ଜୁନ୍ ୩ରୁ ୫ ଯାଏଁ ପୁରୀରେ ହେବ ବ୍ରିକ୍ସ ସମ୍ମିଳନୀ: ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ
ଭୁବନେଶ୍ୱର (ସଂକେତ ଟିଭି): ଚଳିତ ମାସ ୩ରୁ ୫ ତାରିଖ ଯାଏଁ ପୁରୀରେ ବ୍ରିକ୍ସ (BRICS) ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ବିତୀୟ ବୈଷୟିକ ବୈଠକ ଅନୁଷ୍ଠିତ ହେବ। ଜୁନ୍ ୪ ତାରିଖରେ ଉଦଘାଟନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ବ୍ରିକ୍ସ ରାଷ୍ଟ୍ର ସମୂହଙ୍କ ସହିତ ଭାରତର ବିଭିନ୍ନ ରାଜ୍ୟର ପ୍ରତିନିଧି ଏବଂ ବିଶେଷଜ୍ଞ ମାନେ ଏହି ତିନିଦିନିଆ ବୈଠକରେ ଅଂଶଗ୍ରହଣ କରିବେ। ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ ବାବଦରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିସ୍ତୃତ ସୂଚନା ଦେଇଛନ୍ତି।
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ବ୍ରିକ୍ସ ବିଶ୍ଵର ଉଦୀୟମାନ ଅର୍ଥନୀତିଗୁଡ଼ିକୁ ନେଇ ଗଠିତ ଏକ ପ୍ରମୁଖ ଅନ୍ତର୍ଜାତୀୟ ଆନ୍ତଃସରକାରୀ ସଂଗଠନ ଏବଂ ଭୂ-ରାଜନୈତିକ ମଞ୍ଚ। ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ହେଲେ ବ୍ରାଜିଲ, ଋଷ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ଇଜିପ୍ଟ, ସଂଯୁକ୍ତ ଆରବ ଏମିରେଣ୍ଟ (UAE), ଇଥଓପିଆ, ଇରାନ ଓ ଇଣ୍ଡୋନେସିଆ। ସାମୂହିକ ଭାବେ ଏହି ଗୋଷ୍ଠୀ ବିଶ୍ଵ ଜନସଂଖ୍ୟାର ପ୍ରାୟ ଅକ୍ଷାଂଶ ଏବଂ ବିଶ୍ବର ମୋଟ ଜାତୀୟ ଉତ୍ପାଦନ (GDP)ର ଏକତୃତୀୟାଂଶରୁ ଅଧିକ ଅଂଶର ପ୍ରତିନିଧିତ୍ଵ କରେ।”
ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ଅଧ୍ୟକ୍ଷତାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ (DRR) କାର୍ଯ୍ୟଗୋଷ୍ଠୀର ପ୍ରଥମ ବୈଷୟିକ ବୈଠକ ଗତବର୍ଷ ୨୯-୩୦ ଏପ୍ରିଲରେ ଭିଡ଼ିଓ କନଫରେନ୍ସିଂ (ଭିସି) ଜରିଆରେ ହୋଇଥିଲା। ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ପ୍ରଥମ ପ୍ରତ୍ୟକ୍ଷ ବୈଷୟିକ ବୈଠକ ୩ରୁ ୫ ତାରିଖ ମଧ୍ଯରେ ପୁରୀ ସ୍ଥିତ ତାଜ ପୁରୀ ରିସୋର୍ଟରେ ଅନୁଷ୍ଠିତ ହେବ। ବିପର୍ଯ୍ୟୟ ପ୍ରତିରୋଧ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ଵସ୍ତରୀୟ ନେତୃତ୍ଵ ସ୍ଥାନ ପ୍ରଦାନ ଲକ୍ଷ୍ୟ ରହିଛି।
ବିପର୍ଯ୍ୟୟ ପ୍ରସ୍ତୁତି, ବାତ୍ୟା ପରିଚାଳନା ଏବଂ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥାରେ ଓଡ଼ିଶାର ବିଶ୍ଵସ୍ତରୀୟ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜକ ଭାବେ ଚୟନ କରାଯାଇଛି। ବ୍ରିକ୍ସ ସଦସ୍ୟ ଓ ସହଯୋଗୀ ଦେଶର ନୀତି ନିର୍ଦ୍ଧାରକ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞମାନେ ଏଥିରେ ଅଂଶ ଗ୍ରହଣ କରିବେ। ବୈଠକରେ ସ୍ଥାୟୀ DRR ଅର୍ଥ ପରିଚାଳନା, ଭିତ୍ତିଭୂମି, ପୂର୍ବାନୁମାନ ଆଧାରିତ ପ୍ରତିକ୍ରିୟା ଏବଂ ପାରମ୍ପରିକ ଜ୍ଞାନର ସମନ୍ଵୟ ଉପରେ ଆଲୋଚନା କରାଯିବ।
୨୦୨୬ ବ୍ରିକ୍ସ DRRG ବୈଠକ ପାଇଁ ପୁରୀ ଆୟୋଜନସ୍ଥଳୀ ହୋଇଛି, କାରଣ ଏହା ବାତ୍ୟା ଓ ଅନ୍ୟାନ୍ୟ ବିପଦ ପ୍ରତି ସମ୍ବେଦନଶୀଳ ଏକ ଉପକୂଳବର୍ତ୍ତୀ ଅଞ୍ଚଳ। ୧୯୯୯ ମହାବାତ୍ୟାରେ ହଜାର ହଜାର ପ୍ରାଣହାନୀ ପରେ, ଓଡ଼ିଶା ପ୍ରସ୍ତୁତି, ପୂର୍ବାନୁମାନ, ସ୍ଥାନାନ୍ତରଣ ଯୋଜନା, ଦୃଢ଼ ଭିତ୍ତିଭୂମି ଓ ସମୁଦାୟ ଭିତ୍ତିକ ପ୍ରତିକ୍ରିୟାରେ ବିନିଯୋଗ କରି ନିକଟ ଅତୀତର ବାତ୍ୟାରେ ‘ଶୂନ୍ୟ ପ୍ରାଣହାନୀ’ ସୁନିଶ୍ଚିତ କରିଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଏହି ବ୍ୟବସ୍ଥାକୁ କ୍ରମାଗତ ଭାବେ ସୁଦୃଢ଼ କରୁଛି।
ପୁରୀ ବିଶ୍ଵପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାର ଆୟୋଜନସ୍ଥଳୀ, ଯେଉଁଠାରେ ତୀବ୍ର ଗ୍ରୀଷ୍ମ ପ୍ରବାହ ମଧ୍ୟରେ କୋଟିଏରୁ ଅଧିକ ଶ୍ରଦ୍ଧାଳୁ ସମାଗମ ହୁଅନ୍ତି। ସୁଦୃଢ଼ ପ୍ରସ୍ତୁତି, ସମନ୍ବିତ ପ୍ରତିରୋଧକ ବ୍ୟବସ୍ଥା ଏବଂ ଦକ୍ଷ ଭିଡ଼ ପରିଚାଳନା ପ୍ରଣାଳୀ ମାଧ୍ୟମରେ ଏହି ବିଶାଳ ସମାବେଶ ସୁରକ୍ଷିତ ଭାବେ ପରିଚାଳିତ ହେଉଛି।
NDMA ପାଇଁ ପୁରୀରେ ଏହି ବୈଠକ ଆୟୋଜନ, ବ୍ରିକ୍ସ ସଦସ୍ୟମାନଙ୍କୁ ଉପକୂଳୀୟ ପ୍ରତିରୋଧ କ୍ଷମତା, ସମୁଦାୟ ସକ୍ରିୟତା ଓ ଶ୍ରେଷ୍ଠ ଅଭ୍ୟାସ ପ୍ରତ୍ୟକ୍ଷ ଭାବେ ଦେଖିବାର ସୁଯୋଗ ଦେବ। ଏହା ଭାରତର ବ୍ରିକ୍ସ ସହଯୋଗ ଅଧୀନରେ ଜ୍ଞାନ ବିନିମୟ ଓ ଗୋଷ୍ଠୀ ଭିତ୍ତିକ ବିପର୍ଯ୍ୟୟ ପରିଚାଳନା ମଡେଲ୍ ପ୍ରସାରର ଲକ୍ଷ୍ୟ ସହ ସମନ୍ବିତ। ଏପରି ଏକ ଅନ୍ତର୍ଜାତୀୟ ବୈଠକ ଓଡ଼ିଶା ବିଶେଷକରି ପୁରୀରେ ହେବା ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
