FeaturedLatestNewsPolitics

ଶିକ୍ଷକ ପଦୋନ୍ନତି ଓ ବଦଳି ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ କଲା ବିଜେଡି

ଭୁବନେଶ୍ୱର (ସଂକେତ ଟିଭି): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମ୍ପ୍ରତି ଶିକ୍ଷକ ପଦୋନ୍ନତି ଓ ବଦଳି ପ୍ରକ୍ରିୟା ସମ୍ପନ୍ନ ହୋଇଛି। ହେଲେ ଏହି ବଦଳି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେଡି।

ଶିକ୍ଷକମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ନିର୍ଯାତନାକୁ ବିଜୁ ଜନତା ଦଳ କଡ଼ା ଭାଷାରେ ନିନ୍ଦା କରିଛି। ଏଥିସହ ପଦୋନ୍ନତି ତାଲିକା ବାତିଲ ଓ ନିର୍ଦ୍ଦେଶକଙ୍କ ନିଲମ୍ବନ ନେଇ ଦଳ ପକ୍ଷରୁ ଦାବି କରାଯାଇଛି।

ବିଜେଡି ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, “ଶିକ୍ଷକଙ୍କର ଜୁନିଅର ସେକେଣ୍ଡାରୀ ଏଜୁକେସନ ସର୍ଭିସରୁ ସିନିଅର ସେକେଣ୍ଡାରୀ ଏଜୁକେସନ ସର୍ଭିସକୁ ପଦୋନ୍ନତି ହୋଇଥିଲା। ହେଲେ ଏଥିରେ ୨୫ ଡିସେମ୍ବର ୨୦୨୫ରେ ପ୍ରକାଶିତ ମେରିଟ ଓ ଗ୍ରେଡେସନ ତାଲିକାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି।”

“ଏଥିରେ ବହୁ ବରିଷ୍ଠ ଓ ଯୋଗ୍ୟ ଶିକ୍ଷକଙ୍କୁ ଅଣଦେଖା କରାଯାଇଛି। କନିଷ୍ଠ ଶିକ୍ଷକମାନେ ଅର୍ଥବଳ ଓ ଦୁର୍ନୀତିର ଆଶ୍ରୟ ନେଇ ପଦୋନ୍ନତି ପାଇଛନ୍ତି,” ବୋଲି ସେ ଅଭିଯୋଗ କରିଛନ୍ତି।

ଅନେକ ଶିକ୍ଷୟିତ୍ରୀଙ୍କ ବରିଷ୍ଠତା, ପାରିବାରିକ ଦାୟିତ୍ୱ ଓ ଲିଙ୍ଗଗତ ସମ୍ବେଦନଶୀଳତାକୁ ଅବହେଳା କରି ଦୂରବର୍ତ୍ତୀ ଅଞ୍ଚଳକୁ ବଦଳି କରାଯାଇଛି। ଅପରପକ୍ଷରେ ଶାସକ ବିଜେପି ସହ ସମ୍ପୃକ୍ତ କିଛି ପୁରୁଷ ଶିକ୍ଷକଙ୍କୁ ସେମାନଙ୍କ ଘର ନିକଟସ୍ଥ ଓ ସୁବିଧାଜନକ ସ୍ଥାନକୁ ବଦଳି କରାଯାଇଥିବା ଅଭିଯୋଗ ରହିଛି।

ସରକାରଙ୍କର ପ୍ରଚଳିତ ବଦଳି ନୀତି ସ୍ୱଚ୍ଛତା ଓ ନ୍ୟାୟସଙ୍ଗତାର ମୌଳିକ ନୀତିକୁ ସ୍ପଷ୍ଟ ଉଲ୍ଲଂଘନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ସମଗ୍ର ପଦୋନ୍ନତି ଓ ବଦଳି ପ୍ରକ୍ରିୟାରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି। ଏହା ଫଳରେ ରାଜ୍ୟବ୍ୟାପୀ ଶିକ୍ଷକ ସମାଜ ମଧ୍ୟରେ ଗଭୀର ଅସନ୍ତୋଷ ଓ କ୍ଷୋଭ ସୃଷ୍ଟି ହୋଇଛି।

ପରୀକ୍ଷା ଓ ପ୍ରଶ୍ନପତ୍ର ଲିକ୍ ଭଳି ଘଟଣା ପରେ ବର୍ତ୍ତମାନ ବିଜେପି ସରକାର ଏକପାଖିଆ ଓ ମନମୁଖୀ ପଦୋନ୍ନତି ଏବଂ ବଦଳି କରି ଶିକ୍ଷକମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି।

ବିଜେଡିଙ୍କ ୫-ଦଫା ଦାବି

ଲେନିନ ଆହୁରି ମଧ୍ୟ କହିଛନ୍ତି:

୧. ପଦୋନ୍ନତି ତାଲିକାକୁ ବାତିଲ କରାଯାଉ।

୨. ପ୍ରକାଶିତ ଗ୍ରେଡେସନ ତାଲିକା ଓ ବରିଷ୍ଠତା ଆଧାରରେ ସ୍ୱଚ୍ଛ ଏବଂ ମେରିଟ ଭିତ୍ତିକ ପଦୋନ୍ନତି ପ୍ରକ୍ରିୟା କରାଯାଉ।

୩. ନିର୍ଯାତିତ ଶିକ୍ଷକମାନଙ୍କ ଅଭିଯୋଗର ଶୁଣାଣି କରାଯାଉ।

୪. ଦୁର୍ନୀତି ଓ ପକ୍ଷପାତିତାର ଅଭିଯୋଗ ଉପରେ ଉଚ୍ଚସ୍ତରୀୟ ତଦନ୍ତ ହେଉ।

୫. ନିରପେକ୍ଷ ତଦନ୍ତ ନହେବା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ତୁରନ୍ତ ନିଲମ୍ବନ କରାଯାଉ।

ବିଜେଡି ଶିକ୍ଷକ ସମାଜ ସହ ସଦା ଦୃଢ଼ତାର ସହିତ ଛିଡ଼ା ହୋଇ ରହିବ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ନ୍ୟାୟ, ସମତା ଓ ଦାୟିତ୍ୱବୋଧ ପୁନଃ ପ୍ରତିଷ୍ଠିତ ନହେବା ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନିଜ ସ୍ୱର ଉତ୍ତୋଳନ ଜାରି ରଖିବ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି।