FeaturedLatestNewsPolitics

୭ ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର (ସଂକେତ ଟିଭି): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁନର୍ବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଦୁଇ ମାସ ମଧ୍ୟରେ ନବୀନଙ୍କ ଦୁଇ ଥର ଦିଲ୍ଲୀ ଗସ୍ତ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଛି।

ଗତ ଏପ୍ରିଲ ୧୦ରେ ଦିଲ୍ଲୀ ଯାଇଥିବା ନବୀନ ଆଜିଠୁ ପୁଣି ୭ ଦିନିଆ ଗସ୍ତରେ ଯାଇଛନ୍ତି। ଏହାକୁ ନେଇ ପ୍ରଚାର ଓ ଚର୍ଚ୍ଚା ଅଧିକ ହେଉଥିବା ବେଳେ ଦଳ ପକ୍ଷରୁ ଏହାକୁ ଏକ ‘ରୁଟିନ୍ ଭିଜିଟ୍’ ବୋଲି କୁହାଯାଇଛି। ଏହି ଗସ୍ତ ସମୟରେ ତାଙ୍କର କିଛି ବ୍ୟକ୍ତିଗତ କାର୍ଯ୍ୟକ୍ରମ ମଧ୍ୟ ରହିଛି ଏବଂ ସେ ନୂଆଦିଲ୍ଲୀରେ କିଛି ଲୋକଙ୍କୁ ଭେଟିପାରନ୍ତି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ଆଜି ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଓଡ଼ିଶା ଜନଗଣଙ୍କ ପ୍ରିୟତମ ନେତା ଏକ ରୁଟିନ୍ ଭିଜିଟ୍ରେ ଦିଲ୍ଲୀ ଯାଇଛନ୍ତି। ପ୍ରାୟ ସପ୍ତାହେ ବ୍ୟାପି ସେ ଦିଲ୍ଲୀରେ ରହିବେ। ତାଙ୍କର ବିଭିନ୍ନ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସହିତ ରାଜନୈତିକ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମ ରହିଛି। ସେଠାରେ ରହିବା ସମୟରେ ନୂତନ କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇପାରେ। ଏହି ଗସ୍ତ ସମୟରେ ସେ କିଛି କେନ୍ଦ୍ରୀୟ ନେତାଙ୍କୁ ଭେଟିବା ସହ ଏକ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବେ।”

ସୂଚନାଯୋଗ୍ୟ, ସରକାରରେ ଥିବା ବେଳେ ନବୀନ ଅନେକ ଥର ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। କିନ୍ତୁ ସେତେବେଳେ ଏ ବାବଦରେ ଆଗୁଆ କୌଣସି ସୂଚନା ଦିଆଯାଉନଥିଲା। ବର୍ତ୍ତମାନ ତାଙ୍କ ଗସ୍ତ ବାବଦରେ ଆଗୁଆ ସୂଚନା ଦିଆଯାଉଥିଲେ ମଧ୍ୟ ସେ ନିଜେ କୌଣସି ଠୋସ ପ୍ରତିକ୍ରିୟା ରଖୁନାହାନ୍ତି କିମ୍ବା ଦଳର ନେତାମାନେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାବଦରେ ବିଶେଷ ସୂଚନା ପାଉନାହାନ୍ତି।

ପୂର୍ବରୁ ଏପ୍ରିଲ ୧୦ ତାରିଖରେ ନବୀନ ୬ ଦିନିଆ ଗସ୍ତରେ ନୂଆଦିଲ୍ଲୀ ଯାଇଥିଲେ। ସେତେବେଳେ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ସେ ଦିଲ୍ଲୀ ଗସ୍ତ କରିଥିଲେ। ଏହାପୂର୍ବରୁ ୨୦୨୫ ସେପ୍ଟେମ୍ବରରେ ସେ ଶେଷ ଥର ୪ ଦିନିଆ ଗସ୍ତରେ ଦିଲ୍ଲୀ ଯାଇଥିଲେ।

ନବୀନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା, ବରିଷ୍ଠ ଉପସଭାପତି ପ୍ରତାପ ଜେନା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡ଼ି ସଭାପତି ଇପ୍ସିତା ସାହୁ, ମୁଖପାତ୍ର ଲେନିନ ମହାନ୍ତି, ଯୁବ ନେତା ଅରୁପ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।