BusinessFeaturedLatestNews

୨୯ ଟଙ୍କା ବଢ଼ିଲା ଘରୋଇ ଏଲପିଜି ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ(ସଂକେତ ଟିଭି): ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼। ଦେଶରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ବିଶ୍ବ ସ୍ତରରେ ଦେଖାଯାଉଥିବା ଶକ୍ତି ସଙ୍କଟର ପ୍ରଭାବରେ ଦେଶରେ ଲଗାତାର ଇନ୍ଧନର ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳୁଛି। ବର୍ତ୍ତମାନ ଘରୋଇ ସିଲିଣ୍ଡରର ମୂଲ୍ୟରେ ୨୯ ଟଙ୍କା ବୃଦ୍ଧି କରାଯାଇଛି।

ଘରୋଇ ବ୍ୟବହାର ଉପଯୋଗୀ ସିଲିଣ୍ଡରର ମୂଲ୍ୟରେ ୨୯ ଟଙ୍କା ବୃଦ୍ଧି କରାଯାଇଛି। ନୂଆ ଦର ଆଜି (୭ ଜୁନ) ଠାରୁ ଲାଗୁ ହୋଇଯାଇଛି। ରାଜଧାନୀ ଦିଲ୍ଲୀରେ ଏକ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କାରୁ ବୃଦ୍ଧି ପାଇ ୯୪୨ ଟଙ୍କାରେ ପହଞ୍ଚିଛି।

ସିଲିଣ୍ଡର ମୂଲ୍ୟରେ ଦ୍ବିତୀୟ ଥର ପାଇଁ ଦର ବୃଦ୍ଧି ହୋଇଛି। ଶେଷ ଥର ପାଇଁ ୭ ମାର୍ଚ୍ଚରେ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଥିଲା। ଗତ ମାର୍ଚ୍ଚରେ ସିଲିଣ୍ଡର ମୂଲ୍ୟରେ ୬୦ ଟଙ୍କା ବୃଦ୍ଧି କରାଯାଇଥିଲା। ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଓ ସଂଘର୍ଷ କାରଣରୁ ସାରା ବିଶ୍ବର ଇନ୍ଧନ ବଜାରରେ ଅସ୍ଥିରତା ବୃଦ୍ଧି ପାଉଛି। ଏହାର ପ୍ରଭାବ ବର୍ତ୍ତମାନ ଭାରତୀୟଙ୍କ ରୋଷେଇ ଘରେ ମଧ୍ୟ ଦେଖିବାକୁ ମିଳୁଛି।

ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଗୁରୁବାର ଏକ ଆନ୍ତଃ-ମନ୍ତ୍ରାଳୟ ବୈଠକକୁ ସମ୍ବୋଧନ କରିଥିଲେ। ସେ କହିଥିଲେ ଯେ, ଦେଶରେ ଖାଉଟିଙ୍କ ପାଇଁ ଏଲପିଜି ପର୍ଯ୍ୟାପ୍ତ ଉପଲବ୍ଧ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏଥିରେ ଘରୋଇ ଉତ୍ପାଦନ ବୃଦ୍ଧି ଏବଂ ଆମଦାନୀ କରିବା ପ୍ରୟାସ ଅନ୍ତର୍ଭୁକ୍ତ।

ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ଘରୋଇ ଏଲପିଜି ସିଲିଣ୍ଡରର ‘ଅଣ୍ଡର-ରିକଭରୀ’ (ଖର୍ଚ୍ଚ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ପାର୍ଥକ୍ୟ) ଏବେ ବି ପ୍ରାୟ ୭୦୦ ଟଙ୍କା ମଧ୍ୟରେ ରହିଛି। ସୁଜାତା ଶର୍ମା ଏଲପିଜି ଚାହିଦାରେ ବର୍ତ୍ତମାନ ହ୍ରାସ ଦେଖିବାକୁ ମିଳିଛି ବୋଲି କହିଥିଲେ। ଏଥିପାଇଁ ବାଣିଜ୍ୟିକ ଏବଂ ଶିଳ୍ପ ବ୍ୟବହାରକାରୀଙ୍କ ଦ୍ୱାରା ହ୍ରାସ ପାଇଥିବା ବ୍ୟବହାର, ଉନ୍ନତ ବୁକିଂ ପ୍ରକ୍ରିୟା ଏବଂ ପ୍ରଯୁକ୍ତିବିଦ୍ୟା-ଆଧାରିତ ପ୍ରମାଣ ସଂଗ୍ରହ ଆଦି ଅନେକ କାରଣ ସହାୟକ ହୋଇଛି ବୋଲି ସେ କହିଛନ୍ତି।