଜାମୁଡ଼ିହା ଏବଂ ହାତିଗୋଡ଼ାରେ ଚଢ଼ଉ କରି ଏହି ୩ ଜଣଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ଶିକାରରେ ବ୍ୟବହୃତ ଧନୁତୀର ଆଦି ଜବତ କରାଯାଇଛି ।
ବନବିଭାଗର ସୂଚନା ଅନୁଯାୟୀ, ଚମ୍ପାଗଡ଼ା ବିଟ୍ ନିକଟ ଜଙ୍ଗଲରେ ଅସୁସ୍ଥତା ଯୋଗୁଁ ପ୍ରାୟ ୫୫ ବର୍ଷର ଏକ ମାଇ ହାତୀର ମୃତ୍ୟୁ ଘଟିଥିଲା । ବନବିଭାଗ ହାତୀ ମୃତ୍ୟୁ ଘଟଣା ବାବଦରେ ଅବଗତ ହେବା ପରେ ହାତୀର ବ୍ୟବଚ୍ଛେଦ କରାଇ ଥିଲେ । ବ୍ୟବଚ୍ଛେଦ ପରେ ହାତୀର ମୃତଦେହକୁ ଜୀବଜନ୍ତୁଙ୍କ ଖାଦ୍ୟ ଉଦ୍ଦେଶ୍ୟରେ ଛାଡ଼ି ଦିଆ ଯାଇଥିଲା ।
ଗତ ୧୩ ତାରିଖ ଦିନ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଜାମୁଡିହା ଗ୍ରାମର ଦାସମାତ ମୁର୍ମୁ, ଶଙ୍କର ମୁର୍ମୁ, ହାତିଗୋଡ଼ା ଗ୍ରାମର ପାଣ୍ଡୁ ସୋରେନ ଜଙ୍ଗଲକୁ ଯାଇ ହାତୀ ର ହାଡ଼ ଓ କଙ୍କାଳକୁ କୁରାଢ଼ି ରେ ହାଣି ଘରକୁ ନେଇ ଯାଇଥିଲେ । ଜଙ୍ଗଲରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟରୁ ଶିକାରୀମାନେ ହାତୀର ହାଡ଼ କଙ୍କାଳକୁ ନେଇ ଯାଉଥିବାର ବନବିଭାଗ ଜାଣିବାକୁ ପାଇଥିଲା ।
ଏହି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଚିହ୍ନଟ କରିଥିଲା ବନବିଭାଗ । ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଦୁର୍ଗା ଚରଣ ବାସ୍କେଙ୍କ ନେତୃତ୍ବରେ ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ, ଆସିଷ୍ଟାଣ୍ଟ ପ୍ରୋଟେକ୍ସନ ଫୋର୍ସ ଏବଂ ବନବିଭାଗ କର୍ମଚାରୀମାନେ ମିଳିତ ଭାବେ ୩ ଜଣଙ୍କ ଘରେ ଚଢ଼ଉ କରି ମୃତ ହାତୀର ୧୧ ଖଣ୍ଡ କଙ୍କାଳ, ୭ଟି ଧନୁ, ୭ଟି ତୀର, ଗୋଟିଏ କୁରାଢ଼ି, ଫାସ ଆଦି ଜବତ କରି ଠାକୁରମୁଣ୍ଡା କାର୍ଯ୍ୟାଳୟକୁ ଆଣିଥିଲେ ।
ଠାକୁରମୁଣ୍ଡା ଶିମିଳିପାଳ ବନ୍ୟପ୍ରାଣୀ ବନାଞ୍ଚଳ କେସ୍ ନଂ ଓଆର ୨୦/୨୦୨୬/୨୭ ରେ ମାମଲା ରୁଜୁ କରି ବାରିପଦା ସିଜେଏମ୍ କୋର୍ଟରେ ହାଜର କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ସୂଚନା ପ୍ରଦାନ କରିଛି ।
