BusinessFeaturedGeneralLatest

ଅପରିବର୍ତ୍ତିତ ରହିଲା ରେପୋ ରେଟ୍, ୫.୨୫ ପ୍ରତିଶତରେ ସ୍ଥିର ରଖିଲା ଆରବିଆଇ

ନୂଆଦିଲ୍ଲୀ(ସଂକେତ ଟିଭି): ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ପୂର୍ବରୁ ଥିବା ରେପୋ ରେଟ୍ ୫.୨୫ ପ୍ରତିଶତକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅପରିବର୍ତ୍ତିତ ରଖାଯାଇଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଶୁକ୍ରବାର ଏହି ଘୋଷଣା କରିଛନ୍ତି ।

ଆଜି ସକାଳ ୧୦ଟାରେ ମୌଦ୍ରିକ ନୀତି କମିଟି (Monetary Policy Committee) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହି ଘୋଷଣା କରିଛନ୍ତି । ବିଶ୍ୱ ସ୍ତରରେ ଦେଖା ଦେଇଥିବା ଅନିଶ୍ଚିତତା ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ଏହି ପଲିସି ରେଟ୍ ଅପରିବର୍ତ୍ତିତ ରଖିବ ବୋଲି ଅର୍ଥଶାସ୍ତ୍ରବିଦ୍ ତଥା ବଜାର ବିଶେଷଜ୍ଞମାନେ ଆଶା କରୁଥିଲେ ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଦ୍ୱିତୀୟ ଥର ପାଇଁ ସୁଧ ହାର ଅପରିବର୍ତ୍ତିତ ରହିଛି । ପଶ୍ଚିମ ଏସିଆ ଯୁଦ୍ଧିସ୍ଥିତି ଯୋଗୁ ଦେଖା ଦେଇଥିବା ଶକ୍ତି ସଙ୍କଟ ତଥା ଯୋଗାଣ ସମସ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ତିନିଦିନିଆ ମୌଦ୍ରିକ ନୀତି କମିଟି ବୈଠକ ଶେଷ ହେବା ପରେ ଚଳିତ ଅର୍ଥିକ ବର୍ଷ ପାଇଁ ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରି ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ବୈଠକରେ ସର୍ବସମ୍ମତି କ୍ରମେ ସ୍ୱଳ୍ପ ମିଆଦୀ ଋଣ ହାର ବା ରେପୋ ରେଟ୍କୁ ଏକ ନିରପେକ୍ଷ ଆଭିମୁଖ୍ୟ ସହ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଉପଭୋକ୍ତା ମୂଲ୍ୟ ସୂଚୀ (CPI) ଆଧାରିତ ଖୁଚୁରା ମୁଦ୍ରାସ୍ପୀତି ଏପ୍ରିଲ ମାସରେ ୩.୪୮ ପ୍ରତିଶତକୁ ଆସି ଆରବିଆଇର ମଧ୍ୟମ ଅବଧିର ଲକ୍ଷ୍ୟ ୪ ପ୍ରତିଶତର ନିକଟତର ହୋଇଥିବା ସତ୍ତ୍ୱେ ଏହି ସ୍ଥିରତା ଆସିଛି । ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ କହିବା ଅନୁଯାୟୀ, ୨୦୨୭ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ପୀତି ୫.୧ ପ୍ରତିଶତରେ ସୀମିତ ରହିବ ଯାହା ପୂର୍ବ ଆକଳନଠାରୁ ପ୍ରାୟ ୫୦ ବେସିସ୍ ପଏଣ୍ଟ ଅଧିକ ।

ଆରବିଆଇର ୨୦୨୭ ତ୍ରୈମାସିକ ଆକଳନ ଅନୁଯାୟୀ-

  • ପ୍ରଥମ ତ୍ରୈମାସିକ – ୪.୨%
  • ଦ୍ୱିତୀୟ ତ୍ରୈମାସିକ – ୫.୧%
  • ତୃତୀୟ ତ୍ରୈମାସିକ – ୫.୯%
  • ଚତୁର୍ଥ ତ୍ରୈମାସିକ – ୫.୪%

ସେହିପରି ଆରବିଆଇ ଆର୍ଥିକ ବର୍ଷ ୨୦୨୭ ପ୍ରକୃତ GDPର ପୂର୍ବାନୁମାନ କରି ୬.୯%ରୁ ୬.୬% ହ୍ରାସ କରିଛି । ଗଭର୍ଣ୍ଣର ମାଲହୋତ୍ରାଙ୍କ କହିବା ଅନୁଯାୟୀ, ବିଶ୍ୱରେ ଦେଖା ଦେଇଥିବା ଯୁଦ୍ଧ ସ୍ଥିତି ଯୋଗୁ ଅର୍ଥ ବ୍ୟବସ୍ଥା ସଙ୍କଟରେ ପଡ଼ିଛି । ଏଥିପାଇଁ ରପ୍ତାନୀ କ୍ଷେତ୍ରରେ ମଧ୍ୟ ଭାରତ ସମସ୍ୟାର ସମ୍ମୁଖୀନ ହେଉଛି । ଏହା ବ୍ୟତୀତ ଅଶୋଧିତ ତୈଳ ତଥା ଶକ୍ତି ସଙ୍କଟ ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି । ତେବେ ଆଗକୁ ମୁଦ୍ରା ନୀତି ସମ୍ପୂର୍ଣ୍ଣ ଭାବେ ତଥ୍ୟ ଭିତ୍ତିକ ରହିବ ବୋଲି ଗଭର୍ଣ୍ଣର ପ୍ରତିଶ୍ରୁତି ଦେଇଛନ୍ତି ।