FeaturedLatestNews

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅବମାନନା କରିବା ମହଙ୍ଗା ପଡ଼ିଲା, ବଡସାହି ବିଡିଓ ନିଲମ୍ବିତ

ବାରିପଦା (ସଂକେତ ଟିଭି): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଅବମାନନା ଏବଂ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ପ୍ରସ୍ତୁତି କାର୍ଯ୍ୟରେ ଚରମ ଅବହେଳା ପ୍ରଦର୍ଶନ କରିବା ମହଙ୍ଗା ପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ ବନଜା ଦାସ କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳା ସୃଷ୍ଟି କରିବା ପରି ଅଭିଯୋଗ ହୋଇଥିଲା।

କାର୍ଯ୍ୟରେ ସାଂଘାତିକ ତ୍ରୁଟି ଏବଂ ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ଅବହେଳା କରିବା ଅଭିଯୋଗରେ ତାଙ୍କୁ ତୁରନ୍ତ ସରକାରୀ ସେବାରୁ ନିଲମ୍ବନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ, ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ସରକାରୀ ଚିଠି (ସଂଖ୍ୟା: ୩୫୮୩, ତାରିଖ: ୨ ଜୁନ୍ ୨୦୨୬) ମାଧ୍ୟମରେ ଶ୍ରୀମତୀ ବନଜା ଦାସଙ୍କ ବିରୋଧରେ ଓଡ଼ିଶା ନାଗରିକ ସେବା (OCS Rules, 1962) ଅନୁଯାୟୀ ନିଲମ୍ବନ ପ୍ରକ୍ରିୟା ଗ୍ରହଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମତୀ ବନଜା ଦାସଙ୍କ ବିରୋଧରେ ଏକରୁ ଅଧିକ ସାଂଘାତିକ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଗତ ୨୩ ମଇ ୨୦୨୬ ରେ ERO/AERO ମାନଙ୍କ ପାଇଁ ଆୟୋଜିତ ଭର୍ଚୁଆଲ୍ ଟ୍ରେନିଂ ପ୍ରୋଗ୍ରାମରେ ସେ ଯୋଗ ଦେଇ ନଥିଲେ। ପୂର୍ବରୁ ସୂଚନା ମିଳିବା ସତ୍ତ୍ୱେ ସେ ଟ୍ରେନିଂ ରେ ଯୋଗ ଦେଇନଥିଲେ। କାର୍ଯ୍ୟରେ ଅନୁପସ୍ଥିତ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା, ହେଲେ ସେ କୌଣସି ଜବାବ ରଖି ନଥିଲେ। ଯାହାକି ସରକାରୀ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଥିବା ଜଣା ପଡ଼ିଥିଲା।

ମେ ମାସ ୨୬ ଓ ୨୭ ତାରିଖରେ BLO ଏବଂ BLO ସୁପରଭାଇଜର ମାନଙ୍କ ପାଇଁ ଉଦ୍ଦିଷ୍ଟ ଜରୁରୀକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସେ EROଙ୍କ ବିନା ଅନୁମତିରେ ସ୍ଥଗିତ ରଖି ପରବର୍ତ୍ତୀ ତାରିଖକୁ ଘୁଞ୍ଚାଇ ଦେଇଥିଲେ। ଗୁରୁତ୍ୱପୂର୍ଣ୍ଣ ସମୟରେ ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ଏବଂ କୌଣସି ଅନୁମତି ନ ନେଇ ସେ ଛୁଟିରେ ରହିବା ସହ ପରବର୍ତ୍ତୀ ପ୍ରଶିକ୍ଷଣ ସମୟରେ ମଧ୍ୟ ଅନୁପସ୍ଥିତ ରହିଥିଲେ।

ରିପୋର୍ଟ ଅନୁସାରେ, ଜଣେ ଦାୟିତ୍ୱବାନ ଅଧିକାରୀଙ୍କ ଏଭଳି ବାରମ୍ବାର ମନମୁଖୀ କାର୍ଯ୍ୟ ଓ ଚରମ ଶୃଙ୍ଖଳାଗତ ଅବହେଳା ଯୋଗୁଁ ବଡ଼ସାହି ବ୍ଲକରେ ଚାଲିଥିବା ‘SIR-2026’ ନିର୍ବାଚନୀ କାର୍ଯ୍ୟକ୍ରମର ସ୍ୱଚ୍ଛତା ଓ ସଠିକ୍ ସମୟସୀମା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖା ଦେଇଛି। ଫଳରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଛନ୍ତି। ଘଟଣାକୁ ଗୁରୁତର ସହ ଗ୍ରହଣ କରି ରାଜ୍ୟ ସରକାର ଅନ୍ୟ ଅଧିକାରୀମାନଙ୍କ ପାଇଁ ଏକ ଶକ୍ତ ଚେତାବନୀ ଜାରି କରିଛନ୍ତି।